ଗୁମି (ଦକ୍ଷିଣ ‌କୋରିଆ): ଚଳିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତର ସ୍ବର୍ଣ୍ଣ ପଦକ ଅଭିଯାନ ଜାରି ରହିଛି। ଶୁକ୍ରବାର ଭାରତୀୟ ଖେଳାଳି ଆଉ ୩ ସ୍ବର୍ଣ୍ଣ ପଦକ ମଧ୍ୟ ଯୋଡ଼ିଛନ୍ତି। ମହିଳା ହାଇଜମ୍ପ୍‌ରେ ପୂଜା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୧.୮୯ ମିଟର୍‌) ସହ ସ୍ବର୍ଣ୍ଣ ପଦକ ଜିତି ନିଜ ନାମରେ ଥିବା ୨୦ ବର୍ଷରୁ କମ୍‌ ଜାତୀୟ ରେକର୍ଡକୁ ପଛରେ ପକାଇଛନ୍ତି। ଭାରତକୁ ମଧ୍ୟ ଦୁଇ ଦଶନ୍ଧି ପରେ ଏହି ଇଭେଣ୍ଟ୍‌ରୁ ସ୍ବର୍ଣ୍ଣ ପଦକ ମିଳିଛି। ବବି ଆଲୟସିସ୍‌ ୨୦୦୦ ମସିହାରେ ସ୍ବର୍ଣ୍ଣ ଏବଂ ୨୦୦୨ ମସିହାରେ ରୌପ୍ୟ ପଦକ ଜିତିଥିଲେ। ଶୁକ୍ରବାର ପୂଜା ମଧ୍ୟ ବରିଷ୍ଠ ମହିଳା ବର୍ଗର ରେକର୍ଡ ପାଇଁ ୧.୯୨ ମିଟର୍‌ ପ୍ରୟାସ କରି ବିଫଳ ହୋଇଥିଲେ। ୨୦୧୨ ମସିହାଠାରୁ ଏହା ସହାନା କୁମାରୀଙ୍କ ନାମରେ ରହିଛି। ପୂଜାଙ୍କ ବ୍ୟତୀତ ଭାରତ ପାଇଁ ଅନ୍ୟ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ ଗୁଲବୀର ସିଂହ (୫୦୦୦ ମିଟର୍ ପୁରୁଷ ‌ଦୌଡ଼) ଏବଂ ନନ୍ଦିନୀ ଅଗସରା (ହେପ୍ଟାଥଲନ୍‌)। ପାରୁଲ ଚୌଧୁରୀ ବି ଜାତୀୟ ରେକର୍ଡ ସହ ରୌପ୍ୟ ପଦକ ଜିତିଛନ୍ତି ୩୦୦୦ ମିଟର୍ ମହିଳା ଷ୍ଟିପଲ୍‌ଚେଜ୍‌ରେ।

Advertisment

ବ୍ୟକ୍ତିଗତ ଭାବେ ଗୁଲବୀର୍ ଗୁମିରେ ଯୁଗଳ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୂର୍ବରୁ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଭାବେ ଗୁଲବୀର ୧୦,୦୦୦ ମିଟର୍ ଦୌଡ଼ ଜିତିଥିଲେ। ଶୁକ୍ରବାର ସେ ୫,୦୦୦ ପୁରୁଷ ଦୌଡ଼ରେ ୧୩ ମିନିଟ୍‌ ୨୪.୭୮ ସେକେଣ୍ଡ୍ ସମୟ ସହ ନୂଆ ଚାମ୍ପିୟନସିପ୍ ରେକର୍ଡ ବି କରିଥିଲେ। ୨୦୧୫ ମସିହାରୁ ଏହି ରେକର୍ଡ ମହମ୍ମଦ ଅଲ୍ ଗର୍ମି (୧୩:୩୪.୪୭)ଙ୍କ ନାମରେ ଥିଲା। ବ୍ୟାଙ୍କକ୍‌ରେ ଅନୁଷ୍ଠିତ ଗତ ସଂସ୍କରଣ ଏସୀୟ ଦୌଡ଼କୁଦରେ ଏହି ଇଭେଣ୍ଟ୍‌ରେ ଗୁଲବୀର କାଂସ୍ୟ ଜିତିଥିଲେ।

୪ ପଦକ ବିଜେତାଙ୍କୁ କିଟ୍‌ର ଅଭିନନ୍ଦନ
ଏସୀୟ ଦୌଡ଼ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ କିଟ୍‌ ବିଶ୍ବବିଦ୍ୟାଳୟର ୪ ଛାତ୍ରଛାତ୍ରୀ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଜ୍ୟୋତି ୟାରାଜୀ ୧୦୦ ମିଟର ବାଧାଦୌଡ଼ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ଧାବିକା ରୁପଲ ଚୌଧୁରୀ (ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ) ଯୁଗଳ ପଦକ କରାୟତ୍ତ କରିଛନ୍ତି। ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ରୌପ୍ୟ ଜିତିଥିବା ପାରୁଲ ମଧ୍ୟ କିଟ୍‌ ବିଶ୍ବବିଦ୍ୟାଳୟ ଛାତ୍ରୀ। କିଟ୍‌ର ଛାତ୍ର ପ୍ରବୀଣ ଚିତ୍ରଭେଲ ପୁରୁଷ ଟ୍ରିପଲ୍‌ ଜମ୍ପ୍‌ରେ ରୌପ୍ୟ ଜିତି ବିଶ୍ବବିଦ୍ୟାଳୟ ନାମକୁ ଆଗକୁ ନେଇଛନ୍ତି। ଏହି ସଫଳତା ଲାଗି କିଟ୍‌, କିସ୍‌ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗର୍ବିତ ହେବା ସହ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଭାରତୀୟ ହେପ୍ଟାଥଲେଟ୍‌ ନନ୍ଦିନୀ ଅଗସରାଙ୍କ ମାଧ୍ୟମରେ ଭାରତ ଶୁକ୍ରବାରର ତୃ୍ତୀୟ ତଥା ଦେଶର ଅଷ୍ଟମ ସ୍ବର୍ଣ୍ଣ ପଦକ ଜିତିଥିଲା। ସୋମା ବିଶ୍ବାସ (୨୦୦୫) ଓ ସ୍ବପ୍ନା ବର୍ମନ (୨୦୧୭)ଙ୍କ ପରେ ତୃତୀୟ ଭାରତୀୟ ହେପ୍ଟାଥଲେଟ୍‌ ଭାବେ ନନ୍ଦିନୀ ଏହି ଗୌରବ ଆଣିଛନ୍ତି। ଶୁକ୍ରବାରର ଅନ୍ତିମ ଇଭେଣ୍ଟ୍‌ ୮୦୦ ମିଟର ଶେଷରେ ନନ୍ଦିନୀ (୮୮୫) ଚୀନର ଲିୟୁ ଜିଙ୍ଗି (୭୫୯)ଙ୍କୁ ପରାସ୍ତ କରିଥିଲେ। ଏହି ଇଭେଣ୍ଟ୍‌ରେ ନନ୍ଦିନୀ ୨୧:୧୫.୫୪ ସମୟ ନେଇଥିବା ବେଳେ ଲିୟୁଙ୍କୁ ୨:୨୪.୮୭ ସମୟ ଲାଗିଥିଲା। ମହିଳା ୩୦୦୦ ମିଟର୍‌ ଷ୍ଟିପଲ୍‌ଚେଜ୍‌ରେ ପାରୁଲ ଚୌଧୁରୀ ୯ ମିନିଟ୍‌ ୧୨.୪୬ ସେକେଣ୍ଡ୍‌ ସହ ଜାତୀୟ ରେକର୍ଡ କରି ରୌପ୍ୟ ଜିତିଛନ୍ତି। ୨୦୨୩ ବ୍ୟାଙ୍କକ୍‌ରେ କିନ୍ତୁ ସେ ସ୍ବର୍ଣ୍ଣ ଜିତିଥିଲେ। ଚଳିତ ମାସରେ ଦୋହା ଡାଏମଣ୍ଡ୍ ଲିଗ୍‌ରେ ପାରୁଲ ୯ ମିନିଟ୍‌ ୧୩.୩୯ ସେକେଣ୍ଡ୍ ସମୟ ସହ ଜାତୀୟ ରେକର୍ଡ କରିଥିବା‌ ବେଳେ ୧୫ ଦିନ ଭିତରେ ପୁଣି ଥ‌ରେ ଏହାକୁ ପଛରେ ପକାଇଛନ୍ତି। କାଜାଖସ୍ତାନ ଯୋଡ଼ି ନୋରାହ ଜେରୁତୋ ତାନୁଇ (୯:୧୦.୪୬) ଓ ଡାଇସି ଜେପକେମେଇ (୯.୨୭.୫୧) ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଥିଲେ।

ଓଡ଼ିଶାର ଅନିମେଷ କୁଜୁର ଶୁକ୍ରବାର ପୁରୁଷ ୨୦୦ ମିଟର୍‌ ଫାଇନାଲ୍‌କୁ ମଧ୍ୟ ଉନ୍ନୀତ ହୋଇଛନ୍ତି। ପ୍ରାରମ୍ଭିକ ରାଉଣ୍ଡରେ ୨୦.୯୮ ସେକେଣ୍ଡ୍‌ ଏବଂ ସେମିଫାଇନାଲ୍‌ରେ ୨୦.୮୧ ସେକେଣ୍ଡ୍‌ ସମୟ ନେଇ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଅନ୍ୟତମ ଓଡ଼ିଆ ଶ୍ରାବଣୀ ନନ୍ଦ ସାମିଲ ଥିବା ମହିଳା ୧୦୦ ମିଟର୍ ରିଲେ ଦଳର ଅଭିଯାନ ମଧ୍ୟ ଶନିବାର ଆରମ୍ଭ ହୋଇଯିବ। ମୋଟ ୮ଟି ଇଭେଣ୍ଟ୍‌ର ଫାଇନାଲ୍‌ରେ ଭାରତୀୟ ଖେଳାଳି ରହିଛନ୍ତି। ଚତୁର୍ଥ ଦିନ ସୁଦ୍ଧା ଭାରତ ୮ ସ୍ବର୍ଣ୍ଣ, ୭ ରୌପ୍ୟ, ୩ କାଂସ୍ୟ ସହ ୧୮ ପଦକ ଜିତି ଦ୍ବିତୀୟ ସ୍ଥାନକୁ ବଜାୟ ରଖିଛି। ଚୀନ ୧୫ ସ୍ବର୍ଣ୍ଣ ସହ ୨୬ ପଦକ ଜିତି ଶୀର୍ଷରେ ଥିବାବେଳେ ଭାରତ ପଛକୁ ଜାପାନ ୪ ସ୍ବର୍ଣ୍ଣ ସହ ୨୪ ପଦକ ଜିତି ତୃତୀୟରେ ରହିଛି।