ଘରବାଡ଼ି ନୁହେଁ; ଦେଶ ପାଇଁ ସ୍ୱର୍ଣ୍ଣ ଜିତିଥିବା ସୁନା ଝିଅ ଚାହାନ୍ତି ବାସ୍‌ ପାଦ୍‌କୁ ଫିଟ୍‌ ହେବା ପରି ଜୋତା

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଚାଲୁଥିବା ‘ଏସିଆନ୍‌ ଗେମ୍‌ସ’ର ଏକାଦଶ ଦିବସରେ ଭାରତ ତା’ର ବିଜୟ ପ୍ରକ୍ରିୟା ଜାରି ରଖିଛି। ଦେଶର ଗୌରବ ସାଜିଥିବା ସ୍ୱପ୍ନା ବର୍ମନ ଓ ଅର୍ପିନ୍ଦର ସିଂହ ହେପ୍‌ଟାଥଲନ ଓ ଟ୍ରିପଲ୍‌ ଜମ୍ପ୍‌ରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ଫଳରେ ଭାରତ ଏବେ ସମୁଦାୟ ୧୧ଟି ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି।

ହେପ୍‌ଟାଥଲନରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ପଶ୍ଚିମବଙ୍ଗର ଘୋଷପରା ଗ୍ରାମର ୨୧ ବର୍ଷୀୟା ସ୍ୱପ୍ନା ଇତିହାସ ରଚିଛନ୍ତି। ‘ଏସିଆନ୍‌ ଗେମ୍‌ସ’ରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ତାଙ୍କ ପୂର୍ବରୁ ୨୦୦୨ ଏସିଆନ୍‌ ଗେମ୍‌ସରେ ସୋମା ବିଶ୍ୱାସ ପ୍ରଥମ ରୌପ୍ୟ ପଦକ ଜିତିଥିଲେ।

ସ୍ୱପ୍ନାଙ୍କ ବିପକ୍ଷରେ ଖେଳୁଥିଲେ ଚୀନର ଓ୍ଵାଙ୍ଗ୍‌ କୁଇଙ୍ଗ୍‌ଲିଂ। ୭୨ ପଏଣ୍ଟ୍‌ ହାତେଇ କେଳ ଜିତିବା ଦିବ୍ୟାଙ୍ଗ୍‌ ସ୍ୱପ୍ନାଙ୍କ ପାଇଁ କିଛି ଛୋଟ କଥା ନଥିଲା।ଆପଣ ହୁଏତ ଜାଣନ୍ତି ନାହିଁ, ସାଧାରଣ ମଣିଷଙ୍କ ପରି ସ୍ୱପ୍ନାଙ୍କ ପାଦ ୫ ଆଙ୍ଗୁଠି ବିଶିଷ୍ଟ ନୁହେଁ। ତାଙ୍କ ଦୁଇ ପାଦର ଆଙ୍ଗୁଠି ସଂଖ୍ୟା ଛଅ+ଛଅ ମିଶି ବାର। ଏଥିପାଇଁ ତାଙ୍କୁ ଅନେକ୍‌ ଜୋତା ଫିଟ୍‌ ହୁଏ ନାହିଁ।

ଏ ନେଇ ସ୍ୱପ୍ନା କହନ୍ତି ଯେ ପାଦକୁ ଠିକ୍‌ ଭାବେ ଜୋତା ହେଉନଥିବାରୁ ସେ ପ୍ରଶିକ୍ଷଣ ସମୟରେ ଖୁବ୍‌ ଯନ୍ତ୍ରଣା ଅନୁଭବ କରନ୍ତି। ତାଙ୍କର ଏହି ସମସ୍ୟାରୁ ନିଜକୁ ମୁକ୍ତି କରିବା ପାଇଁ ସେ ସ୍ୱର୍ଣ୍ଣ ପଦକ ପାଇବା ପରେ ନିଜ ଏକ ଇଚ୍ଛା ଜାହିର୍‌ କରିଛନ୍ତି। ଯଦି ତାଙ୍କ ପାଦ ମୁତାବକ ଜୋତା ତିଆରି କରାଯାଇ ତାଙ୍କୁ ପ୍ରଦାନ କରାଯାଏ ତେବେ ସେ ଖେଳିବା ପାଇଁ ଆହୁରି ସହଜ ମନେ କରିବେ।

ଜଣେ ରିକ୍ସା ଚାଳକଙ୍କ ଗରିବ ଝିଅ ସ୍ୱପ୍ନା ଏକ ସାକ୍ଷାତ୍‌କାରରେ କହନ୍ତି, ‘ ମୁଁ ଜାତୀୟ ଖେଳ ଦିବସରେ ଏହି ପଦକ ଜିତିଥିବାରୁ ଏହା ମୋ ପାଇଁ ସ୍ୱତନ୍ତ୍ର। ମାତ୍ର ସାଧାରଣତ ପାଞ୍ଚ ଆଙ୍ଗୁଠିର ପାଦ ପାଇଁ ତିଆରି କରାଯାଉଥିବା ଜୋତି ପିନ୍ଧି ଖେଳୁଥିବାରୁ ମୁଁ ବହୁ କଷ୍ଟ ଅନୁଭବ କରୁଛି।’

ଉଲ୍ଲେଖଯୋଗ୍ୟ, ଏବେ ସୁଦ୍ଧା ଭାରତ ସମୁଦାୟ ୧୧ଟି ସ୍ୱର୍ଣ୍ଣ ପଦକ, ୨୦ଟି ରୌପ୍ୟ ପଦକ, ୨୩ଟି ବ୍ରୋଞ୍ଜ ପଦକ ହାତେଇ ସାରିଛି।

ସମ୍ବନ୍ଧିତ ଖବର