ନୂଆଦିଲ୍ଲୀ: ମଙ୍ଗଳବାର ସ୍ଥାନୀୟ ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ କ୍ରୀଡ଼ାବିତ୍‌ ଏସୀୟ କ୍ରୀଡ଼ାରେ ୨୮ ସ୍ବର୍ଣ୍ଣ ସହ ୧୦୭ ପଦକ ଜିତି ଐତିହାସିକ ସଫଳତା ପାଇଥିଲେ। ‘୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ମୁଁ ଆପଣମାନଙ୍କୁ (ଆଥ୍‌ଲେଟ୍‌) ସ୍ବାଗତ କରୁଛି। ଅପଣମାନଙ୍କ କଠିନ ପରିଶ୍ରମ ଓ ସଫଳତା ସାରା ଦେଶରେ ଉତ୍ସବର ପରିବେଶ ସୃଷ୍ଟି କରିଛି’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଳାଳିମାନଙ୍କ ସହ ଭାବବିନିମୟ ବେଳେ କହିଛନ୍ତି। ଏଥିସହ ଭାରତ କ୍ରୀଡ଼ା କ୍ଷେତ୍ରରେ ସଠିକ୍‌ ମାର୍ଗରେ ଯାଉଥିବାରୁ ମୋଦୀ ଖୁସି ବ୍ୟକ୍ତ କରିଛନ୍ତ। ‘ଏହି ଏସୀୟ କ୍ରୀଡ଼ାରେ ଭରତର ପଦକ ଦର୍ଶାଉଛି ଯେ ଦେଶ ସଫଳତା ପଥରେ ଆଗଉଛି। ଏପର୍ଯ୍ୟନ୍ତ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ତେଣୁ ଆମେ ଠିକ୍‌ ବାଟରେ ଯାଉଥିବାରୁ ବ୍ୟକ୍ତିଗତ ଭାବେ ମୁଁ ବହୁତ ଖୁସି। ସାରା ଦେଶ ଆପଣମାନଙ୍କ ପାଇଁ ଗର୍ବିତ। ସମସ୍ତ ଟ୍ରେନର ଓ ପ୍ରଶିକ୍ଷକଙ୍କ ସହ ଖେଳାଳିମାନଙ୍କ ଅବିଭାବକମାନଙ୍କୁ ଦେଶ ପକ୍ଷରୁ ଧନ୍ୟବାଦ ଦେଉଛି।

Advertisment

ଆପଣମାନେ ୧୦୦ ଡେଇଁଛ। ଆରଥରକୁ ଏହି ରେକର୍ଡ ଭାଙ୍ଗିପାରିବ। ଆଗାମୀ ପ୍ୟାରିସ ଅଲିମ୍ପିକ୍‌ରେ ନିଜ ନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟା କର। ଆମର ମହିଳା ମଧ୍ୟ ଚମତ୍କାର ପ୍ରଦର୍ଶନ ଦେଇଥିଲେ। ସେମାନେ ଦେଶର ମହିଳା ଶକ୍ତିକୁ ପ୍ରଦର୍ଶନ କରିଥିଲେ। ଏସିଆଡ୍‌ରେ ଅଧା ପଦକ ମହିଳାମାନେ ଜିତିଛନ୍ତି’ ବୋଲି ମୋଦୀ କହିଥିଲେ। କ୍ରୀଡ଼ା ମନ୍ତ୍ରାଳୟର ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମକୁ ଏହି ଅବସରରେ ମୋଦୀ ପ୍ରଶଂସା କରିଥିଲେ। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରୁ ୧୨୫ ଖେଳାଳି ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ ଏବଂ ୪୦ ପଦକ ଜିତିଥିଲେ। ତେଣୁ ଖେଲୋ ଇଣ୍ଡିଆ ସଠିକ୍‌ ଦିଗରେ ଯାଉଛି ଏବଂ ସମସ୍ତ ଖେଳାଳି ସର୍ବକାଳୀନ ଶ୍ରେଷ୍ଠ (ଜିଓଏଟି) ବୋଲି ସେ କହିଥିଲେ।