କ୍ବିଙ୍ଗଡାଓ (ଚୀନ୍): ଚଳିତ ଏସୀୟ ବ୍ୟାଡ୍ମିଣ୍ଟନ ଦଳଗତ ପ୍ରତିଯୋଗିତାର ଗୁରୁବାର ନିଜର ଦ୍ବିତୀୟ ମ୍ୟାଚ୍ରେ ଭାରତ ୨-୩ରେ କୋରିଆଠୁ ହାରିଯାଇଛି। ତେବେ ପୂର୍ବରୁ ନିଜର ପ୍ରଥମ ମ୍ୟାଚ୍ରେ ୫-୦ରେ ମକାଉକୁ ହରାଇଥିବା ଭାରତ ଗ୍ରୁପ୍-ଡି’ରେ ଦ୍ବିତୀୟ ସ୍ଥାନରେ ରହି କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛି। ଗୁରୁବାର ମିଶ୍ରିତ ଯୁଗଳରେ ଧ୍ରୁବ କପିଳ ଓ ତନିଷା କ୍ରଷ୍ଟୋ ୨୧-୧୧, ୧୨-୨୧, ୧୫-୨ରେ କୋରିଆର ଜୁ କି ଡନ୍ଙ୍କଠୁ ଏବଂ ମହିଳା ଏକକରେ ମାଳବିକା ବଂଶୁଦ ୯-୨୧, ୧୦-୨୧ରେ ୟୁ ଜିନ୍ ସିମ୍ଙ୍କଠୁ ହାରିଯିବାରୁ ଭାରତ ୦-୨ରେ ପଛରେ ରହିଥିଲା।
ପୁରୁଷ ଏକକରେ ସତୀଶ କୁମାର କରୁଣାକରନ ୧୭-୨୧, ୨୧-୧୮, ୨୧-୧୯ରେ ଚୋ ଜିଓନିଓପ୍ଙ୍କୁ ଏବଂ ମହିଳା ଯୁଗଳରେ ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ୧୯-୨୧, ୨୧-୧୬, ୨୧-୧୧ରେ କିମ୍ ମିନ୍ ଜି ଓ କିମ୍ ୟୁ ଜୁଙ୍ଗ୍ଙ୍କୁ ହରାଇ ସ୍ଥିତି ୨-୨ କରିବା ସହ ଭାରତ ପାଇଁ ଆଶା ସଞ୍ଚାର କରିଥିଲେ। ହେଲେ ନିର୍ଣ୍ଣାୟକ ତଥା ପଞ୍ଚମ ମୁକାବିଲାରେ ପୁରୁଷ ଯୁଗଳ ଯୋଡ଼ି ଏମ୍ଆର୍ ଅର୍ଜୁନ ଓ ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ୧୪-୨୧, ୧୫-୨୩ରେ ସୁଙ୍ଗ ସିଉଙ୍ଗ ଓ ଜିନ୍ ୟଙ୍ଗଠୁ ହାରିଯିବାରୁ ଭାରତ ବିଜୟ ହାତଛଡ଼ା କରିଥିଲା।