ଭାରତକୁ ଏସିଆଡ୍‌ ମନା

ତଥାପି ଓଡ଼ିଶାରେ ରଗ୍‌ବି ବିଶ୍ୱକପ୍‌ ଉତ୍ସାହ

ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟମନ୍ଦିରରେ ଶୁକ୍ରବାର ସୂର୍ଯ୍ୟୋଦୟ ଦେଖିଥିବା ରଗ୍‌ବି ବିଶ୍ୱକପ୍‌ ଟ୍ରଫି ସଂଧ୍ୟାରେ ସ୍ୱସ୍ତି ହୋଟେଲ୍‌ରେ ଭାରତ ଭ୍ରମଣ ଶେଷ କରିଛି। ମଧ୍ୟାହ୍ନରେ ସଚିବାଳୟ ଏବଂ ଅପରାହ୍‌ଣରେ କିସ୍‌ରେ ପ୍ରଦର୍ଶିତ ହେବା ପରେ ଏହି ‘ଦ େଓ୍ଵବ୍‌ ଏଲିସ୍‌ କପ୍‌’ ପରିକ୍ରମାର ଦିନିକିଆ ଓଡ଼ିଶା ଅଭିଯାନ ମଧ୍ୟ ଶେଷ ହୋଇଛି। ଆସନ୍ତା ବର୍ଷ ଜାପାନରେ ଆୟୋଜିତ ରଗବି ବିଶ୍ୱକପ୍‌ ପାଇଁ ପ୍ରଥମ ଥର ଭାରତ ଭ୍ରମଣରେ ଆସିଥିବା ଏଲିସ୍‌ କପ୍‌ ଦିଲ୍ଲୀ ଓ ମୁମ୍ବାଇ ପରେ ଭୁବନେଶ୍ୱର ପହଞ୍ଚିଥିଲା। ସକାଳୁ ସକାଳୁ କୋଣାର୍କ ସୂର୍ଯ୍ୟମନ୍ଦିର ବେଢ଼ାରେ ଏହାର ମନୋରମ ପ୍ରଦର୍ଶନୀ ନଜରକୁ ଆସିଥିଲା। ମଧ୍ୟାହ୍ନରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱାଗତ କରିଥିଲେ। ଅପରାହ୍‌ଣରେ ଓଡ଼ିଶା ରଗ୍‌ବିର ଏନ୍ତୁଡ଼ିଶାଳ ପାଲଟିଥିବା କିସ୍‌ ପରିସରରେ ଏହାକୁ ହଜାର ହଜାର ଛାତ୍ରଛାତ୍ରୀ ସ୍ୱାଗତ କରିବା ସବୁଠୁ ଅଧିକ ମନୋଜ୍ଞ ଥିଲା। ସଂଧ୍ୟାରେ କିନ୍ତୁ ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘ (ଓର୍‌ଫା)ର ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ସପ୍ତାହରୁ ଜାକର୍ତାରେ ଆରମ୍ଭ ହେଉଥିବା ଏସିଆଡ୍‌ରେ ଭାରତ ନଥିବା ପ୍ରସଙ୍ଗ ସବୁ ଉତ୍ସାହକୁ ସାମାନ୍ୟ ଫିକା କରି ଦେଇଥିଲା।

ଓଡ଼ିଶା ସହିତ ରଗ୍‌ବି ବିଶ୍ୱକପ୍‌ ଟ୍ରଫି ଭାରତ ବୁଲିଲା। ତାଜମହଲ, ଇଣ୍ଡିଆ ଗେଟ୍‌ ପରେ ସୂର୍ଯ୍ୟମନ୍ଦିର ଭଳି ପ୍ରାଚୀନ କୀର୍ତିମାଳା ପାର୍ଶ୍ୱରେ ନିଜ ଉପସ୍ଥିତି ଜାହିର୍‌ କରିନେଲା। କିନ୍ତୁ ସମାନ ସମୟରେ ଅସନ୍ତା ସପ୍ତାହରେ ଇଣ୍ଡୋନେସିଆରେ ଭାରତୀୟ ମହିଳା ରଗ୍‌ବି ଦଳକୁ ପଠାଯାଉନଥିବା ଖବର ବିବାଦ ଓ ବିତର୍କର କାରଣ ହୋଇଥିଲା। ଭାରତ ସରକାର ଏବଂ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ ସହଯୋଗରେ ଭାରତୀୟ ମହିଳା ଦଳ କୋଲ୍‌କାତାରେ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇଥିଲେ ମଧ୍ୟ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ଅନୁମୋଦନ ନ କରିବା ସବୁ ଖେଳାଳିଙ୍କ ସ୍ୱପ୍ନ ଓ ଆଶାକୁ ଧୂଳିସାତ କରି ଦେଇଥିଲା। ଏ ସମ୍ପର୍କରେ ଏସୀୟ ରଗ୍‌ବି ସଂଘ ସଭାପତି ତଥା ପୂର୍ବତନ ଭାରତୀୟ ଖେଳାଳି ଆଗା ହୁସେନ୍‌ କହିଥିଲେ, ‘ଆମ ଏସୀୟ ମାନ୍ୟତା ୬ ଭିତରେ ନ ଥିବା ଦର୍ଶାଇ ସୁଯୋଗ ଦିଆଗଲା ନାହିଁ। ପ୍ରସ୍ତୁତି ଅଧାରୁ ବନ୍ଦ କରିବାକୁ ପଡ଼ିଲା। ଏହି ବିବାଦୀୟ ପ୍ରସଙ୍ଗରେ ଆମେ ଅଧିକ କହିବା ଠିକ୍‌ ହେବ ନାହିଁ। କିନ୍ତୁ ୨୦୧୦ରେ ଆମେ ଖେଳି ପଞ୍ଚମ ସ୍ଥାନରେ ରହିବା ପରେ ୨୦୧୪ ଏସିଆଡ୍‌ରେ ଆମକୁ ସୁଯୋଗ ଦିଆଯାଇନଥିଲା। ଏବେ ଆମ ମାନ୍ୟତା କିଭଳି ବଢ଼ିବ। ଏକ୍ସପୋଜର୍‌ ଅଭାବରୁ ବି ଏହା ସମ୍ଭବ ହେଉନାହିଁ’ ବୋଲି ସେ କହିଥିଲେ। ମାନ୍ୟତା ବଢ଼ାଇବା ପାଇଁ ସମୟ ଲାଗିବ ବୋଲି ପ୍ରଥମ ଭାରତୀୟ ଭାବେ ଏସୀୟ ସଂଘ ସଭାପତି ହୋଇଥିବା ହୁସେନ୍‌ କହିଥିଲେ। ରଗ୍‌ବି ଏକ ବଢ଼ିଆ ଖେଳ, ଓଡ଼ିଶାରେ ଆଦିବାସୀ ପିଲାମାନଙ୍କ ପାଇଁ ଏହା ଆଉ ଏକ ଉତ୍ସ ବୋଲି କହିଥିଲେ ଓଟିଡିସି ଅଧ୍ୟକ୍ଷ ତଥା ହକି ପଦ୍ମଶ୍ରୀ ଦିଲୀପ ତିର୍କି। ଏହି ଅବସରରେ ମୁଁ ବି ଦିନେ ରଗ୍‌ବି ଖେଳି ଭାରତରୁ ପ୍ରତିନିଧିତ୍ୱ କରିବାକୁ ଆଗ୍ରହୀ ଥିଲି ବୋଲି ପ୍ରକାଶ କରିଥିଲେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି। ରାତାରାତି କେଉଁଥିରେ ବି ସଫଳତା ପାଇବା ସମ୍ଭବ ନୁହେଁ ବୋଲି ଦେବାଶିଷ କହିଥିଲେ। ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ କହିଥିଲେ, ରଗ୍‌ବି ପିଲା ବି ଫୁଟ୍‌ବଲ୍‌ ଖେଳିବା ମୋତେ ବିଶେଷ ଆନନ୍ଦିତ କରିଥାଏ। ଓଡ଼ିଶା ରଗ୍‌ବି ସଂଘ ସଭାପତି ବିଧାୟକ ପ୍ରିୟଦର୍ଶି ମିଶ୍ର କହିଥିଲେ, ଖୁବ୍‌ ଶୀଘ୍ର କଳିଙ୍ଗ ଷ୍ଟାଡିୟମ୍‌ରେ ରଗ୍‌ବି ଅଭ୍ୟାସର ସୁଯୋଗ ମିଳିବ ଏବଂ ରଗ୍‌ବିକୁ ରାଜ୍ୟ ସରକାରଙ୍କ ନିଯୁକ୍ତିଭିତ୍ତିକ ଅଗ୍ରାଧିକାର ମିଳିବ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ମନୋଜ କୁମାର ପାଢ଼ୀ, ବିଧାନସଭା ଉପ ମୁଖ୍ୟ ସଚେତକ ସାନନ୍ଦ ମାର୍ଣ୍ଡି ମଧ୍ୟ ଉପସ୍ଥିତ ଥିଲେ। ଶେଷକୁ ରଗ୍‌ବି ବିଶ୍ୱକପ୍‌ ଟ୍ରଫି ସହିତ ଖେଳାଳିମାନଙ୍କ ସେଲ୍‌ଫି ଉତ୍ତୋଳନ ନିଆରା ପରିବେଶ ସୃଷ୍ଟି କରିଥିଲା।

ମଧ୍ୟାହ୍ନରେ ସଚିବାଳୟରେ ମଧ୍ୟ ରଗ୍‌ବି ବିଶ୍ୱକପ୍‌କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସାହଭରା ମନ୍ତବ୍ୟ ଦେଇଥିଲେ। ‘ରଗ୍‌ବି ବିଶ୍ୱକପ୍‌ ୨୦୧୯ ଟ୍ରଫିର ଭାରତ ପରିକ୍ରମା ଏକ ଉତ୍କଣ୍ଠାର ବିଷୟ। ଓଡ଼ିଶା ହେଉଛି ଭାରତୀୟ ରଗବିର ଆରମ୍ଭ ସ୍ଥଳି। ଆମ ଖେଳାଳି ଉଭୟ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଅକ୍ଟୋବରରେ ଭୁବନେଶ୍ୱରରେ ହେବାକୁ ଥିବା ଏସୀୟ ୧୮ ବର୍ଷରୁ କମ୍‌ ମହିଳା ରଗବି ସେଭେନ୍ସକୁ ଆୟୋଜନ କରୁଥିବାରୁ ଆମ୍ଭେ ଗର୍ବିତ। ମୁଁ ଆଶା କରୁଛି, ଅଧିକ ସଂଖ୍ୟକ ପିଲାମାନେ ଆଗକୁ ଆସିବେ ଏବଂ ରଗ୍‌ବି ଖେଳିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶା ସବୁବେଳେ କ୍ରୀଡ଼ାକୁ ଉତ୍ସାହିତ କରିବାର ପରମ୍ପରା ରଖିଛି ବୋଲି କହିଥିଲେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା। ଏହା ଆମ ପାଇଁ ଏକ ଆନନ୍ଦର ବିଷୟ ବୋଲି କହିଥିଲେ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ। କିସ୍‌ ପରିସରରେ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହିତ ୨୭,୦୦୦ ଛାତ୍ରଛାତ୍ରୀ ଏହାକୁ ସ୍ୱାଗତ କରିବା ସବୁଠାରୁ ଉଲ୍ଲେଖନୀୟ ଥିଲା। କିସ୍‌ରୁ ବାହାରି ମୁନ୍ନା ମୁର୍ମୁ, ରାଜକିଶୋର ମୁର୍ମୁ, ସୁମିତ୍ରା ନାୟକ, ହୁପି ମାଝୀ ଓ ଲିଜା ସର୍ଦ୍ଦାର ପ୍ରମୁଖ ଆଗକୁ ବଢ଼ିଛନ୍ତି। ବିଶ୍ୱ ରଗ୍‌ବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ରିଟ୍‌  ଗୋସ୍ପର୍‌ କହିଛନ୍ତି, ‘ଏହା ଅତ୍ୟନ୍ତ ଖୁସିର ବିଷୟ ଯେ େଓ୍ଵବ୍‌ ଏଲିସ୍‌ କପ୍‌କୁ ନେଇ ଭାରତରେ ବହୁ ଉତ୍ସାହ, ଆଗ୍ରହ ଓ ତତ୍ପରତା ଦେଖା ଦେଇଛି। ଆମେ ଅତ୍ୟନ୍ତ ଉତ୍ସାହିତ େଓ୍ଵବ୍‌ ଏଲିସ୍‌ କପ୍‌ ଭୁବନେଶ୍ୱର ଭ୍ରମଣ କରିଛି, ଯାହା ଭାରତୀୟ ରଗ୍‌ବି ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥଳୀ।’ ଏହି ଟ୍ରଫି ୧୮ ଦେଶ ବୁଲିବ, ଭାରତ ଭାଗ ନେଉନଥିଲେ ମଧ୍ୟ ଏହାର ପ୍ରମୁଖ ଅଂଶୀଦାର ହୋଇପାରିଛି। ଏସିଆରୁ ଜାପାନ ଯୋଗ୍ୟତା ଅର୍ଜନ କରିସାରିଥିବା ବେଳେ ହଂକଂ ଏହି ଦୌଡ଼ରେ ରହିଛି। କିସ୍‌ ଉତ୍ସବରେ ଏହାର ସଚିବ ଆର୍‌ ଏନ୍‌ ଦାଶ, ସିଇଓ ଡକ୍ଟର ପିକେ ରାଉତରାୟ, କ୍ରୀଡ଼ା ବିଭାଗ ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର