ବ୍ୟାଙ୍କକ୍: ଏଠାରେ ଆୟୋଜିତ ଏସିଆନ୍ ରିଲେ ଚାମ୍ପିଅନସିପ୍ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ରୌପ୍ୟ ପଦକ ଜିତିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍ କରାୟତ୍ତ କରିସାରିଥିବା ଭାରତର ୪ଗୁଣା୪୦୦ ମିଟର ରିଲେ ଦଳ ମଙ୍ଗଳବାର ଏହି ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନରେ ରହିଥିଲା। ଭିଥ୍ୟା ରାମରାଜ, ଏମ୍ଆର୍ ପୂଭାମ୍ମା, ପ୍ରାଚୀ ଚୌଧୁରୀ ଓ ରୁପାଲ ଚୌଧୁରୀଙ୍କୁ ନେଇ ଗଠିତ ମହିଳା ଦଳ ୩ ମିନିଟ୍ ୩୩.୫୫ ସେକେଣ୍ଡରେ ରେସ୍ ଶେଷ କରିଥିଲା। ଭିଏତନାମ (୩:୩୦.୮୧) ସ୍ବର୍ଣ୍ଣ ଜିତିଥିଲା ବେଳେ ଜାପାନ (୩:୩୫.୪୫) କାଂସ୍ୟ ପାଇଥିଲା। ବାହାମାସରେ ଆୟୋଜିତ ବିଶ୍ବ ଦୌଡ଼କୁଦ ରିଲେକୁ ୩ ମିନିଟ୍ ୨୯.୩୫ ସେକେଣ୍ଡରେ ଶେଷ କରି ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍ ଅର୍ଜନ କରିଥିବା ଭାରତୀୟ ଦଳରେ ଭିଥ୍ୟା ଓ ରୁପାଲ ନଥିଲେ। ସେହି ଦଳରେ ପୂଭାମ୍ମା ଓ ରୁପାଲଙ୍କ ସହ ଜ୍ୟୋତିକା ଶ୍ରୀଦଣ୍ଡି ଓ ଶୁଭା ଭେଙ୍କଟେସନ ଥିଲେ।
ସେହିଭଳି ମହମ୍ମଦ ଆନସ ୟାହିୟା, ସନ୍ତୋଷ କୁମାର, ମିଜୋ ଚାକୋ କୁରିଆନ୍ ଓ ଆରୋକିଆ ରାଜୀବ ୩ ମିନିଟ୍ ୦୫.୭୬ ସେକେଣ୍ଡ୍ରେ ରେସ୍ ଶେଷ କରି ଶୀର୍ଷ ସ୍ଥାନ ଦଖଲ କରିବାରେ ବିଫଳ ହୋଇଥିଲେ। ଶ୍ରୀଲଙ୍କା (୩:୦୪.୪୮) ସ୍ବର୍ଣ୍ଣ ପାଇଥିଲା ବେଳେ ଭିଏତନାମ (୩:୦୭.୩୭) କାଂସ୍ୟ ଜିତିଥିଲା। ସନ୍ତୋଷ ଓ ଚାକୋ ୩ ମିନିଟ୍ ୩.୨୩ ସେକେଣ୍ଡ ସମୟ ସହ ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍ ହାତେଇଥିବା ଦଳରେ ନଥିଲେ। ୟାହିଆ ଓ ରାଜୀବଙ୍କ ସହ ଏହି ଦଳରେ ମହମ୍ମଦ ଅଜମଲ ଓ ଆମୋଜ ଜାକବ ରହିଥିଲେ। ସୋମବାର ଭାରତୀୟ ମିଶ୍ରିତ ଦଳ ଏଠାରେ ଜାତୀୟ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତିଥିଲା। ମହମ୍ମଦ ଆଜମଲ, ଜ୍ୟୋତିକା ଶ୍ରୀ, ଅମୋଜ ଜ୍ୟାକବ ଓ ଶୁଭ ଭେଙ୍କଟେଶଙ୍କୁ ନେଇ ଗଠିତ ଭାରତୀୟ ଦଳ ୩ ମିନିଟ୍ ୧୪.୧୨ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ।