ଏସୀୟ କ୍ରୀଡା ପୁରୁଷ ହକି : କ’ଣ ପୁଣି ଭାରତ-ପାକିସ୍ତାନ ଫାଇନାଲ ହେବ କି ?

ଜାକାର୍ତ୍ତା : ଇଣ୍ଡୋନେସିଆର ଜାକାର୍ତ୍ତାଠାରେ ଚାଲିଥିବା ଏସୀୟ କ୍ରୀଡା ପୁରୁଷ ହକିରେ ଆଜି ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ମାଲେସିଆକୁ ଭେଟୁଥିବାବେଳେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଦକ୍ଷିଣକୋରିଆ ପାକିସ୍ତାନକୁ ଭେଟିବ । ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜର ସେମିଫାଇନାଲ ମ୍ୟାଚ ଜିତିଲେ ଫାଇନାଲ ପୁଣିଥରେ ଦୁଇ ଚିରାଚରିତ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ୨୦୧୪ ରେ ଦକ୍ଷିଣ କୋରିଆର ଇଞ୍ଚିଅନ ଏସୀୟ କ୍ରୀଡାର ପୁରୁଷ ହକିରେ ଭାରତ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏଥର ମଧ୍ୟ ଭାରତ ଗତ ଥରର ସଫଳତାକୁ ଦୋହେରେଇବା ଲକ୍ଷ୍ୟରେ ରହିଛି । ତେବେ ଏଥିପାଇଁ ଭାରତକୁ ମାଲେସିଆକୁ ଜିତିବାକୁ ହେବ । ଏବେ ଚାଲିଥିବା ଭାରତ-ମାଲେସିଆ ସେମିଫାଇନାଲ ମ୍ୟାଚ ତୀବ୍ରପ୍ରତିଦ୍ୱନ୍ଦିତାମୂଳକ ହୋଇଛି । ଖେଳର ପଥମାର୍ଦ୍ଧ ଶେଷସୁଦ୍ଧା କେହି କାହାରିକୁ ଗୋଲ ଦେଇପାରି ନାହାନ୍ତି ।
ଗ୍ରୁପ ପର୍ଯ୍ୟାୟରେ ଗତ ଥରର ବିଜେତା ଭାରତ ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରି ଅପରାଜିତ ଦଳଭାବେ ସେମିରେ ପ୍ରବେଶ କରିଥିଲା । ପ୍ରଥମ ଲିଗ ମ୍ୟାଚରେ ଭାରତ ଇଣ୍ଡୋନେସିଆକୁ ୧୭-୦ ଗୋଲରେ ଜିିତିଥିଲା । ୨ୟ ଲିଗମ୍ୟାଚରେ ଭାରତ ହଂକଂକୁ ୨୬-୦ ଗୋଲରେ ପରାସ୍ତ କରି ବିଶ୍ୱ ରେକର୍ଡ କରିଥିଲା । ସେହିପରି ୩ୟ ମ୍ୟାଚରେ ଭାରତ ଜାପାନକୁ ୮-୦ ଗୋଲରେ ପରାସ୍ତ କରିଥିଲା । ୪ର୍ଥ ମ୍ୟାଚରେ ଭାରତ ଦକ୍ଷିଣ କୋରିଆକୁ ୫-୩ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା । ଏଣୁ ସେମିରେ ମଧ୍ୟ ଭାରତ ନିଜର ଅପରାଜେୟ ରେକର୍ଡକୁ ବଜାୟ ରଖିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର