ବ୍ୟାଙ୍କକ୍‌: ଏସୀୟ ‌ଦୌଡ଼କୁଦ ପ୍ରତିଯୋଗିତାରେ ଭାରତ ୨୭ (୬ ସ୍ବର୍ଣ୍ଣ, ୧୨ ରୌପ୍ୟ ଓ ୬ କାଂସ୍ୟ) ପଦକ ସହ ଟେବୁଲର ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ରବିବାର ଶେଷ ଦିନରେ ଭାରତ ଖାତାରେ ୮ ରୌପ୍ୟ ଓ ୫ କାଂସ୍ୟ ସହ ମୋଟ ୧୩ ପଦକ ଯୋଡ଼ି ହୋଇଥିଲା। ଗତ ସଂସ୍କରଣ (୨୦୧୯)ଠୁ ଏହି ସଂସ୍କରରେ ଭାରତ ୧୧ ପଦକ ଅଧିକ ଜିତିଛି। ଏସୀୟ କ୍ରୀଡ଼ା ଆଉ ଦୁଇ ମାସ ଥିବାରୁ ଏହି ସଫଳତା ଭାରତୀୟ ଖେଳାଳିଙ୍କ ମନୋବଳକୁ ବଢ଼ାଇଛି। ପଦକ ଟେବୁଲର ପ୍ରଥମ ଦୁଇ ସ୍ଥାନରେ ଜାପାନ ୩୭ (୧୬ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୧୦ କାଂସ୍ୟ) ଏବଂ ଚୀନ୍‌ ୨୨ (୮ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ) ପଦକ ରହିଛନ୍ତି।

Advertisment

ମହିଳା ସଟ୍‌ପୁଟର ଆଭା ଖଟୁଆ ଜାତୀୟ କୀର୍ତ୍ତିମାନର ସମକକ୍ଷ ହେବା ସହ ରୌପ୍ୟ ପଦକ ଜିତିଥିଲା ବେଳେ ଓଡ଼ିଶା‌ରେ ପ୍ରଶିକ୍ଷଣ ନେଉଥିବା ଜ୍ୟୋତି ୟାରାଜୀ ଓ ପାରୁଲ ଚୌଧୁରୀ ନିଜ ନିଜର ଦ୍ବିତୀୟ ପଦକ କରାୟତ୍ତ କରିଥିଲେ। ନିଜର ଚତୁର୍ଥ ପ୍ରାୟାସରେ ୨୮ ବର୍ଷୀୟା ଖଟୁଆ ୧୮.୬ ମିଟର ସଟ୍‌ପୁଟ୍‌ ଫିଙ୍ଗି ଚୀନ୍‌ର ସୋଙ୍ଗ ଜିଆୟୁଁଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଥିଲେ। ଖଟୁଆଙ୍କ ସମକକ୍ଷ ଜାତୀୟ କୀର୍ତ୍ତିମାନଧାରୀ ଭେ‌ଟେରାନ ମନପ୍ରୀତ କୌର (୧୭ ମିଟର) କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ପ୍ରଥମ ଭାରତୀୟ ଭାବେ ଗୁରୁବାର ଏସୀୟ ଦୌଡ଼କୁଦ‌ ବାଧାଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିବା ୨୩ ବର୍ଷୀୟା ଜ୍ୟୋତି ରବିବାର ୨୦୦ ମିଟର ରୌପ୍ୟ ନିଜ ଖାତାରେ ଯୋଡ଼ିଥିଲେ। ଫାଇନାଲ୍‌ରେ ସେ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୨୩.୧୩ ସେକେଣ୍ଡ ସହ ସିଙ୍ଗାପୁରର ‌ଭରୋନିକା ଶାନ୍ତି ପେରେଇରାଙ୍କ ପଛକୁ ଦ୍ବିତୀୟରେ ରହିଥିଲେ। ଶୁକ୍ରବାର ମହିଳା ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ଦୂରଗାମୀ ଧାବିକା ପାରୁଲ ଚୌଧୁରୀ ୫୦୦୦ ମିଟର ରୌପ୍ୟ ସହ ଏହି ପ୍ରତିଯୋଗିତାରେ ଦ୍ବିତୀୟ ପଦକ ହାତେଇଛନ୍ତି। ସେ ୧୫ ମିନିଟ୍‌ ୫୨.୩୫ ସେକେଣ୍ଡରେ ରେସ୍‌ ଶେ‌ଷ କରିଥିଲେ। ଜାପାନର ୟୁମା ୟାମାମୋତା (୧୫:୫୧.୧୬) ସ୍ବର୍ଣ୍ଣ ପଦକ ଜିତିଥିଲେ। ଅଙ୍କିତା (୧୬:୦୩.୩୩) କାଂସ୍ୟ ଜିତିବାରୁ ଏହି ଇଭେଣ୍ଟ୍‌ରେ ଭାରତକୁ ଦୁଇଟି ପଦକ ମିଳିଥିଲା। ପୁରୁଷ ୫୦୦୦ ମିଟରରେ ଗୁଲବୀର ସିଂହ (୧୩:୪୮.୩୩) କାଂସ୍ୟ ଜିତିଥିଲେ। ପୁରୁଷ ଜାଭଲିନ୍‌ ଥ୍ରୋରେ ଡିପି ମନୁ ଚଳିତ ଋତୁରେ (୮୧.୦୧ ମିଟର) ‌ରୌପ୍ୟ ପାଇଥିଲେ। ଏଥିସହ ୨୩ ବର୍ଷୀୟ ମନୁ ଅଲିମ୍ପିକ୍‌ ବିଜେତା ନୀରଜ ଚୋପ୍ରା (୮୪.୩୩ ମିଟର)ଙ୍କ ପଛକୁ ଚଳିତ ଋତୁରେ ଦ୍ବିତୀୟ ଏସୀୟ ଜାଭଲନ୍‌ ଫିଙ୍ଗାଳି ହେବାର ଗୌରବ ଅର୍ଜନ କରିଛନ୍ତି।

ଜାପାନର ରୋଡେରିକ ଗେଙ୍କି (୮୩.୧୫) ସ୍ବର୍ଣ୍ଣ ଜିତିଥିଲେ। ଆମୋଜ ଜାକବ, ମହମ୍ମଦ ଅଜ୍‌ମାଲ, ମିଜୋ କୁରିଆନ ଚାକୋ ଓ ରାଜେଶ ରମେଶଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ୪ଗୁଣା ୪୦୦ ମିଟର ରିଲେ ଦଳ ରୌପ୍ୟ ପାଇଥିଲା। ଶ୍ରୀଲଙ୍କା (୩:୦୧.୫୬) ପଛକୁ ଭାରତ (୩:୧.୮୦ ସେକେଣ୍ଡ) ଦ୍ବିତୀୟରେ ରହିଥିଲା। ମହିଳା ୪ଗୁଣା ୪୦୦ ମିଟର ରିଲେ ଦଳ ୩:୩୩.୩୭ ସେକେଣ୍ଡ ସହ କାଂସ୍ୟ ପାଇଥିଲେ। ଏହି ଦଳରେ ରେଜୋନା ମଲ୍ଲିକ ହୀନା, ଐଶ୍ବର୍ଯ୍ୟା ମିଶ୍ରା, ଜ୍ୟୋତିକା ଦାଣ୍ଡି ଓ ‌ଶୁଭା ଭେଙ୍କଟେସାନ ରହିଥିଲେ। ଭିଏତନାମ (୩:୩୨.୩୬) ସ୍ବର୍ଣ୍ଣ ଓ ଶ୍ରୀଲଙ୍କା (୩:୩୩.୨୭) କାଂସ୍ୟ ଜିତିଥିଲେ। କିଶନ କୁମାର (୧:୪୫.୮୮) ଓ କେଏମ୍‌ ଚନ୍ଦା (୩:୦୧.୫୮) ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ସହ ପୁରୁଷ ଓ ମହିଳା ୮୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ। ୨୦ କିମି ରେସ୍‌ ୱାକ୍‌ ମହିଳାରେ ପ୍ରିୟଙ୍କା ଗୋସ୍ବାମୀ (୧:୩୪:୨୪) ରୌପ୍ୟ ଏବଂ ପୁରୁଷରେ ବିକାଶ ସିଂହ (୧:୨୯:୩୨) କାଂସ୍ୟ ଜିତିଥିଲେ।