ଏସୀୟ ରଗ୍‌ବି ଫିପ୍‌ଟିନ୍‌ସ:ଭାରତୀୟ ଦଳରେ ଓଡ଼ିଶାରୁ ୯ ଜଣ

ଭୁବନେଶ୍ୱର: ସିଙ୍ଗାପୁରରେ ଜୁନ୍‌ ପହିଲାରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏସୀୟ ରଗ୍‌ବି ଡିଭିଜନ୍‌-୧ (ରଗ୍‌ବି-୧୫) ଲାଗି ଭାରତୀୟ ଦଳ ଘୋଷିତ ହୋଇଛି। ଏହି ୨୬ ଜଣିଆ ଦଳରେ ଓଡ଼ିଶାରୁ ୯ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସବୁଠାରୁ ଉଲ୍ଲେଖନୀୟ ବିଷୟ କିସ୍‌ରୁ ୭ ଜଣ ଏବଂ ଭୁବନେଶ୍ୱରରୁ ୨ ଜଣ ଖେଳାଳି ଏହି ସୁଯୋଗ ପାଇଛନ୍ତି। କିସ୍‌ ପ୍ରତିଭାମାନେ ହେଲେ-ହୁପି ମାଝୀ, ସୁମିତ୍ରା ନାୟକ, ରଜନୀ ଶବର, ପାର୍ବତୀ କିସ୍କୁ, ମୀରାରାଣୀ ହେମ୍ବ୍ରମ୍‌, ଭାଗ୍ୟଲକ୍ଷ୍ମୀ ବାରିକ, ସଂଜୁକ୍ତା ମୁଣ୍ଡା। ଭୁବନେଶ୍ୱର ଖେଳାଳି ଦୁଇ ଜଣ ହେଲେ-ଶୁଭଲକ୍ଷ୍ମୀ ବାରିକ ଏବଂ ଲକ୍ଷ୍ମୀପ୍ରିୟା ସାହୁ। ମୁମ୍ବାଇର ବମ୍ବେ ଜିମ୍‌ଖାନା ପରିସରରେ ମେ’ ମାସ ୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ଶେଷରେ ଏହି ଦଳ ଚୟନ କରାଯାଇଛି। ମହାରାଷ୍ଟ୍ରର ଭାବିଜ ବରୁଚ୍ଛା ଅଧିନାୟିକା ଏବଂ ଦିଲ୍ଲୀର ନମିତା ଭୋଜ ଉପ ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ପୂର୍ବତନ ଖେଳାଳି ନାସିର୍‌ ହୁସେନଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। କିସ୍‌ର ଖେଳାଳିଙ୍କୁ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ, ସହକାରୀ କ୍ରୀଡ଼ା ନିର୍ଦେଶକ ରୁଦ୍ରକେଶ ଜେନା ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର