ତାସକେଣ୍ଟ୍‌/ବେଜିଂ : ଚୀନ୍‌ରେ କୋଭିଡ୍‌ ସଂକ୍ରମଣ ପରିସ୍ଥିତିକୁ ନଜରରେ ରଖି ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଖେଳାଯିବାକୁ ଥିବା ୧୯ତମ ଏସୀୟ କ୍ରୀଡ଼ାକୁ ଅନିର୍ଦ୍ଧିଷ୍ଟ କାଳ ଲାଗି ସ୍ଥଗିତ ରଖାଯାଇଛି। ସଂଘାଇରେ କୋଭିଡ୍‌ ସଂକ୍ରମଣ ନୂଆ ଲହର କାରଣରୁ ଏହାକୁ ଲକ୍‌ଡାଉନ୍‌ କରିବାକୁ ପଡ଼ିଛି। ଏହି କାରଣରୁ ହଙ୍ଗଜୁରେ ସେପ୍ଟେମ୍ବର ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ବିବିଧ କ୍ରୀଡ଼ା ମହୋତ୍ସବ ଏବେ ଅନିଶ୍ଚିତତା ଭିତରକୁ ଚାଲିଯାଇଛି। ତେବେ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏସୀୟ ଅଲିମ୍ପିକ୍ ପରିଷଦ (ଓସିଏ) ପ୍ରକାଶ କରିଛି। ଶୁକ୍ରବାର ତାସକେଣ୍ଟରେ ଓସିଏର କାର୍ଯ୍ୟନିର୍ବାହୀ ବୈଠକ ପରେ ସ୍ଥଗିତ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଥିଲା।

Advertisment

‘‘ଚାଇନିଜ ଅଲିମ୍ପିକ୍‌ ସମିତି (ସିଏସି), ହଙ୍ଗଜୁ ଏସୀୟ କ୍ରୀଡ଼ା ଆୟୋଜନ ସମିତି (ଏଚ୍‌ଏଜିଓସି) ଏବଂ ଓସିଏ କାର୍ଯ୍ୟନିର୍ବାହୀ ବୈଠକରେ ଆଜି ୧୯ତମ ସଂସ୍କରଣ ଏସୀୟ କ୍ରୀଡ଼ାର ସ୍ଥଗିତ ନିଷ୍ପତ୍ତି କରାଗଲା। ନୂଆ ତାରିଖ ନିକଟ ଭବିଷ୍ୟତରେ ନିର୍ଧାରିତ ହେବ’ ବୋଲି ଏକ ମିଳିତ ବିବୃତ୍ତିରେ ସୂଚନା ଦିଆଯାଇଛି। ମହାମାରୀ ଓ ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥାକୁ ନଜରରେ ରଖି ଓସିଏ ଏବଂ ଏଚ୍‌ଏଜିଓସି ନିଷ୍ପତ୍ତି ନେବେ। ମୋଟ ୬୧ କ୍ରୀଡ଼ା ଶୃଙ୍ଖଳରେ ପ୍ରାୟ ୧୧,୦୦୦ ଖେଳାଳି ଏହି ୧୬ ଦିନିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଡିସେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଚୀନ୍‌ର ସାଣ୍ଟୋରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଏସୀୟ ଯୁବ କ୍ରୀଡ଼ାକୁ କିନ୍ତୁ ସମ୍ପୂର୍ଣ୍ଣ ଭାବେ ବାତିଲ କରିଦିଆଯାଇଛି। ପରବର୍ତୀ ଏସୀୟ ଯୁବ କ୍ରୀଡ଼ା ୨୦୨୫ରେ ଉଜ୍‌ବେକିସ୍ତାନର ତାସକେଣ୍ଟଠାରେ ଅନୁଷ୍ଠିତ ହେବ।