ହାଙ୍ଗ୍ଚୌ: ଚୀନ୍ର ହାଙ୍ଗ୍ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ୧୦ ମିଟର୍ ଏୟାର୍ ପିସ୍ତଲ୍ ଟିମ୍ ପ୍ରତିଯୋଗିତାରେ ଭାତର ସ୍ବର୍ଣ୍ଣ ପଦକ ଜିଣିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ସମୁଦାୟ ୧୭୩୪ ପଏଣ୍ଟ୍ ସ୍କୋର୍ କରି ୩ ଭାରତୀୟ ଖେଳାଳି ସରବଜୋତ୍ ସିଂହ, ଶିବ ନର୍ୱାଲ୍ ଓ ଅର୍ଜୁନ ସିଂହ ଚୀମା ‘ପୁରୁଷ ୧୦ ମିଟର୍ ପିସ୍ତଲ୍ ଟିମ୍’ ପ୍ରତିଯୋଗିତାରେ ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ଏହି ପ୍ରତିଯୋଗିତାର ବ୍ୟକ୍ତିଗତ ଯୋଗ୍ୟତା ଇଭେଣ୍ଟ୍ରେ ୫୮୦ ପଏଣ୍ଟ୍ ସ୍କୋର୍ କରିଥିବା ସରବଜୋତ୍ ୫ମ ଓ ୫୭୮ ପଏଣ୍ଟ୍ ସ୍କୋର୍ କରିଥିବା ଅର୍ଜୁନ ୮ମ ସ୍ଥାନରେ ରହିଛନ୍ତି। ଆଜି ହେବାକୁ ଥିବା ‘ପୁରୁଷ ୧୦ ମିଟର୍ ଏୟାର୍ ପିସ୍ତଲ୍’ ଫାଇନାଲ୍ରେ ଭାଗ ନେବା ପାଇଁ ଦୁହେଁ ମନୋନୀତ ହୋଇଛନ୍ତି।
/sambad/media/post_attachments/wp-content/uploads/2023/09/F7FEGQuasAAuHLI.jpg)
ଉଲ୍ଲେଖଯୋଗ୍ୟ, ମାତ୍ର ଗୋଟିଏ ପଏଣ୍ଟ୍ରେ ଚୀନ୍କୁ ପଛରେ ପକାଇ ଭାରତୀୟ ଟିମ୍ ଏହି ସ୍ବର୍ଣ୍ଣ ପଦକ ଜଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅର୍ଥାତ୍ ୧୭୩୩ ପଏଣ୍ଟ୍ ସ୍କୋର୍ କରି ଚୀନ୍ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛି।
କିନ୍ତୁ, ପ୍ରାରମ୍ଭରୁ ଉତ୍ତମ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିବା ଭିଏତ୍ନାମ୍ ଏହି ପ୍ରତିଯୋଗିତାରେ ସମୁଦାୟ ୧୭୩୦ ପଏଣ୍ଟ୍ ସ୍କୋର୍ କରି ତୃତୀୟ ସ୍ଥାନରେ ରହିବାରୁ କାଂସ୍ୟ ପଦକ ବିଜୟୀ ହୋଇଛି।
ସୂଚନାଯୋଗ୍ୟ, ୧୯ତମ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତର ୨୪ଶ ପଦକ ଓ ବନ୍ଧୁକ ଚାଳନାରେ ୪ର୍ଥ ସ୍ବର୍ଣ୍ଣପଦକ। ଏଥରର ଏସୀୟ କ୍ରୀଡ଼ାରେ ଏହାକୁ ମିଶାଇ ଭାରତ ସମୁଦାୟ ୬ଟି ସ୍ବର୍ଣ୍ଣ ପଦକ ବିଜୟୀ ହେଲାଣି।