ଚେନ୍ନାଇ: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଅପରାଜେୟ ଥିବା ଆୟୋଜକ ଭାରତ ଶୁକ୍ରବାର ସେମିଫାଇନାଲ୍ରେ ଗତ ଥରର ଉପବିଜେତା ଜାପାନକୁ ଭେଟିବ। ଏହି ମ୍ୟାଚ୍ ରାତି ୮.୩୦ରେ ଖେଳାଯିବ। ଅନ୍ୟଏକ ସେମିଫାଇନାଲ୍ରେ ସଂଧ୍ୟା ୬ଟାରେ ଲିଗ୍ ପର୍ଯ୍ୟାୟର ଦ୍ବିତୀୟ-ତୃତୀୟ ଦଳ ମାଲେସିଆ -ଦକ୍ଷିଣ କୋରିଆ ମୁହାଁମୁହିଁ ହେବେ।
ଲିଗ୍ ପର୍ଯ୍ୟାୟରେ ଘରୋଇ ଦଳ କେବଳ ଜାପାନ ସହ ୧-୧ରେ ଅମୀମାଂସିତ ରଖିଥିଲା ବେଳେ ଅନ୍ୟ ସମସ୍ତ ମ୍ୟାଚ୍ ଜିତିଥିଲା। ଏଥିସହ ଭାରତ ୧୩ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହି ସେମିଫାଇନାଲ୍ରେ ପହଞ୍ଚିଥିଲା। ଜାପାନ ବିପକ୍ଷ ଲିଗ୍ ମ୍ୟାଚ୍ ଭୁଲ୍କୁ ସେମିଫାଇନାଲ୍ରେ ଭାରତ ନ ଦୋହରାଇବାକୁ ଚେଷ୍ଟା କରିବ। ପୂରା ୬୦ ମିନିଟ୍ର ଖେଳରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଦଳ ଦବ୍ଦବା ଜାରି ରଖିବାକୁ ଚାହିବ। ବିଶ୍ବ ମାନ୍ୟତାରେ ଭାରତ ଚତୁର୍ଥରେ ଥିଲା ବେଳେ ଜାପାନ ୧୯ରେ ରହିଛି। କିନ୍ତୁ ଢାକାରେ ଖେଳାଯାଇଥିବା ୨୦୨୧ ସଂସ୍କରଣର ସେମିଫାଇନାଲ୍ରେ ଭାରତକୁ ମାତ୍ ଦେଇ ଥିଲା ଜାପାନ। ହେଲେ ଲିଗ୍ ପର୍ଯ୍ୟାୟରେ ଭାରତ ୬-୦ ଗୋଲ୍ରେ ଜାପାନକୁ ହରାଇଥିଲା। ସେମିରେ ଅପ୍ରତ୍ୟାଶିତ ଭାବେ ୩-୫ରେ ପରାଜୟ ବରଣ କରି ଫାଇନାଲ୍ରୁ ବଞ୍ଚିତ ହୋଇଥିଲା ୩ ଥର ବିଜେତା ଭାରତ। ଏହାର ମଧୁର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଭାରତ।
ଚଳିତ ପ୍ରତିଯୋଗିତାରେ ଭାରତ ସର୍ବାଧିକ (୨୦) ଗୋଲ୍ ଦେଇଛି। କିନ୍ତୁ ଜାପାନ ବିପକ୍ଷ ପୂର୍ବ ମ୍ୟାଚ୍ରେ ୧୫ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଦଳ କେବଳ ଗୋଟିଏ ଗୋଲ୍ କରିପାରିବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା। ଶୁକ୍ରବାର ଏହି ସମାନ ବିପକ୍ଷ ଦଳରେ ଖେଳିବାକୁ ଯାଉଥିବାରୁ ଏଥିରେ ଉନ୍ନତି ଆଣିବାକୁ ଚେଷ୍ଟା କରିବ। ବୁଧବାର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୪-୦ ଗୋଲ୍ରେ ହରାଇଥିବାରୁ ଭାରତର ମନୋବଳ ଦୃଢ଼ ରହିଛି। ‘‘ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଆମେ ପ୍ରତି କ୍ବାର୍ଟରରେ ସୁନ୍ଦର ପ୍ରଦର୍ଶନ କରିଥିଲୁ। ଏହି ସମାନ ପନ୍ଥା ଜାପାନ ବିପକ୍ଷରେ ଅପଣେଇବୁ ଏବଂ ପୂରା ମ୍ୟାଚ୍ରେ ସ୍ଥିରତା ବଜାୟ ରଖିବାକୁ ଚେଷ୍ଟାକରିବୁ’’ ବୋଲି କହିଛନ୍ତି ଭାରତର ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ।
ଅନ୍ୟପକ୍ଷରେ ଜାପାନ ଲିଗ୍ ପର୍ଯ୍ୟାୟରେ ଗୋଟିଏ ବିଜୟ (ଚୀନ୍ ବିପକ୍ଷ) ପାଇଥିଲା ବେଳେ ଦୁଇ ଥର ଲେଖାଏଁ ପରାଜୟ ଓ ଅମୀମାଂସିତ ରଖିଥିଲା। ଫଳରେ ଏହି ଦଳ ପାକିସ୍ତାନ ସହ ସମାନ ୫ ପଏଣ୍ଟ ପାଇଥିଲା। କିନ୍ତୁ ଗୋଲ୍ ବ୍ୟବଧାନରେ ପାକିସ୍ତାନକୁ ପଛରେ ପକାଇ ଚତୁର୍ଥ ସ୍ଥାନ ସହ ସେମିଫାଇନାଲ୍ରେ ପହଞ୍ଚିଥିଲା। ଉଭୟ ଦଳ ମୋଟ ୩୨ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୨୭ ଥର ଭାରତ ଏବଂ ୩ ଥର ଜାପାନ ଜିତିଥିଲା ବେଳେ ଅନ୍ୟ ଦୁଇଟି ଅମୀମାଂସିତ ରହିଥିଲା। ଏସିଆ କପ୍ ୨୦୨୨ରେ ୫-୨, ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୧ରେ ୫-୩ ଓ ୨୦୧୩ରେ ୨-୧ରେ ଭାରତ ବିପକ୍ଷରେ ଜାପାନ ବିଜୟୀ ହୋଇଥିଲା।