ଏସୀୟ ବିଦ୍ୟାଳୟ ଚେସ୍‌ରେ ୟାଶିତା

ଭୁବନେଶ୍ବର: ଉଜବେକିସ୍ତାନରେ ଆୟୋଜିତ ଏସୀୟ ବିଦ୍ୟାଳୟ ଚେସ୍‌ରେ ଭାଗଦେବାକୁ ତାସକେଣ୍ଟ ଗସ୍ତ କରିଛନ୍ତି ଓଡ଼ିଆ ଝିଅ ୟାଶିତା ରାଉତ। ଏହି ପ୍ରତିଯୋଗିତା ଗୁରୁବାରଠାରୁ ଜୁନ୍‌ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଏପ୍ରିଲ୍ ମାସରେ ୟାଶିତା ଛତିଶଗଡ଼ର ରାଇପୁରଠାରେ ଅନୁଷ୍ଠିତ ଜାତୀୟ ବିଦ୍ୟାଳୟ ଚେସ୍‌ (୧୧ ବର୍ଷରୁ କମ୍)ରେ ସ୍ବର୍ଣ୍ଣ ପଦକ ବିଜେତା ହୋଇ ଭାରତୀୟ ଦଳର ପ୍ରତିନିଧିତ୍ବ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଦ୍ବିତୀୟ ମାନ୍ୟତା ଭାବେ ୟାଶିତା ଅଭିଯାନ ଆରମ୍ଭ କରିବେ। ପୂର୍ବରୁ ୟାଶିତା ଏକାଧିକ ଅନ୍ତର୍ଜାତୀୟ ପଦକ ଜିତିବାର ଅଭିଜ୍ଞତା ରଖିଛନ୍ତି। ୨୦୧୫ ମସିହାରେ ଜାତୀୟ ବିଦ୍ୟାଳୟ ଚେସ୍‌ର ୭ ବର୍ଷରୁ କମ୍ ବର୍ଗରେ ରୌପ୍ୟ, ୨୦୧୬ ବାଟୁମି (ଜର୍ଜିଆ)ରେ ଅନୁଷ୍ଠିତ ବିଶ୍ବ ଚେସ୍‌ ସଲଭିଂ କପ୍‌ରେ ୮ ବର୍ଷରୁ କମ୍ ବର୍ଗରେ ସ୍ବର୍ଣ୍ଣ ଏବଂ ଗତବର୍ଷ ଥାଇଲାଣ୍ଡରେ ଅନୁଷ୍ଠିତ ଏସୀୟ ଯୁବ ଚେସ୍‌ର ବ୍ଲିଜ୍ ବିଭାଗରେ ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର