ଦୁବାଇ: ଦୁବାଇରେ ଆୟୋଜିତ ଏସୀୟ ମୁଷ୍ଟିଯୁଦ୍ଧର ପୁରୁଷ ବର୍ଗରେ ସୋମବାର ୩ଜଣ ଭାରତୀୟ ସ୍ବର୍ଣ୍ଣ ପଦକ ଦୌଡ଼ରେ ଥିଲେ। ସେମାନଙ୍କ ମଧ୍ୟରୁ ଗତଥରର ବିଜେତା ଅମିତ ପଙ୍ଘଲ ୫୨ କିଲୋଗ୍ରାମରେ ବିଶ୍ବ ଓ ଅଲିମ୍ପିକ୍ସ ବିଜେତା ଉଜବେକିସ୍ତାନର ଶାଖୋବିଦିନ ଜୋଇରୋଭଙ୍କଠାରୁ ୨-୩ରେ ହାରିଯାଇଥିଲେ। ସେହିଭଳି ଶିବ ଥାପ୍ପା ମଧ୍ୟ ମଙ୍ଗୋଲିଆର ବାତରସୁଖ ଚିଞ୍ଜୋରିଗଙ୍କଠାରୁ ସମାନ ବ୍ୟବଧାନରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ତେବେ ପ୍ରଥମ ଭାରତୀୟ ଭାବେ ସେ ଏହି ପ୍ରତିଯୋଗିତାରେ ଲାଗାତାର ୫ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ୯୧ କିଲୋଗ୍ରାମରେ ସଂଜିତ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଭାସେଲି ଲେଭିଟଙ୍କୁ ଧରାଶାୟୀ କରି ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ।
ମହିଳାଙ୍କୁ ଶତପ୍ରତିଶତ ସଫଳତା
ଭାରତୀୟ ମହିଳା ଦଳ ଏହି ପ୍ରତିଯୋଗିତାରେ ଶତପ୍ରତିଶତ ସଫଳତା ହାସଲ କରିଛି। ଏହି ପ୍ରତିଯୋଗିତାରେ ଭାରତରୁ ୧୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲା ବେଳେ ସମସ୍ତେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ଭାରତୀୟ ମହିଳା ଦଳ ବିଭିନ୍ନ ଓଜନ ବର୍ଗରେ ଗୋଟିଏ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୬ କାଂସ୍ୟ ସହ ମୋଟ ୧୦ ପଦକ ପାଇଥିଲା। ପୂଜା ରାଣୀ (୭୫ କେଜି) ସ୍ବର୍ଣ୍ଣ ଜିତିଥିଲା ବେଳେ ଏମ୍ସି ମେରିକମ୍ (୫୧ କେଜି), ଲାଲବୁଆଟସାହି (୬୪ କେଜି) ଓ ଅନୁପମା (୮୧+ କେଜି) ଫାଇନାଲ୍ରେ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ହେଲେ ଏହି ୩ ଜଣ ୨-୩ କମ୍ ବ୍ୟବଧାନରେ ହାରି ଯାଇଥିଲେ। ସେମିଫାଇନାଲ୍ରେ ବାଇ ପାଇ ଫାଇନାଲ୍ରେ ପହଞ୍ଚିଥିବା ପୂଜା ସ୍ବର୍ଣ୍ଣ ଲଢ଼େଇରେ ୱାର୍କଓଭର ପାଇଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା ଭାରତରେ ହେବାର ଥିଲା ହେଲେ କରୋନା ଯୋଗୁଁ ଏହା ଦୁବାଇକୁ ସ୍ଥାନାନ୍ତରିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/sanjita.jpg)
