କୁଆଲାଲୁମ୍ପୁର: କରୋନା ମହାମାରୀ କାରଣରୁ ଏକାଧିକ ଥର ସ୍ଥଗିତ ରହିଥିବା ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତା ଶେଷରେ ଆୟୋଜନ ହେବ। ଢାକାରେ ଚଳିତ ବର୍ଷ ଅକ୍ଟୋବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ବାଂଲାଦେଶ ଏହି ପ୍ରତିଯୋଗିତାକୁ ଆୟୋଜନ କରିବ ବୋଲି ଏସୀୟ ହକି ଫେଡେରେସନ୍ (ଏଏଚ୍ଏଫ୍) ସଂଘ କହିଛି। କରୋନା ସଂକ୍ରମଣ ଯୋଗୁଁ ଏଏଚ୍ଏଫ୍ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗିତାକୁ ଦୁଇ ଥର ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା। ତେବେ କରୋନା ମହାମାରୀ ସ୍ଥିତି ସୁଧୁରିଲା ପରେ ପଡ଼ିଆକୁ ହକିକୁ ଫେରାଇ ଆଣିବା ପାଇଁ ଆମର ଯେଉଁ ଲକ୍ଷ୍ୟ ରହିଥିଲା ତାହା ଏବେ ସମ୍ଭବ ହେବାକୁ ଯାଉଛି। ପୁରୁଷଙ୍କ ପ୍ରତିଯୋଗିତା ପାଇଁ ପୁନଃସୂଚୀ ଘୋଷଣା କରୁଛୁ।
ଏହି ଷଷ୍ଠ ସଂସ୍କରଣ ଅକ୍ଟୋବରରେ ଆୟୋଜିତ ହେବ ବୋଲି ଏଏଚ୍ଏଫ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ତାୟବ ଇକ୍ରାମ କହିଛନ୍ତି। ଏନେଇ ବାଂଲାଦେଶ ହକି ସଂଘ ସ୍ପଷ୍ଟ କରିଥିଲା ବେଳେ ଆନ୍ତର୍ଜାତିକ ହକି ସଂଘ (ଏଫ୍ଆଇଏଚ୍) ଅନୁମୋଦନ ଦେଇଛି। ଏହି ସଂସ୍କରଣରେ ଜାପାନ, ଭାରତ, ପାକିସ୍ତାନ, କୋରିଆ, ମାଲେସିଆ ସହ ଆୟୋଜକ ବାଂଲାଦେଶ ଦଳ ପ୍ରତିଦ୍ବନ୍ଦ୍ବିତା କରିବେ।