ଏସିଆଡ୍‌ ପଦକ ବିଜେତା ଓଡ଼ିଆ : ବଚନ୍‌ଙ୍କଠୁ ବୀରେନ୍ଦ୍ରଙ୍କ ସ୍ୱର୍ଣ୍ଣିମ ଅଧ୍ୟାୟ

ଭୁବନେଶ୍ୱର,(ସୁରେଶ ସ୍ୱାଇଁ): ଏସୀୟ କ୍ରୀଡ଼ାର ଅଷ୍ଟାଦଶ ସଂସ୍କରଣ ଇଣ୍ଡୋନେସିଆର ଜାକର୍ତା ଓ ପାଲେମବାଙ୍ଗ୍‌ରେ ଚଳିତ ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ ଦଳରେ ଏଥର ଓଡ଼ିଶାରୁ ଡଜନେ କ୍ରୀଡ଼ାବିତ୍‌ ଇଣ୍ଡୋନେସିଆ ଗସ୍ତ କରୁଛନ୍ତି। ହକିରୁ ସର୍ବାଧିକ ୬ ଜଣ ଭାଗ ନେବାକୁ ଯାଉଥିବାବେଳେ ଅନ୍ୟ ୬ ଜଣ ହେଉଛନ୍ତି ଦୌଡ଼କୁଦ, ବ୍ୟାଡ୍‌ମିଣ୍ଟନ, ଜିମ୍ନାଷ୍ଟିକ୍ସ, ରୋଇଂ ପ୍ରତିଭା। ପୁରୁଷ ହକିରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଏବଂ ମହିଳା ହକିରେ ସୁନୀତା ଲାକ୍ରା, ଦୀପ୍‌ ଗ୍ରେସ୍‌ ଏକ୍କା, ନମିତା ଟପ୍ପୋ ଏବଂ ଲିଳିମା ମିଞ୍ଜ୍‌ ସାମିଲ୍‌ ଅଛନ୍ତି ଭାରତୀୟ ଦଳରେ। ସେହିଭଳି ଦୌଡ଼କୁଦରେ ଜାତୀୟ କୀର୍ତିମାନଧାରୀ ଦୂତି ଚାନ୍ଦଙ୍କ ସହିତ ଜଉନା ମୁର୍ମୁ ଏବଂ ହେପ୍ଟାଥଲେଟ୍‌ ପୂର୍ଣ୍ଣିର୍ମା ହେମ୍ବ୍ରମ୍‌ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ପ୍ରତିଭାସମ୍ପନ୍ନ ଜିମ୍ନାଷ୍ଟ ରାକେଶ ପାତ୍ର, ବ୍ୟାଡ୍‌ମିଣ୍ଟନ୍‌ ତାରକା ଋତୁପର୍ଣ୍ଣା ପଣ୍ଡା ଏବଂ ନୌଚାଳିକା ସଂଜୁକ୍ତା ଡୁଙ୍ଗ୍‌ ଡୁଙ୍ଗ୍‌ ମଧ୍ୟ ଯାଉଛନ୍ତି ଜାକର୍ତା।
ଅତୀତର ୧୭ ସଂସ୍କରଣ ଉପରେ ନଜର ପକାଇଲେ ଦେଖାଯାଇଛି ଓଡ଼ିଶାର ମାତ୍ର କିଛି ହାତଗଣତି କ୍ରୀଡ଼ାବିତ୍‌ ଏସିଆଡ୍‌ ପଦକ ଜିତିବାର ଗୌରବ ପାଇଛନ୍ତି। ସବୁଠୁ ବଡ଼ କଥା ହେଉଛି ଏହି ଧାରା ୧୯୫୧ ମସିହା ପ୍ରଥମ ସଂସ୍କରଣରୁ ଲମ୍ବିଛି। ୬୭ ବର୍ଷର ଲମ୍ବା ଇତିହାସରେ ଅଦ୍ୟାବଧି ୧୮ ଜଣ ଓଡ଼ିଆ ଜିତିଛନ୍ତି ଏସିଆଡ୍‌ ପଦକ। ଜାତୀୟସ୍ତର ଭଳି ହକି ମଧ୍ୟ ଓଡ଼ିଶାକୁ ଅଧିକ ପଦକ ଦେଇଛି ଏହି ମର୍ଯ୍ୟଦାଜନକ ୪ ବର୍ଷିଆ କ୍ରୀଡ଼ା ମହୋତ୍ସବରୁ। ୧୩ ଜଣ ହକି ଖେଳାଳି ୧୫ ପଦକ ଜିତିଛନ୍ତି। ଅନ୍ୟ ୬ଜଣ ବିଭିନ୍ନ ଖେଳରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ଏବଂ ଜ୍ୟୋତି ସୁନୀତା କୁଲୁ ଦୁଇ ଥର ଲେଖାଏଁ ପଦକ ଜିତିବାର ଗୌରବ ପାଇଛନ୍ତି। ଜ୍ୟୋତିଙ୍କ ନେତୃତ୍ୱରେ ଭାରତ ମଧ୍ୟ ୨୦୦୬ ଦୋହା ଏସିଆଡ୍‌ରେ ଜିତିଥିଲା କାଂସ୍ୟ ପଦକ। ସ୍ୱର୍ଣ୍ଣ ପଦକ ବିଜୟର ଗୌରବ କେବଳ ସେକ୍‌ ମଜିଦ୍‌ (ବଚନ), ଦିଲୀପ ତିର୍କି, ଲାଜରୁସ୍‌ ବାର୍ଲା ଏବଂ ବୀରେନ୍ଦ୍ର ଲାକ୍ରାଙ୍କ ଭାଗ୍ୟରେ ଜୁଟିଛି। ଯାହାକି ଏହି ୪ ଜଣଙ୍କୁ ବିରଳ ଓଡ଼ିଆଙ୍କ କ୍ଲବ୍‌ରେ ରଖିଛି।
ଓଡ଼ିଶାକୁ ଏସିଆଡ୍‌ ପଦକ ପ୍ରଦାନର ଧାରା ଆରମ୍ଭ କରିଥିଲେ ୧୯୫୧ ମସିହା ନୂଆଦିଲ୍ଲୀ ପ୍ରଥମ ସଂସ୍କରଣରୁ ସେକ୍‌ ମଜିଦ୍‌ ଓରଫ୍‌ ଏଏମ୍‌ ବଚନ। ତା ପୁଣି ସ୍ୱର୍ଣ୍ଣ ପଦକରୁ। ଫୁଟ୍‌ବଲ୍‌ ଫାଇନାଲ୍‌ରେ ଭାରତ ମେଓ୍ଵାଲାଲ୍‌ଙ୍କ ଏକମାତ୍ର ଗୋଲ୍‌ ବଳରେ ଇରାନ୍‌କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଏହି କଟକ କିମ୍ବଦନ୍ତୀ ଥିଲେ ଦଳରେ। ଏହାର ୩୫ ବର୍ଷ ପରେ ଓଡ଼ିଶାକୁ ମିଳିଥିଲା ଦ୍ୱିତୀୟ ପଦକ। ୧୯୮୬ ମସିହାର ସିଓଲ୍‌ ଏସିଆଡ୍‌ରେ ବ୍ୟାଡ୍‌ମିଣ୍ଟନ ତାରକା ସନତ ମିଶ୍ର ଜିତିଥିଲେ ଦଳଗତ କାଂସ୍ୟ ପଦକ। ଲେରୟ ଡି’ସୁଜା, ବିମଲ କୁମାର, ସନତ ମିଶ୍ର, ରବି କୁନ୍ତେ, ସୟଦ ମୋଦି, ପ୍ରକାଶ ପାଦୁକୋନ, ଉଦୟ ପାଓ୍ଵାରଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ କାଂସ୍ୟ ହାସଲ କରିଥିଲେ। ୧୯୯୦ ବେଜିଂ ସଂସ୍କରଣରେ ପ୍ରଣତି ମିଶ୍ର ପ୍ରଥମ ଓଡ଼ିଆ ମହିଳା ଭାବେ ୪ ଗୁଣା ୧୦୦ ମିଟର ରିଲେରେ ରୌପ୍ୟ ପଦକ ଜିତିଥିଲେ। ୧୯୯୮ରେ ରଚିତା ପଣ୍ଡା (ମିସ୍ତ୍ରୀ) ୧୯୯୮ ବ୍ୟାଙ୍କକ୍‌ ଏସିଆଡ୍‌ରେ ୧୦୦ ମିଟର୍‌ କାଂସ୍ୟ (୧୧.୪୧ ସେକେଣ୍ଡ୍‌) ଜିତି ଏହି ଧାରାକୁ ଆଗକୁ ନେଇଥିଲେ। ଏହା ପରଠୁ କିନ୍ତୁ ଏସିଆଡ୍‌ ଦୌଡ଼କୁଦ ପଦକ ମିଳିନି ଓଡ଼ିଶାକୁ। ୨୦୧୦ରେ ଗୁଆଙ୍ଗଜୁ ଏସିଆଡ୍‌ରେ ଓଡ଼ିଶାକୁ ରୋଇଂ କାଂସ୍ୟ ବିଜୟ ଦେଇଥିଲେ ପ୍ରତିମା ପୁହାଣ ଓ ପ୍ରମିଳା ପ୍ରଭା ମିଞ୍ଜ୍‌।
ଓଡ଼ିଶା ଆସିଥିବା ମୋଟ ୨୧ ପଦକ ମଧ୍ୟରୁ କିନ୍ତୁ ୧୫ ଆସିଛି ହକିରୁ। ଦିଲ୍ଲୀପ ତିର୍କି ଏବ ଜ୍ୟୋତି ସୁନୀତା କୁଲୁ ଦୁଇଟି ଅଲଗା ଅଲଗା ସଂସ୍କରଣ ଏବଂ ଏକାଧିକ ପଦକ ଜିତିବାର ଗୌରବ ରଖିଛନ୍ତି। ୧୯୯୮ରେ ବ୍ୟାଙ୍କକ୍‌ ଏସିଆଡ୍‌ରେ ସ୍ୱର୍ଣ୍ଣ ବିଜେତା ଭାରତୀୟ ଦଳରେ ଦିଲୀପ ତିର୍କି ଏବଂ ଲାଜରୁସ୍‌ ବାର୍ଲା ସାମିଲ ଥିଲେ। ସେହି ସଂସ୍କରଣ ମହିଳା ଦଳରୁ ରୌପ୍ୟ ପଦକ ଜିତିଥିଲେ ଜ୍ୟୋତି ସୁନୀତା କୁଲୁ। ୨୦୦୨ ବୁସାନ ଏସିଆଡ୍‌ରେ ଦିଲ୍ଲୀପ ତିର୍କି ଏବଂ ଇଗ୍ନେସ ତୀର୍କି ରୌପ୍ୟ ପଦକ ଜିତିଥିଲେ। ୨୦୦୬ରେ ଜ୍ୟୋତି ସୁନୀତା କୁଲୁଙ୍କ ନେତୃତ୍ୱରେ ଭାରତ ମହିଳା ଦଳ କାଂସ୍ୟ ପଦକ ଜିତିଥିବାବେଳ ବିନିତା ଟୋପ୍ପୋ, ବିନିତା ଖେସ୍‌, ସୁଭଦ୍ରା ପ୍ରଧାନ ସାମିଲ ଥିଲେ। ସେଥର ମଧ୍ୟ ଜ୍ୟୋତି ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ତ୍ରିରଙ୍ଗା ଧରିବାର ଗୌରବ ପାଇଥିଲେ। ୨୦୧୦ରେ ଗୁଆଙ୍ଗଜୁରେ କାଂସ୍ୟ ପଦକ ଜିତିଥିବା ପୁରୁଷ ହକି ଦଳରେ ପ୍ରବୋଧ ତିର୍କି ଖେଳିଥିଲେ। ପ୍ରଥମ ଥର ପାଇଁ ୨୦୧୪ ମସିହାରେ କିନ୍ତୁ ଭାରତୀୟ ପୁରୁଷ ଓ ମହିଳା ଦଳରୁ ପଦକ ଜିତିଥିଲେ ୫ ଓଡ଼ିଆ। ଗୋଟିଏ ସଂସ୍କରଣରୁ ସର୍ବାଧିକ ପଦକ ଜିତିବାରେ ଏହା ମଧ୍ୟ ଏକ କୀର୍ତିମାନ କରିଥିଲା। ଭାରତୀୟ ପୁରୁଷ ଦଳକୁ ସ୍ୱର୍ଣ୍ଣ ପଦକ ବିଜୟରେ ବୀରେନ୍ଦ୍ର ଲାକ୍ରାଙ୍କ ଅବଦାନ ରହିଥିଲା। ସେହିଭଳି କାଂସ୍ୟ ବିଜୟୀ ମହିଳା ଦଳରେ ଏକାକଳୀନ ୪ ଓଡ଼ିଆ ଦୀପ୍‌ଗ୍ରେସ୍‌ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ ଏବଂ ଲିଲିମା ମିଞ୍ଜ୍‌ ସାମିଲ ରହି ଓଡ଼ିଶାର ଗୌରବ ବଢ଼ାଇଥିଲେ।

ସମ୍ବନ୍ଧିତ ଖବର