ଏସୀୟ କ୍ରୀଡ଼ା: ଭାରତୀୟ ଖେଳାଳିଙ୍କୁ ଏପର୍ଯ୍ୟନ୍ତ ମିଳି ନାହିଁ ଦୈନିକ ଭତ୍ତା

ପାଲେମବାଙ୍ଗ: ଏସୀୟ କ୍ରୀଡ଼ା ସମୟରେ ପାଲେମବାଙ୍ଗରେ ପ୍ରତିଯୋଗିତା ପାଖାପାଖି ଶେଷ ହେବାକୁ ବସିଲାଣି କିନ୍ତୁ ଭାରତୀୟ ଖେଳାଳିମାନଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କର ୫୦ ଡଲାର ଦୈନିକ ଭତ୍ତା ମିଳି ନାହିଁ। ଜାତୀୟ ଗଣମାଧ୍ୟମ ପକ୍ଷରୁ ଭାରତୀୟ ଦଳର ଜଣେ ଅଧିକାରୀଙ୍କୁ ଏବାବଦରେ ପଚରାଯିବାରୁ ସେ ଏହା ସ୍ପଷ୍ଟ କରିଛନ୍ତି। ୧୮ତମ ଏସୀୟ କ୍ରୀଡ଼ାରେ ପାଲେମବାଙ୍ଗ ଟେନିସ ଓ ସୁଟିଙ୍ଗ୍‌ ପାଇଁ ଆୟୋଜନର ସ୍ଥଳ ହୋଇଛି। ଏଠାରେ ଟେନିସରେ ଭାରତୀୟ ଖେଳାଳିମାନଙ୍କର ସମସ୍ତ ପ୍ରତିଯୋଗିତା ଶେଷ ହୋଇ ଯାଇଥିବା ବେଳେ ସୁଟିଙ୍ଗ ପ୍ରତିଯୋଗିତା ରବିବାର ଶେଷ ହେବ।

ଉଭୟ ଖେଳରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରି ଦେଶକୁ ଏପର୍ଯ୍ୟନ୍ତ ମିଳିଥିବା ୬ ସ୍ୱର୍ଣ୍ଣ ପଦକରୁ ୩ଟି ସ୍ୱର୍ଣ୍ଣ ପାଲେମବାଙ୍ଗରେ ଜିତିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ଦୈନିକ ଭତ୍ତା ଦିଆଯାଇ ନାହିଁ। ଅଧିକାଂଶ ଟେନିସ ଖେଳାଳି ଓ ସୁଟର ନିଜର ଅନ୍ୟ ପ୍ରତିଯୋଗିତା ପାଇଁ ଏଠାରୁ ଫେରି ଆସିଛନ୍ତି। ସୁଟର ଦକ୍ଷିଣ କୋରିଆର ଚାଙ୍ଗଭୋନରେ ବିଶ୍ୱ ଚାମ୍ପିଅନସିପ୍‌ରେ ଭାଗ ନେବା ପାଇଁ ଯାଉଛନ୍ତି। ସେହିପରି ଯୁଗଳରେ ସ୍ୱର୍ଣ୍ଣ ପଦକ ଆଣିଥିବା ରୋହନ ବୋପାନ୍ନା ଓ ଦିଭିଜ ଶରଣଙ୍କ ଯୋଡ଼ି ନ୍ୟୁୟର୍କରେ ଆମେରିକା ଓପନ ଟେନିସରେ ଭାଗ ନେବେ। ସମସ୍ତ ଖେଳାଳିଙ୍କୁ ଫୋରେକ୍ସ କାର୍ଡ ଦିଆଯାଇଛି କିନ୍ତୁ ଟଙ୍କା ଜମା ହୋଇ ନାହିଁ।

ଭାରତୀୟ ଅଲମ୍ପିକ ସଂଘ ତରଫରୁ ଏସୀୟ କ୍ରୀଡ଼ାରେ ଦେଶର ଦଳ ମୁଖ୍ୟ ଏସ୍‌ କୁଶବାହ ଗଣମାଧ୍ୟମକୁ କହିଛନ୍ତି ଫୋରେକ୍ସ କାର୍ଡ ଖୁବ୍‌ ଶୀଘ୍ର କାମ କରିବ।

ସମ୍ବନ୍ଧିତ ଖବର