ଏସୀୟ କନିଷ୍ଠ ମୁଷ୍ଟିଯୁଦ୍ଧ: ରୋହିତ ଓ ଭରତ ଜିତିଲେ ସ୍ବର୍ଣ୍ଣ

ଗୌରବଙ୍କୁ ରୌପ୍ୟ

ଦୁବାଇ : ଏଠାରେ ଚାଲିଥିବା ଏସୀୟ କନିଷ୍ଠ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତୀୟ ଯୋଦ୍ଧା ରୋହିତ ଚାମୋଲି (୪୮ କେଜି) ଏବଂ ଭରତ ଜୁନ୍‌ (+୮୧ କେଜି) ସ୍ବର୍ଣ୍ଣ ପଦକ ଜିତି ନେଇଥିଲା ବେଳେ ଗୌରବ ସୈନି (୭୦ କେଜି) ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି।

ଭାରତର ଜାତୀୟ ବିଜେତା ରୋହିତ ରବିବାର ବାଳକ ୪୮ କେଜିର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ ଲଢ଼େଇରେ ମଙ୍ଗୋଲିଆର ଓଟ୍‌ଗନ୍‌ବାୟର ତୁସିନ୍‌ଜାୟାଙ୍କୁ ୩-୨ରେ ପରାସ୍ତ କରି ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ। ସ୍ବର୍ଣ୍ଣ ପଦକ ଜିତିଥିବା ରୋହିତ ୪୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ଭରତ ଫାଇନାଲ୍‌ରେ କାଜାକସ୍ତାନର ୟେର୍‌ଡସ୍‌ ସାରିପ୍‌ବେକ୍‌ଙ୍କୁ ୫-୦ରେ ପରାସ୍ତ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ କବ୍‌ଜା କରିନେଇଥିଲେ। ତେବେ ଅନ୍ୟ ଏକ ଫାଇନାଲ୍‌ରେ ଗୌରବ ସୈନି ଉଜ୍‌ବେକିସ୍ତାନ ପ୍ରତିଦ୍ବନ୍ଦ୍ବୀ ବୋଲ୍‌ତେଭ୍‌ ସାଭ୍‌କାଜନ୍‌ଙ୍କ ନିକଟରୁ ୦-୫ରେ ହାରିଯାଇଥିଲେ।

ଏହା ପୂର୍ବରୁ କନିଷ୍ଠ ବର୍ଗରୁ ଭାରତ ୬ କାଂସ୍ୟ ପଦକ ଜିତସାରିଛି। ବାଳିକାରେ ଦେବିକା ଘୋର୍‌ପଡ଼େ (୫୦ କେଜି), ଆର୍‌ଜୁ (୫୪ କେଜି), ସୁପ୍ରିୟା ରାୱତ (୬୬ କେଜି) ଏବଂ ବାଳକରେ ଆଶିଷ (୫୪ କେଜି), ଅଂଶୁଲ (୫୭ କେଜି) ଓ ଅଙ୍କୁଶ (୬୬ କେଜି) କାଂସ୍ୟ ପଦକ ହାସଲ କରିଛନ୍ତି। ‌ତେବେ ସୋମବାର ଆଉ ୧୫ ଭାରତୀୟ ସ୍ବର୍ଣ୍ଣ ପଦକ ମୁକାବିଲାକୁ ଓହ୍ଲାଇବେ। ଫଳରେ ଭାରତ ପଦକ ସଂଖ୍ୟାରେ ପୂର୍ବ କୀର୍ତ୍ତିମାନ ଟପିବା ସମ୍ଭାବନା ସୃଷ୍ଟି ହୋଇଛି। ଶେଷଥର ପାଇଁ ୟୁଏଇରେ ଆୟୋଜିତ ୨୦୧୯ ପ୍ରତିଯୋଗିତାରେ ଭାରତ ମୋଟ ୨୧ (୬ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୬ କାଂସ୍ୟ) ପଦକ ଅମଳ କରିଥିଲା।

ପୋଲ୍ ପୋଜିସନ୍‌ ପାଇଁ ଭ‌ର୍ଷ୍ଟାପେନ୍‌ ଜିତିଲେ ବେଲଜିଆନ୍‌ ଗ୍ରାଁ ପ୍ରି
ସ୍ପା-ଫ୍ରା‌ଙ୍କୋରଚାମ୍ପ୍ସ (ବେଲଜିୟମ୍‌), ୨୯ା୮: ରେଡ୍ ବୁଲ୍‌ ଚାଳକ ମ୍ୟାକ୍ସ ଭର୍ଷ୍ଟାପେନ୍‌ ବେଲଜିଆନ୍‌ ଗ୍ରାଁ ପ୍ରି ବିଜେତା ହୋଇଛନ୍ତି। ବର୍ଷା କାରଣରୁ ରେସ୍‌ ଦୁଇ ଥର ରେଡ୍ ଫ୍ଲାଗ୍ ହେବା ପରେ ପୋଲ ପୋଜିସନ୍‌ରୁ ଅଧା ପଏଣ୍ଟ ପ୍ରଦାନ କାରଣରୁ ଭର୍ଷ୍ଟାପେନ୍‌ ପ୍ରଥମ ସ୍ଥାନରେ ରହିଥିଲେ। ଫର୍ମୁଲା ୱାନ୍ ଇତିହାସରେ ଷଷ୍ଠ ଥର ପାଇଁ ଏଭଳି ଘଟଣା ଘଟିଥିଲା। ଲଗାଣ ବର୍ଷା ହେତୁ ପ୍ରାୟ ସାଢ଼େ ୩ ଘଣ୍ଟା ଅପେକ୍ଷା କରିବା ପରେ ଏଫଆଇଏ ଫଳାଫଳ ଘୋଷଣା କରି ଦେଇଥିଲା। ସ‌େତେବେଳକୁ ମାତ୍ର ୩ ଲ୍ୟାପ୍‌ ସମ୍ପନ୍ନ ହୋଇଥିଲା। ୱିଲିୟମ୍ସର ଜର୍ଜ ରସେଲ୍‌ ଦ୍ବିତୀୟ ସ୍ଥାନରେ ରହି ପ୍ରଥମ ଥର ପାଇଁ ପୋଡିୟମ୍‌ ଫିନିସ୍ କରିଥିଲେ। ୭ ଥର ବିଶ୍ବ ବିଜେତା ଲୁଇସ୍ ହାମିଲଟନ୍‌ ମର୍ସିଡିଜ୍‌କୁ ନେଇ ତୃତୀୟରେ ରହିଥିଲେ। ଏଥି ସହ ଭର୍ଷ୍ଟାପେନଙ୍କ ବିପକ୍ଷରେ ହାମିଲଟନ୍‌ଙ୍କ ମୋଟ ଅଗ୍ରଣୀ ୮ରୁ ୩କୁ ଖସିଯାଇଛି।

ସମ୍ବନ୍ଧିତ ଖବର