ଏସୀୟ ଦିବ୍ୟାଙ୍ଗ ଯୁବ କ୍ରୀଡ଼ା: ଜୟନ୍ତୀଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ

ଭୁବନେଶ୍ୱର: ଦୁବାଇରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ତୃତୀୟ ଏସୀୟ ଦିବ୍ୟାଙ୍ଗ ଯୁବ କ୍ରୀଡ଼ାରେ ଭାରତୀୟ ଦଳରେ ସାମିଲ ଥିବା ଦୁଇ ଓଡ଼ିଆଙ୍କ ମଧ୍ୟରୁ ଜୟନ୍ତୀ ବେହେରା ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ମଙ୍ଗଳବାର ଜୟନ୍ତୀ ୨୦ ବର୍ଷରୁ କମ୍‌ ଟି-୪୭ ବର୍ଗର ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ପୂର୍ବରୁ ସୋମବାର ୧୦୦ ମିଟରରେ ରୌପ୍ୟ ପଦକ ପାଇଥିଲେ। ୧୦୦ ମିଟରକୁ ସେ ୧୩.୪୮ ସେକେଣ୍ଡ୍‌ ସମୟରେ ଶେଷ କରି ଦ୍ୱିତୀୟ ସ୍ଥାନ ପାଇଥିଲେ। ତେବେ ଏହି କ୍ରୀଡ଼ାରେ ଭାରତୀୟ ଦଳର ଅନ୍ୟତମ ଓଡ଼ିଆ ଖେଳାଳି ଶୁଭ୍ରଜିତ୍‌ ମହାରଣା ବିଫଳ ହୋଇଛନ୍ତି। ଶୁଭ୍ରଜିତ୍‌ ବ୍ୟାଡ୍‌ମିଣ୍ଟନ ଏକକ କ୍ୱାର୍ଟର ଫାଇନାଲ୍‌ରେ ନିଜ ଦେଶର ନିଲେଶ ଗାଏକ୍ୱାର୍ଡଙ୍କଠାରୁ ୮-୨୧, ୧୭-୨୧ରେ ହାରି ଯାଇଥିଲା ବେଳେ ଯୁଗଳରେ ସମସ୍ତ ଗ୍ରୁପ୍‌ ମ୍ୟାଚ୍‌ ମଧ୍ୟ ହାରିଯାଇଛନ୍ତି। ଏହି କ୍ରୀଡ଼ାରେ ୪୫ ଦେଶର ୬୦୦ ଖେଳାଳି ୧୦ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା ବେଳେ ଭାରତର ୭୨ ଜଣ ଅଂଶଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର