ଏସୀୟ ଏୟାରଗନ୍‌: ସ୍ବର୍ଣ୍ଣ ପୋଛିନେଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ବନ୍ଧୁକଚାଳକମାନେ ୧୦ ମିଟର ଏୟାର ରାଇଫଲ୍‌ ବର୍ଗରେ ସ୍ବର୍ଣ୍ଣ ପଦକ ପୋଛି ନେଇ ତାଇପେର ତାଓୱାନ୍‌ରେ ଚାଲିଥିବା ଏସୀୟ ଏୟାରଗନ୍‌ ଚାମ୍ପିଅନ୍‌ସିପ୍‌ର ଦ୍ବାଦଶ ସଂସ୍କରଣରେ ନିଜର ଆଧିପତ୍ୟ ଜାରି ରଖିଛି। ଏହି ପ୍ରତିଯୋଗିତାର ପଞ୍ଚମ ଦିବସ ଶେଷ ସୁଦ୍ଧା ମୋଟ ୧୪ରୁ ଏକା ଭାରତୀୟ ପ୍ରତିଯୋଗୀମାନେ ୧୨ ସ୍ବର୍ଣ୍ଣ ପଦକ କରାୟତ କରିନେଇଛନ୍ତି। ଫଳରେ ମୋଟ ପଦକ ତାଲିକାରେ ଭାରତ ଏପର୍ଯ୍ୟନ୍ତ ୧୨ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୨ କାଂସ୍ୟ ଯୋଡ଼ି ସାରିଛି। ରବିବାର ପଞ୍ଚମ ଦିବସରେ ଦେବ୍ୟାଂଶ ସିଂହ ପନ୍‌ଓ୍‌ବାର ଓ ଏଲାଭେନିଲ୍‌ ଭାଲେରିଭାନ୍‌ ଯଥାକ୍ରମେ ୧୦ ମିଟର ଏୟାର ରାଇଫଲ୍‌ ବର୍ଗରେ ପୁରୁଷ ଓ ମହିଳା ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିଥିଲେ। ଏହାପରେ ଉଭୟ ମଧ୍ୟ ଦଳଗତ ବର୍ଗରେ ନିଜ ନିଜର ସାଥୀଙ୍କ ସହ ଦୁଇଟି ସ୍ବର୍ଣ୍ଣ ପଦକ କରାୟତ କରିଥିଲେ। ଏହା ପୂର୍ବରୁ ଶନିବାର ସରବଜୋତ୍‌ ସିଂହ ଓ ଈଶା ସିଂହ ୧୦ ମିଟର ଏୟାର ପିସ୍ତଲ ବର୍ଗ ପୁରୁଷ ଓ ମହିଳା କନିଷ୍ଠ ବର୍ଗରେ ସ୍ବର୍ଣ୍ଣ ଜିତିଥିଲେ। ଏହା ବ୍ୟତୀତ ଅର୍ଜୁନ ଚୀମା ଓ ବିଜୟବୀର ସିଧୁଙ୍କୁ ସାଥୀ କରି ସରବଜୋତ୍‌ କନିଷ୍ଠ ଦଳଗତ ସ୍ବର୍ଣ୍ଣ ପଦକ ମଧ୍ୟ କରାୟତ କରିଥିଲେ। ପୁଣି ଶନିବାର ବିଜୟବୀର ପୁରୁଷ କନିଷ୍ଠ ବର୍ଗରେ ଭାରତ ପାଇଁ କାଂସ୍ୟ ପଦକ ଯୋଡ଼ିଥିଲା ବେଳେ ଈଶା, ହର୍ଷଦା ନିତାଭେ ଓ ଦେବାଂଶୀ ଧାମା ଭାରତ ପାଇଁ ମହିଳା ଦଳଗତ ରୌପ୍ୟ ହାସଲ କରିଥିଲେ। ଏହି ପ୍ରତିଯୋଗିତା ସୋମବାର ଶେଷ ହେବ।

ସମ୍ବନ୍ଧିତ ଖବର