ଭୁବନେଶ୍ବର : ଭୁବନେଶ୍ବର ଭିତ୍ତିକ ଫୁଟ୍‌ବଲ୍‌ ଦଳ ଓଡ଼ିଶା ଏଫ୍‌ସି ଏଏଫ୍‌ସି କପ୍‌ ୨୦୨୩-୨୪ ଗ୍ରୁପ୍‌ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛି। ଏଥିପାଇଁ ଶନିବାର ଖେଳାଯାଇଥିବା ପ୍ଲେ ଅଫ୍‌ ମୁକାବିଲାରେ ସୁପର କପ୍‌ ବିଜେତା ଓଡ଼ିଶା ଏଫ୍‌ସି ୩-୧ ଗୋଲ୍‌ରେ ୨୦୨୧-୨୨ ଆଇଲିଗ୍‌ ବିଜେତା ଗୋକୁଳମ କେରଳକୁ ମାତ୍‌ ଦେଇ ପ୍ରଥମ ଥର ଲାଗି ଏଏଫ୍‌ସି କପ୍‌ ଖେଳିବା ନିଶ୍ଚିତ କରିଛି। କେରଳର କୋଝିକୋଡ଼ସ୍ଥିତ ଇଏମ୍‌ଏସ୍‌ କର୍ପୋରେସନ ଷ୍ଟାଡିୟମରେ ଶନିବାର ଏହି ମ୍ୟାଚ୍‌ର ୧୮ତମ ମିନିଟ୍‌ରେ ଆଇଏସ୍‌ଏଲ୍‌ ଗୋଲ୍‌ଡେନ୍‌ ବୁଟ୍‌ ବିଜେତା ଡିଏଗୋ ମୌରିସିଓଙ୍କ ଗୋଲ୍‌ରେ ଜଗରନଟ୍ସ ଭାବେ ପରିଚିତ ଓଡ଼ିଶା ଏଫ୍‌ସି ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୩୨ତମ ମିନିଟ୍‌ରେ ‌ମୌରିସିଓ ଆଉ ଏକ ଗୋଲ୍‌ ଦେଇ ଦଳକୁ ୨-୦ରେ ଆଗୁଆ ରଖିଥିଲେ। ଫର୍ସାଦ ନୁର (୩୬ ମିନିଟ୍‌)ଙ୍କ ଗୋଲ୍‌ରେ ଗୋକୁଳମ କେରଳ ସ୍ଥିତି ୧-୨ କରିଥିଲା।

Advertisment

ପ୍ରଥମାର୍ଦ୍ଧରେ ଆଗୁଆ ଥିବା ଓଡ଼ିଶା ପକ୍ଷରୁ ମୌରିସିଓ (୫୩ ମିନିଟ୍‌) ବ୍ୟକ୍ତଗତ ତୃତୀୟ ଗୋଲ୍‌ ଦେଇ ହ୍ୟାଟ୍ରିକ ସହ ସ୍ଥିତି ୩-୧ କରିଥିଲେ। ଶେଷ ପର୍ଯ୍ୟନ୍ତ ଆଉ ‌ଗୋଲ୍‌ ‌ନହେବାରୁ ଓଡ଼ିଶା ବିଜୟୀ ହୋଇଥିଲା। ହ୍ୟାଟ୍ରିକ ସଫଳତା ପାଇଁ ମୌରିସିଓ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ ମୁଖ୍ୟ ପ୍ରଶିକ୍ଷକ କ୍ଲିଫର୍ଡ ମିରାଣ୍ଡା ଓଡ଼ିଶାକୁ ଏସୀୟ ପ୍ରତିଯୋଗିତାରେ ପହଞ୍ଚାଇ ନୂଆ ଇତିହାସ ରଚିଛନ୍ତି। ଓଡ଼ିଶା ଏଫ୍‌ସି ସୁପର କପ୍‌ ବିଜେତା ହେବା ପରେ ମିରାଣ୍ଡା ପ୍ରଥମ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଭାବେ ଘ‌ରୋଇ କ୍ଲବ୍‌ରେ ଟ୍ରଫି ଜିତିବାର ଗୌରବ ପାଇଥିଲେ।