ଗୁମି (ଦକ୍ଷିଣ କୋରିଆ): ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୨୭ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରୁ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଗୁଲବୀର ସିଂହ। ଦ୍ବିତୀୟ ପଦକଟି କାଂସ୍ୟ ରୂପରେ ମିଳିଛି ସର୍ବିନ ସେବାଷ୍ଟିଏନ୍ଙ୍କ ଜରିଆରେ। ପୁରୁଷ ବର୍ଗର ୧୦,୦୦୦ ମିଟର୍ ଦୌଡ଼ରେ ୨୬ ବର୍ଷୀୟ ଗୁଲବୀର ୨୮ ମିନିଟ୍ ୩୮.୬୩ ସେକେଣ୍ଡ୍ ସମୟ ନେଇ ଶୀର୍ଷରେ ରହିଥିଲେ। ଏହା ତାଙ୍କ ପ୍ରଥମ ଏସୀୟ ଦୌଡ଼କୁଦ ପଦକ। ୨୦୨୩ ହଙ୍ଗ୍ଜୁ ଏସୀୟ କ୍ରୀଡ଼ାରେ କାଂସ୍ୟ ଜିତିଥିବା ଗୁଲବୀର ସ୍ବର୍ଣ୍ଣ ଜିତିବା ପରେ ଉଲ୍ଲସିତ ହୋଇପଡ଼ିଥିଲେ। ‘ସମୟ ନିର୍ବିଶେଷରେ ମୋର ଅସଲ ଲକ୍ଷ୍ୟ ଥିଲା ପ୍ରଥମରେ ରହିବା। ଦୌଡ଼ ପାଇଁ ନିର୍ଦ୍ଧାରିତ କୌଶଳକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିପାରିଥିବାରୁ ମୁଁ ବହୁତ ଖୁସି’ ବୋଲି ଗୁଲବୀର୍ ପ୍ରକାଶ କରିଛନ୍ତି। ଏହା ମୋ ବିଶ୍ବ ମାନ୍ୟତାକୁ ଆଗକୁ ନେବ ଏବଂ ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଟୋକିଓ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଟିକେଟ୍ ସମ୍ଭାବନାକୁ ଉଜ୍ବଳ କରିବ’ ବୋଲି ଗୁଲବୀର୍ ଆଶା ପ୍ରକଟ କରିଛନ୍ତି। ଉତ୍ତରପ୍ରଦେଶର ଆଲିଗଡ଼ ଜିଲ୍ଲା ସୀର୍ସାରେ ଏକ କୃଷକ ପରିବାରରେ ଜନ୍ମିତ ଗୁଲବୀର ଚଳିତ ବର୍ଷ ପ୍ରାରମ୍ଭରେ ୨୭.୦୦.୨୨ ଟାଇମିଂ ସହ ଜାତୀୟ ରେକର୍ଡ କରିଥିଲେ।
ମହିଳା ରିଲେରେ ଭାଗନେବେ ଶ୍ରାବଣୀ
ଅନ୍ୟପକ୍ଷରେ ଭାରତ ପାଇଁ ଦ୍ବିତୀୟ ପଦକଟି ମିଳିଛି ୨୦ କିଲୋମିଟର୍ ଚାଲିରୁ। ୧ ଘଣ୍ଟା ୨୧ ମିନିଟ୍ ୧୩.୬୦ ସେକେଣ୍ଡ୍ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟତମ ଭାରତୀୟ ପ୍ରତିଯୋଗୀ ଅନୁ ରାଣୀ ଆଶାଜନକ ପ୍ରଦର୍ଶନ କରିନପାରି ୫୮.୩୦ ମିଟର୍ ଜାଭିଲିନ୍ ଫିଙ୍ଗି ଚତୁର୍ଥ ସ୍ଥାନରେ ରହିଥିଲେ। ପୂର୍ବରୁ ଅନୁରାଣୀ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ଜିତିବା ସହ ଏବେ ଜାତୀୟ ରେକର୍ଡଧାରିଣୀ ଅଛନ୍ତି। ୨୦୨୧ରେ ସେ ୬୪.୨୩ ମିଟର୍ ଫିଙ୍ଗି ଏହି ରେକର୍ଡ କରିଥିଲେ। କିନ୍ତୁ ତୃତୀୟ ଏସୀୟ ପଦକ ଜିତିବାରେ ବିଫଳ ହୋଇଥିଲେ।