ଭୁବନେଶ୍ୱର: ବାରମ୍ବାର ଅଟକିଯିବା ପରେ ଶେଷକୁ ବ୍ୟାଙ୍କକ୍ ହୋଇଥିଲା ଆୟୋଜକ। ବାସ୍ତବରେ ୧୯୭୮ ମସିହାର ଏସୀୟ କ୍ରୀଡ଼ା ସିଙ୍ଗାପୁରରେ ଆୟୋଜନ ଲାଗି ଅଧିକାର ପ୍ରଦାନ କରାଯାଇଥିଲା। ଆର୍ଥିକ ସମସ୍ୟା କାରଣରୁ କିନ୍ତୁ ସିଙ୍ଗାପୁର ଓହରିଯାଇଥିଲା। ଏହା ପରେ ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ଏହା କରାଇବା ପାଇଁ ଏସୀୟ କ୍ରୀଡ଼ା ସଂଘ ସହମତି ପ୍ରକାଶ କରିଥିଲେ। କିନ୍ତୁ ବାଂଲାଦେଶ ଏବଂ ଭାରତ ସହିତ କୁଟନୈତିକ ସମ୍ପର୍କ ଖରାପ କାରଣରୁ ଇସ୍ଲାମାବାଦକୁ ମଧ୍ୟ ବାଦ୍ ଦେବାକୁ ପଡ଼ିଥିଲା। ଶେଷରେ ଥାଇଲାଣ୍ଡ୍ ଆଗେଇ ଆସିଥିଲା ଏବଂ ୧୨ ବର୍ଷ ଭିତରେ ତୃତୀୟ ଥର ଆୟୋଜକ ପାଲଟି ନୂଆ କୀର୍ତିମାନ କରିଥିଲା। ୧୯୬୬ ଏବଂ ୧୯୭୦ରେ ଲଗାତାର ଏହି ଥାଇଲାଣ୍ଡ୍ ସହର ସଫଳତାର ସହ ଆୟୋଜକ ହୋଇଥିଲା। ଏଣୁ ଭିତ୍ତିିଭୂମୀ ପ୍ରସ୍ତୁତ ଥିବାରୁ ବ୍ୟାଙ୍କକ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥିଲା। ଅଷ୍ଟମ ସଂସ୍କରଣ ଡିସେମ୍ବର ୯ରୁ ୨୦ ତାରିଖ ପର୍ଯ୍ୟନ୍ତ ସୁଫାଚଲସାଇ ଷ୍ଟାଡିୟମ୍ରେ ସମ୍ପନ୍ନ ହୋଇଥିଲା। ପୂର୍ବ ଦୁଇ ଥର ଭଳି ଥାଇ ସମ୍ରାଟ ଭୂମୀବୋଲ ଅଦୁଲ୍ୟଦେଜ ଏହାକୁ ଉଦ୍ଘାଟନ କରିଥିଲେ। ରାଜନୈତିକ କାରଣରୁ ଇସ୍ରାଏଲ୍କୁ ପୁଣି ନିଲମ୍ବିତ କରାଯାଇଥିଲା। ଇରାନରେ ରାଜନୈତିକ ଉତ୍ତେଜନା ଲାଗି ରହିଥିବାରୁ ଏହି ଦେଶ ମଧ୍ୟ ଭାଗ ନେଇନଥିଲା। କିନ୍ତୁ ଜଣେମାତ୍ର ପ୍ରତିନିଧି ପଠାଇ ସମର୍ଥନ ଜାରି ରଖିଥିଲା। ୨୫ ଦେଶରୁ ୩୮୪୨ ଖେଳାଳି ଆସି ୧୯ ଖେଳ ଓ ୧୯୯ ଇଭେଣ୍ଟ୍ରେ ନିଜକୁ ସାମିଲ କରିଥିଲେ। ପ୍ରଥମ ଥର ପାଇଁ ମଧ୍ୟ ସାମିଲ ହୋଇଥିଲା ତୀରନ୍ଦାଜୀ ଏବଂ ବୋଲିଂ। ପ୍ରତିଯୋଗିତା ମଇଦାନରେ କିନ୍ତୁ ଜାପାନ ଶୀର୍ଷ ସ୍ଥାନ ବଜାୟ ରଖିଥିଲେ ମଧ୍ୟ ଚୀନ ଟକ୍କର ଦେବା ଆରମ୍ଭ କରିଥିଲା। ଜାପାନ ୭୦ ସ୍ୱର୍ଣ୍ଣ, ୫୯ ରୌପ୍ୟ, ୪୯ କାଂସ୍ୟ ସହିତ ମୋଟ ୧୭୮ ପଦକ ଜିତିଥିଲା। ଚୀନ ୫୧ ସ୍ୱର୍ଣ୍ଣ, ୫୪ ରୌପ୍ୟ, ୪୬ କାଂସ୍ୟ ସହିତ ମୋଟ ୧୫୧ ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା। ଦକ୍ଷିଣ କୋରିଆ (୧୮+୨୦+୩୧), ଉତ୍ତର କୋରିଆ (୧୫+୧୩+୧୫), ଥାଇଲାଣ୍ଡ୍ (୧୧+୧୨+୧୯) ତଳକୁ ରହି ଭାରତ (୧୧+୧୧+୬) ଷଷ୍ଠ ସ୍ଥାନକୁ ଉଠିଥିଲା। ଇଣ୍ଡୋନେସିଆ, ପାକିସ୍ତାନ, ଫିଲିପାଇନ୍ସ ଏବଂ ଇରାକ୍ ପରବର୍ତୀ ୪ ସ୍ଥାନରେ ରହି ଶୀର୍ଷ ୧୦ ସମ୍ପୂର୍ଣ୍ଣ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp