ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ ୨୮ତମ ଆଇଟିଟିଏଫ୍-ଏଟିଟିୟୁ ଏସୀୟ ଟେବୁଲ ଟେନିସ ଟିମ୍ ପ୍ରତିଯୋଗିତା। ଏହା ଲଣ୍ଡନ୍ ୨୦୨୬ ବିଶ୍ୱ ଟିମ୍ ଟେବୁଲ୍ ଟେନିସ୍ ପ୍ରତିଯୋଗିତା (ଡବ୍ଲ୍ୟୁଟିଟିସି) ଫାଇନାଲ୍ସ ଖେଳିବା ପାଇଁ ଯୋଗ୍ୟତା ପର୍ଯ୍ୟାୟ ହେବ। ଏହି ପ୍ରତିଯୋଗିତା ଲାଗି ଭାରତୀୟ ପୁରୁଷ ଓ ମହିଳା ଦଳ ନିଜର ସ୍ଥାନ ସୁରକ୍ଷିତ କରିସାରିଛନ୍ତି। ତେବେ ଅନ୍ୟ ଦଳଗୁଡ଼ିକ ପାଇଁ ଏସୀୟ ଟିଟି ପ୍ରତିଯୋଗିତା ଗୁରୁତ୍ୱ ରଖିବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ୨୨ଟି ଦଳ ଏସିଆର ଅବଶିଷ୍ଟ ୧୨ଟି ମହାଦେଶୀୟ ଯୋଗ୍ୟତା ମାର୍ଗ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। ସଫଳ ଦଳ ଲଣ୍ଡନ୍ ପାଇଁ ଟିକେଟ୍ ହାସଲ କରିବ।
ଭାରତର ଉଭୟ ଦଳ ଗତ ମାସରେ କାଠମାଣ୍ଡୁରେ ଅନୁଷ୍ଠିତ ଦକ୍ଷିଣ ଏସୀୟ ଆଞ୍ଚଳିକ ପ୍ରତିଯୋଗିତାରେ ବିଜେତା ହୋଇ ଯୋଗ୍ୟତା ହାସଲ କରିଥିଲେ। ଅନ୍ତର୍ଜାତୀୟ ଟିଟି ମହାସଂଘ ନିୟମ ଅନୁଯାୟୀ, ଦଳଗୁଡ଼ିକ ଆଞ୍ଚଳିକ କିମ୍ବା ମୁଖ୍ୟ ମହାଦେଶୀୟ ପ୍ରତିଯୋଗିତା ମାଧ୍ୟମରେ ଯୋଗ୍ୟତା ହାସଲ କରିପାରିବେ। କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଏସୀୟ ଟିଟି ପ୍ରତିଯୋଗିତା ଚୀନ୍, ଜାପାନ ଓ କୋରିଆର ତାରକା ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ। ବିଶ୍ବ ପ୍ରତିଯୋଗିତାରେ ୬୪ ଦଳ ଅଂଶଗ୍ରହଣ କରିବାକୁ ଥିବା ବେଳେ ୫୨ ଦଳ ନିଜ ନିଜ ମହାଦେଶୀୟ ପ୍ରତିଯୋଗିତାରୁ ଯୋଗ୍ୟତା ଅର୍ଜନ କରିବେ। ବିଶ୍ୱର ଦୁଇ ପ୍ରମୁଖ ଟିଟି ମହାଶକ୍ତି ଏସିଆ ଓ ୟୁରୋପକୁ ଉଭୟ ବର୍ଗରେ ୧୬ଟି ଲେଖାଏଁ ସ୍ଥାନ ପ୍ରଦାନ କରାଯାଇଛି। ଆଫ୍ରିକା ଓ ପାନ୍ ଆମେରିକାର ପ୍ରତି ବର୍ଗରେ ୮ ଏବଂ ଓସେନିଆକୁ ୪ ଲେଖାଏଁ ଦଳ ନିଶ୍ଚିତ କରାଯାଇଛି। ଏହା ସହିତ ଆୟୋଜକ ଦେଶ ମଧ୍ୟ ପ୍ରତ୍ୟେକ ବର୍ଗରେ ଗୋଟିଏ ସ୍ଥାନ ପାଇବ। ଏହାବାଦ୍ ବିଶ୍ବ ମାନ୍ୟତାର ଶୀର୍ଷ ୧୧ ଦଳକୁ ସିଧାସଳଖ ସୁଯୋଗ ମିଳିବ।