ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟରେ ଚେନ୍ନାଇରେ ହେବାକୁ ଥିବା ସପ୍ତମ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଖେଳିବାକୁ ପାକିସ୍ତାନ ଓ ଚୀନ ସହମତି ଦେଇଛନ୍ତି। ଅଗଷ୍ଟ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚେନ୍ନାଇର ଏସ୍‌ଡିଏଟି-ମେୟର ରାଧାକ୍ରିଷ୍ଣନ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ତାମିଲନାଡୁ ହକି ସଂଘ (ଏଚ୍‌ୟୁଟିଏନ୍‌) ସଭାପତି ଜେ. ଶେଖର ମନୋହରନ୍‌ କହିଛନ୍ତି ଯେ, ଉକ୍ତ ଦୁଇ ଦଳଙ୍କ ଅଂଶଗ୍ରହଣ ଉପରେ କିଛି ଦିନ ହେବ ଆଶଙ୍କା ଲାଗି ରହିଥିଲା। ତେବେ ସେମାନେ ତାଙ୍କର ସହମତି ଜଣାଇ ସାରିଛନ୍ତି। ‌

Advertisment

ଦଳମାନଙ୍କର ଅଭ୍ୟାସ ପାଇଁ ଷ୍ଟାଡିୟମ୍‌ ସଂଲଗ୍ନ ଟେନିସ୍‌ କୋର୍ଟକୁ ଚିହ୍ନଟ କରାଯାଇଛି। ଷ୍ଟାଡିୟମ୍‌ ପରିସରରେ ଥିବା ଚାରିଟି ଟେନିସ୍‌ କୋର୍ଟକୁ ଏପର୍ଯ୍ୟନ୍ତ ବ୍ୟବହାର କରାଯାଇନାହିଁ। ତେଣୁ ସେଗୁଡ଼ିକୁ ହକି ଅଭ୍ୟାସ ଟର୍ଫରେ ପରିଣତ କରାଯିବ। ମେ ମାସ ବେଳକୁ ଆମେ ଏଥିପାଇଁ କାମ ଆରମ୍ଭ କରିଦେବୁ ବୋଲି ମନୋହରନ୍‌ କହିଛନ୍ତି।

ସୂଚନା ଅନୁଯାୟୀ, ଯଦି କୌଣସି ସହର ଆନ୍ତର୍ଜାତିକ ହକି ଇଭେଣ୍ଟ ଆୟୋଜନ କରେ, ତାହେଲେ ସେଠାରେ ଅଭ୍ୟାସ ଟର୍ଫ ରହିବା ଏକ ମୌଳିକ ଆବଶ୍ୟକତା। ତେବେ ତାମିଲନାଡୁ କ୍ରୀଡ଼ା ଉନ୍ନୟନ ପ୍ରାଧିକରଣ ଅଧିକାରୀଙ୍କ ସହ ହକି ଇଣ୍ଡିଆ ଓ ଏଚ୍‌ୟୁଟିଏନ୍‌ର ଅଧିକାରୀମାନେ ଓଡ଼ିଶାର ରାଉରକେଲା ଓ ଭୁବନେଶ୍ବରରେ ଥିବା ହକି ଷ୍ଟାଡିୟମ୍‌ ବୁଲି ଦେଖିଛନ୍ତି। ଏଠାରେ ବିଶ୍ବକପ୍‌ ଓ ପ୍ରୋ ଲିଗ୍‌ ଆୟୋଜନ ହୋଇଥିବାରୁ ଏକ ଆନ୍ତର୍ଜାତିକ ଇଭେଣ୍ଟ ଆୟୋଜନ ପୂର୍ବରୁ କ’ଣ କ’ଣ ବ୍ୟବସ୍ଥା କରିବାକୁ ହେବ ତାହା ପରଖିଥିଲେ। ଆଗକୁ ଚେନ୍ନାଇ ଭାରତର ପ୍ରଥମ ସହର ଭାବେ ଏସୀୟ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଭାରତ ସମେତ ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ଚୀନ୍‌ ଓ ପାକିସ୍ତାନ ଅଂଶଗ୍ରହଣ କରିବେ।