ଚେନ୍ନାଇ: ଦୀର୍ଘ ୧୬ ବର୍ଷ ପରେ ଚେନ୍ନାଇକୁ ଅନ୍ତର୍ଜାତୀୟ ହକି ଫେରିବା ପଥ ପରିସ୍କାର ହୋଇଯାଇଛି। ଚଳିତ ବର୍ଷ ଭାରତରେ ହେବାକୁ ଥିବା ପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଅଧିକାର ଚେନ୍ନାଇକୁ ମିଳିଛି। ପ୍ରତିଯୋଗିତାର ଏହି ସପ୍ତମ ସଂସ୍କରଣ ଅଗଷ୍ଟ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏସଂକ୍ରାନ୍ତରେ ହକି ଇଣ୍ଡିଆ ପକ୍ଷରୁ ସୋମବାର ଘୋଷଣା କରାଯାଇଥିଲା ବେଳେ ତାମିଲନାଡୁ କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଏହି ଅବସରରେ ସମସ୍ତ ଅଂଶଗ୍ରହଣକାରୀ ଦଳଙ୍କୁ ସ୍ବାଗତ ଜଣାଇଛନ୍ତି। ଦକ୍ଷିଣ ଭାରତରେ ତାମିଲନାଡୁକୁ ହକିର ରାଜଧାନୀ କୁହାଯାଉଥିବାରୁ ଏଠାରେ ଏଭଳି ଆନ୍ତର୍ଜାତିକସ୍ତରର ପ୍ରତିଯୋଗିତା ଆୟୋଜନ କରାଗଲେ ତୃଣମୂଳସ୍ତରର କ୍ରୀଡ଼ାବିତ୍ମାନେ ଅଧିକ ଉତ୍ସାହିତ ହେବେ ବୋଲି ଷ୍ଟାଲିନ୍ କହିଥିଲେ। ଚେନ୍ନାଇ ଶେଷ ଥର ପାଇଁ ୨୦୦୭ ଏସିଆ କପ୍ ଆୟୋଜନ କରିଥିଲା।
ସେତେବେଳେ ଭାରତ ୭-୨ରେ କୋରିଆକୁ ହରାଇ ବିଜେତା ହୋଇଥିଲା। ଭାରତୀୟ ଦଳ ପାଇଁ ଏହି ସ୍ଥାନ ସବୁବେଳେ ଶୁଭଙ୍କର ହୋଇଆସିଛି। ସେହିପରି ୨୦୧୧ରେ ଚାମ୍ପିଅନ୍ସ ଟ୍ରଫିର ଉଦ୍ଘାଟନୀ ସଂସ୍କରଣରେ ଭାରତୀୟ ପୁରୁଷ ଦଳ ବିଜେତା ହୋଇଥିଲା। ୨୦୧୬ ଫାଇନାଲ୍ରେ ପାକିସ୍ତାନକୁ ହରାଇ ଭାରତ ବିଜେତା ହୋଇଥିଲା ବେଳେ ୨୦୧୮ରେ ହୋଇଥିବା ବର୍ଷା ବାଧାପ୍ରାପ୍ତ ଫାଇନାଲ୍ରେ ଭାରତ ଓ ପାକିସ୍ତାନ ଯୁଗ୍ମ ବିଜେତା ହୋଇଥିଲେ। ଏହି ଏସୀୟ ପ୍ରତିଯୋଗିତା ଆୟୋଜନ ପାଇଁ ତାମିଲନାଡୁ ସରକାରଙ୍କ ସହାୟତା ପାଇଁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ମଧ୍ୟ ଷ୍ଟାଲିନ୍ଙ୍କୁ କୃତଜ୍ଞତା ଜଣାଇଛନ୍ତି।