ଏସୀୟ କ୍ରୀଡ଼ା ଟ୍ରାଏଲ୍ସ: ଭାଗ ନେବେ ଆନ୍ଦୋଳନରତ କୁସ୍ତିଯୋଦ୍ଧା!

ମିଳିତ ଶିବିର ସପକ୍ଷରେ ନାହାନ୍ତି ମହିଳା କୁସ୍ତିଯୋଦ୍ଧାଙ୍କ ଅଭି‌ଭାବକ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପାଇଁ ହେବାକୁ ଥିବା ଟ୍ରାଏଲ୍ସରେ ବିଭିନ୍ନ ରାଜ୍ୟର ଯୋଗ୍ୟ କୁସ୍ତିଯୋଦ୍ଧାମାନେ ଭାଗ ନେଇପାରିବେ। ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଆଡ୍‌-ହକ୍‌ ସମିତି ଏହି ଅନୁମତି ଦେବାକୁ ଯାଉଛି। ଭାରତର ପ୍ରତ୍ୟେକ ଯୋଗ୍ୟ କ୍ରୀଡ଼ାବିତ୍‌ଙ୍କୁ ଟ୍ରାଏଲ୍ସରେ ଭାଗ ନେବାକୁ ଆଡ୍‌-ହକ୍‌ ସମିତି ସଦସ୍ୟ ଭୂପୀନ୍ଦର ସିଂହ ବାଜୱା ସୋମବାର ଅନୁଷ୍ଠିତ ବୈଠକରେ ପ୍ରସ୍ତାବ ରଖିଛନ୍ତି। ଯାହାଫଳରେ ଯନ୍ତରମନ୍ତରରେ ଆନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାମାନେ ମଧ୍ୟ ଟ୍ରାଏଲ୍ସରେ ଅଂଶଗ୍ରହଣ କରିବା ଭଳି ଆଶା ଦେଖାଦେଇଛି।

ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ପକ୍ଷରୁ ଗତ ବର୍ଷ ଖେଳାଳି ଚୟନ ପାଇଁ ନୂଆ ନୀତି ନିର୍ଦ୍ଧାରଣ କରାଯାଇଥିଲା। ଯେଉଁମାନେ ଜାତୀୟ ପ୍ରତିଯୋଗିତା, ଜାତୀୟ ରୢାଙ୍କିଙ୍ଗ୍‌ ପ୍ରତିଯୋଗିତା, ଫେଡେରେସନ୍‌ କପ୍‌ କିମ୍ବା ଆନ୍ତର୍ଜାତିକ ପ୍ରତିଯୋଗିତାରେ ପଦକ ଜିତିଥିବେ, କେବଳ ସେମାନେ ଟ୍ରାଏଲ୍ସରେ ଭାଗ ନେଇପାରିବେ। କିନ୍ତୁ ଆଇଓଏ ଆଡ୍‌-ହକ୍‌ ସମିତି ସଦସ୍ୟ ଭୂପୀନ୍ଦର ସିଂହ ଓପନ୍‌ ଟ୍ରାଏଲ୍ସ ପାଇଁ ପ୍ରସ୍ତାବ ଦେଇଛନ୍ତି। କାରଣ ଧାର୍ଯ୍ୟ ସମୟ ମଧ୍ୟରେ ଜାତୀୟ ପ୍ରତିଯୋଗିତା କରିବା ସମ୍ଭବ ହେବନାହିଁ। ତେଣୁ ଓପନ୍‌ ଟ୍ରାଏଲ୍ସ କରାଯାଇ ଭାରତୀୟ ଦଳ ଚୟନ କରାଯିବାକୁ ଯୋଜନା କରାଯାଇଛି।

ଅନ୍ୟପକ୍ଷରେ ଯେଉଁମାନେ ପୂର୍ବରୁ ପଦକ ଜିତିଥିବେ କେବଳ ସେମାନଙ୍କୁ ‌ଟ୍ରାଏଲ୍ସରେ ସୁଯୋଗ ଦେବାକୁ ରେଫରିମାନେ ପରାମର୍ଶ ଦେଇଛନ୍ତି। ଓପନ୍‌ ଟ୍ରାଏଲ୍ସ ହେଲେ ଅନାବଶ୍ୟକ କ୍ରୀଡ଼ାବିତ୍‌ଙ୍କୁ ରାଜ୍ୟ ସଂଘମାନେ ପଠାଇବାକୁ ଚେଷ୍ଟା କରିପାରନ୍ତି। ଯେଉଁଥିପାଇଁ ଓପନ ଟ୍ରାଏଲ୍ସ ଶେଷ ହେବା ପାଇଁ ସମୟ ଲାଗିଯିବ। ତେଣୁ ଟ୍ରାଏଲ୍ସରେ ଅଂଶଗ୍ରହଣ ଉପରେ କୌଣସି ନିର୍ଦ୍ଧିଷ୍ଟ ନିଷ୍ପତ୍ତି ହୋଇପାରିନାହିଁ। ତଥାପି ଜୁନ୍‌ ୨୦ ବେଳକୁ ଲକ୍ଷ୍ନୌରେ ଟ୍ରାଏଲ୍ସ କରାଯିବାକୁ ଆପାତତଃ ସମୟ ଧାର୍ଯ୍ୟ ହୋଇଛି। ନୂଆ ପ୍ରସ୍ତାବ ଅନୁସାରେ ଆନ୍ଦୋଳନରେ ବସିଥିବା ପ୍ରମୁଖ କୁସ୍ତିଯୋଦ୍ଧା ଭିନେଶ ଫୋଗତ ଓ ବଜରଙ୍ଗ ପୁନିଆ ଟ୍ରାଏଲ୍ସରେ ଅଂଶଗ୍ରହଣ କରିପାରିବେ। କିନ୍ତୁ ଡବ୍ଲୁଏଫ୍‌ଆଇ ପକ୍ଷରୁ ଆଇଓଏକୁ ଦିଆଯାଇଥିବା ଏକ ଲମ୍ବା ତାଲିକାରେ ସାକ୍ଷୀ ମଲ୍ଲିକଙ୍କ ନାମ ନଥିବାରୁ ସେ ଟ୍ରାଏଲ୍ସରେ ସୁଯୋଗ ପାଇବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ମିଳିତ ଶିବିର ସପକ୍ଷରେ ନାହାନ୍ତି ମହିଳା କୁସ୍ତିଯୋଦ୍ଧାଙ୍କ ଅଭି‌ଭାବକ
ଲକ୍ଷ୍ନୌ ସାଇ ‌ପ୍ରଶିକ୍ଷଣ କେନ୍ଦ୍ରରେ ହେବାକୁ ଥିବା ଜାତୀୟ ଶିବିରରେ ସାମିଲ ହେବାକୁ ଅନେକ ମହିଳା କୁସ୍ତିବିତ୍‌ଙ୍କ ଅଭିଭାବକମାନେ ନାପସନ୍ଦ କରିଛନ୍ତି। ଜାତୀୟ ସଂଘ ପକ୍ଷରୁ ଏହି ଶିବିର ସୋନିପତ୍‌ରେ ଆୟୋଜିତ ହେବାକୁଥିଲା ବେଳେ ଉଭୟ ପୁରୁଷ ଓ ମହିଳା କୁସ୍ତିଯୋଦ୍ଧାମାନେ ମିଳିତ ଭାବେ ଅଂଶଗ୍ରହଣ କରିବେ। ମିଳିତ ଶିବିର ହେଲେ ମହିଳା କୁସ୍ତିବିତ୍‌ଙ୍କ ମଧ୍ୟରେ ପ୍ରେମ ବ୍ୟାପ‌ାର ବଢିବା ନେଇ ଅଭିଭାବକମାନେ ଆଶଙ୍କା କରିଛନ୍ତି। ଏଭଳି ଘଟଣାକୁ ଦେଖି ୨୦୧୩ରେ ଡବ୍ଲୁଏଫ୍‌ଆଇ ପକ୍ଷରୁ ଦୁଇଟି ଭିନ୍ନଭିନ୍ନ ଶିବିର କରାଯାଇଥିଲା। ଏଥର ମହିଳାଙ୍କ ପାଇଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍‌ କିମ୍ବା ଗୁଜରାଟ ଗାନ୍ଧୀନଗରରେ ଶିବିର କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଦିଲ୍ଲୀରେ ହଷ୍ଟେଲ୍‌ ବ୍ୟବସ୍ଥା ଭଲ ନଥିଲା ବଳେ ଗୁଜରାଟ ବହୁତ ଦୂର ହୋଇଯାଉଛି। ତେଣୁ ପୁରୁଷଙ୍କ ଶିବିର ଲକ୍ଷ୍ନୌରେ ଏବଂ ମହିଳାଙ୍କ ଶିବିର ସୋନିପତ୍‌ରେ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ପ୍ରଶିକ୍ଷକ ଓ ରେଫରିମାନେ ଏଥିରେ ରାଜି ହୋଇନାହାନ୍ତି।

ସମ୍ବନ୍ଧିତ ଖବର