ଭୁବନେଶ୍ବର: ଲଗାତାର ଦ୍ବିତୀୟ ଥର ପାଇଁ ଓଡ଼ିଶାରେ ସଫଳତାର ସହ ସମ୍ପନ୍ନ ହୋଇଥିବା ପୁରୁଷ ହକି ବିଶ୍ବକପ୍ରେ ହକି ଇଣ୍ଡିଆକୁ ଶ୍ରେଷ୍ଠ ଆୟୋଜକ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ବର ଏବଂ ରାଉରକେଲାରେ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବିଶ୍ବକପ୍ ବିଶ୍ବ ବ୍ୟାପୀ ପ୍ରଶଂସା ସାଉଁଟିଥିଲା। ଏହି ଅବସରରେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ବିଶ୍ବର ସର୍ବାଧିକ ସିଟ୍ ବିଶିଷ୍ଟ ହକି ଷ୍ଟାଡିୟମ୍ର ମାନ୍ୟତା ସହିତ ଗିନିଜ୍ ରେକର୍ଡ କରିଥିଲା।
ଏହା ଛଡ଼ା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଓ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଗେମ୍ସ ଭିଲେଜ୍, ଓଲିସ୍ ଲ୍ୟାଣ୍ଡ୍ ଓ ଅନ୍ୟ ମନୋରଂଜନ କାର୍ଯ୍ୟକ୍ରମ ପ୍ରଶଂସିତ ହୋଇଥିଲା। କୋରିଆର ମ୍ୟୁଙ୍ଗେଙ୍ଗ୍ରେ ଅନୁଷ୍ଠିତ ଏସୀୟ ହକି ସଂଘ କଂଗ୍ରେସରେ ହକି ଇଣ୍ଡିଆ ପକ୍ଷରୁ ଏହାର ସମ୍ପାଦକ ଭୋଳାନାଥ ସିଂହ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ‘ଏସୀୟ ହକି ସଂଘର ଏହି ସ୍ବୀକୃତି ଆମ ପାଇଁ ଗର୍ବ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ନିରଂତର ସମର୍ଥନ ବିନା ଏହା ସମ୍ଭବ ହୋଇପାରିନଥାନ୍ତା’ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି। ଏହି ସମ୍ମାନ ଆମ ପାଇଁ ଗର୍ବର ବିଷୟ ବୋଲି ପ୍ରକାଶ କରିଛନ୍ତି ସମ୍ପାଦକ ଭୋଳାନାଥ ସିଂହ।