‌ହାଂଝୌ: ଚୀନରେ ଶନିବାର ଶେଷ ହୋଇଥିବା ଏସୀୟ ପାରା କ୍ରୀଡ଼ାରେ ଭାରତ ଐତିହାସିକ ସଫଳତା ପାଇଛି। ଏହି ବିବିଧ ଖେଳରେ ଭାରତ ୨୯ ସ୍ବର୍ଣ୍ଣ ପଦକ ସହ ମୋଟ ୧୧୧ ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଶନିବାର ଅନ୍ତିମ ଦିବସରେ ଭାରତ ଆଉ ୧୨ ପଦକ ଯୋଡ଼ିଥିଲା। ଏହି ସଫଳତାରେ ୩୧ ରୌପ୍ୟ ଓ ୫୧ କାଂସ୍ୟ ପଦକ ମଧ୍ୟ ସାମିଲ ରହିଛି। ଚଳିତ ମାସ ପ୍ରାରମ୍ଭରେ ଶେଷ ହୋଇଥିବା ସାଧାରଣ କ୍ରୀଡ଼ାବିତ୍‌ଙ୍କ ଏସୀୟ କ୍ରୀଡ଼ାରେ ଭାରତ ୧୦୭ ପଦକ ଜିତି ମଧ୍ୟ ଏହି ଏସୀୟ ମଞ୍ଚରୁ ଶ୍ରେଷ୍ଠ ସଫଳତା ପାଇଥିଲା। ପାରା କ୍ରୀଡ଼ାବିତ୍ ମାନେ ଗୋଟିଏ ଅଧିକ ସ୍ବର୍ଣ୍ଣ ଏବଂ ମୋଟ ପଦକରେ ୪ଟି ଅଧିକ ଜିତି ଆଗକୁ ବଢ଼ିଯାଇଛନ୍ତି। ଭାରତ କିନ୍ତୁ ସାଧାରଣ ବର୍ଗରେ ଚତୁର୍ଥରେ ରହିଥିବାବେଳେ ପରା ଖେଳାଳିମାନେ ପଞ୍ଚମରେ ରହି ଅଭିଯାନ ଶେଷ କରିଛନ୍ତି।

Advertisment

ଆମେ ଇତିହାସ ରଚିଲୁ, ଆମ ପାରା ‌ଖେଳାଳିମାନେ ଦେଶକୁ ଗର୍ବିତ କରିଛନ୍ତି। ଟୋକିଓ ତୁଳନାରେ ଆମେ ଆସନ୍ତାବର୍ଷର ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଅଧିକ ପଦକ ଜିତିବୁ ବୋଲି ଦୃଢ଼ ଆତ୍ମବିଶ୍ବାସର ସହ କହିଛନ୍ତି ପାରାଅଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆର ସଭାପତି ଦୀପା ମଲ୍ଲିକ। ଏହି ସଫଳତା କିନ୍ତୁ ଅପ୍ରତ୍ୟାଶିତ ନଥିଲା। ଆମେ ଏଥର ୧୧୦-ରୁ ୧୧୫ ପଦକ ଜିତିବା ଆଶାରେ ଥିଲୁ। କିନ୍ତୁ ୧୧୧ ଭଳି ଏକ ପବିତ୍ର ସଂଖ୍ୟା ପାଇଥିବାରୁ ଖୁସି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ୨୦୧୮ ଏସୀୟ ପାରା କ୍ରୀଡ଼ାରେ ଭାରତ ୧୫ ସ୍ବର୍ଣ୍ଣ ସହ ମୋଟ ୭୨ ପଦକ ଜିତିଥିଲା। ଏଥରର ଭାରତର ଉତ୍‌ଥାନନରେ ଆଥଲେଟିକ୍ସର ଯୋଗଦାନ ଅଧିକ ରହିଛି। ୧୧୧ ମଧ୍ୟରୁ ଆଥଲେଟିକ୍ସ ପ୍ରାୟ ଅଧା (୫୫) ପଦକ ଦେଇଛି। ଏହା ମଧ୍ୟରେ ୧୮ ସ୍ବର୍ଣ୍ଣ, ୧୭ ରୌପ୍ୟ ଓ ୨୦ କାଂସ୍ୟ ରହିଛି। ଚୀଚ କିନ୍ତୁ ୨୧୪ ସ୍ବର୍ଣ୍ଣ ସହ ୫୨୧ ପଦକ ଜିତି ଦଳଗତ ବିଜେତା ହୋଇଛି। ଇରାନ ୪୪ ସ୍ବର୍ଣ୍ଣ ସହ ୧୩୧, ଜାପାନ ୪୨ ସ୍ବର୍ଣ୍ଣ ସହ ୧୫୦, କୋରିଆ ୩୦ ସ୍ବର୍ଣ୍ଣ ସହ ୧୦୩ ପଦକ ଜିତିଥିବାବେଳେ ଭାରତ ଏମାନଙ୍କ ପଛକୁ ପଞ୍ଚମରେ ରହିଛି।

ଜଣେ ନୀରଜ ଚୋପ୍ରା ଏବେ ବିଶ୍ବର ସମସ୍ତ ପ୍ରମୁଖ ପଦକ ଜିତି ଭାରତର ସୁନାମ ବଢ଼ାଇଥିବାବେଳେ ଆଉ ଜଣେ ନୀରଜ ମଧ୍ୟ ତାଙ୍କୁ ପିଛା କରିବାରେ ଲାଗିଛନ୍ତି। ଶନିବାର ଏସୀୟ ପାରା କ୍ରୀଡ଼ାର ଶେଷ ଦିନରେ ନୀରଜ ଯାଦବ ପୁରୁଷ ଜାଭଲିନ୍‌ର ଏଫ୍‌୫୫ ଥ୍ରୋ’ ଇଭେଣ୍ଟରେ ଏସୀୟ ରେକର୍ଡ (୩୩.୬୯ ମିଟର୍) ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ଇଭେଣ୍ଟରେ ଅନ୍ୟତମ ଭାରତୀୟ ଟେକ୍ ଚାନ୍ଦ ୩୦.୩୬ ମିଟର୍ ସହିତ ବ୍ୟକ୍ତିଗତ ଶ୍ରେଷ୍ଠ ଦେଇ କାଂସ୍ୟ ପଦକ ହାସଲ କରିଥିଲେ। ଦିଲୀପ ମହାଡୁ ଗାଭିଅଟ୍‌ ପୁରୁଷ ୪୦୦ ମିଟର୍‌ ଟି୪୭ ରେସ୍‌ରେ ୪୯.୪୮ ସେକେଣ୍ଡ୍‌ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦ ବର୍ଷୀୟ ଏହି ନାସିକ ଯୁବକ ମାତ୍ର ୪ ବର୍ଷ ବୟସରେ ଏକ ସଡ଼କ ଦୁର୍ଘଟଣାରେ ଡାହାଣ ଗୋଡ଼ ହରାଇଥିଲେ।