ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଏସୀୟ ଟେବୁଲ୍ ଟେନିସ୍ (ଟିଟି) ଦଳଗତ ପ୍ରତିଯୋଗିତାରେ ଚୀନ୍ ଉଭୟ ପୁରୁଷ ଓ ମହିଳା ବର୍ଗରେ ବିଜେତା ହୋଇ ଦ୍ବିମୁକୁଟ ହାସଲ କରିଛି। ବୁଧବାର ମହିଳା ଫାଇନାଲ୍ରେ ଏକତରଫା ଭାବେ ଚୀନ୍ ୩-୦ରେ ଜାପାନ୍କୁ ହରାଇଦେଇଛି। ୱାଙ୍କ ମାନ୍ୟୁ ୩-୧ରେ ହାସିମୋତୋ ହୋନୋକାଙ୍କୁ, ସୁନ୍ ୟିଙ୍ଗସା ୩-୦ରେ ହାରିମୋତୋ ମିୱାଙ୍କୁ ଏବଂ କୁଆଇ ମାନ୍ ୩-୦ରେ ହାୟାତା ହିନାଙ୍କୁ ପରାସ୍ତ କରିଥିଲେ। ପୁରୁଷ ଦଳ ହଂକଂ ବିପକ୍ଷରେ ୩-୦ରେ ବିଜୟୀ ହୋଇଥିଲା। ଲିନ୍ ସିଦୋଙ୍ଗ ୩-୦ରେ ୱଙ୍ଗ ଚୁନ୍ ତିଙ୍ଗ୍ଙ୍କୁ, ୱାଙ୍ଗ ଚୁକ୍ବିନ୍ ୩-୧ରେ ଚାନ୍ ବାଲ୍ଦ୍ବିନ୍ଙ୍କୁ ଏବଂ ଲିଆଙ୍ଗ ଜିଙ୍ଗକୁନ ୩-୦ରେ ୟିୟୁ କ୍ବାନ୍ଙ୍କୁ ହରାଇଛନ୍ତି।
ଏହି ପ୍ରତିଯୋଗିତାରେ ଗତ ସଂସ୍କରଣର କାଂସ୍ୟ ବିଜେତା ଭାରତୀୟ ପୁରୁଷ ଓ ମହିଳା ଦଳ ଯଥାକ୍ରମେ ଷଷ୍ଠ ଓ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏଟିଟିୟୁର କାର୍ଯ୍ୟକାରୀ ଆଞ୍ଚଳିକ ଉପସଭାପତି ଶେଖ ହୟାତ ଅଲୀ ଖଲିଫା, ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘର ସଭାପତି ଦୁଷ୍ୟନ୍ତ ଚୌତାଲା, କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ, ଭାରତୀୟ ଟେବୁଲ୍ ଟେନିସ୍ କିଂବଦନ୍ତି ତଥା ପ୍ରତିଯୋଗିତାର ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ଅଚନ୍ତ ଶରତ କମଲ, ମେଘନା ଅହ୍ଲାୱତ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।