ଏସୀୟ ଟିଟି: ମନିକାଙ୍କୁ ଐତିହାସିକ କାଂସ୍ୟ

ବ୍ୟାଙ୍କକ୍‌: ପ୍ରଥମ ଭାରତୀୟ ମହିଳା ଭାବେ ଏସୀୟ ଟିଟି ସେମିଫାଇନାଲ୍‌ରେ ପହଞ୍ଚିଥିବା ମନିକା ବାତ୍ରା ଐତିହାସିକ କାଂସ୍ୟ ପଦକ ଜିତିଛନ୍ତି। ଶନିବାର କାଂସ୍ୟ ମୁକାବିଲାରେ ବିଶ୍ବର ଏହି ୪୪ ନମ୍ବର ଖେଳାଳି ଚମତ୍କାର ପ୍ରଦର୍ଶନ ସହ ୪-୨ (୧୧-୬, ୬-୧୧, ୧୧-୭, ୧୨-୧୦, ୪-୧୧, ୧୧-୨)ରେ ବିଶ୍ବର ୬ ନମ୍ବର ଜାପାନ୍‌ର ହିନା ହାୟାତାଙ୍କୁ ମାତ୍‌ ଦେଇଥିଲେ। ଏହି ବିଜୟ ସହ ମନିକା ୧୦,୦୦୦ ଡଲାର ପୁରସ୍କାର ରାଶି କରାୟତ୍ତ କରିଛନ୍ତି।

ଏହା ପୂର୍ବରୁ ସେମିଫାଇନାଲ୍‌ରେ ଅଣମାନ୍ୟତାପ୍ରାପ୍ତ ମନିକା ୨-୪ (୮-୧୧, ୧୧-୭, ୭-୧୧, ୬-୧୧, ୧୧-୮, ୭-୧୧)ରେ ବିଶ୍ବର ୫ ନମ୍ବର ଜାପାନ୍‌ର ମିମା ଇତୋଙ୍କଠୁ ହାରି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ। ‘‘ଏସୀୟ କପ୍‌ କାଂସ୍ୟ ଜିତି ମୁଁ ବହୁତ ଖୁସି। ଶ୍ରେଷ୍ଠ ଖେଳାଳିଙ୍କୁ ହରାଇବା ‌ମୋ ପାଇଁ ଏକ ବଡ଼ ଆହ୍ବାନ ଥିଲା ଏବଂ ବିଜୟ ପାଇଥିବାରୁ ଗର୍ବିତ। ସେମାନଙ୍କ ବିପକ୍ଷରେ ଖେଳିବା ଏବଂ ପ୍ରତିଦ୍ବନ୍ଦ୍ବିତା କରିବା ଚମତ୍କାର ଥିଲା। ମୁଁ କଠିନ ପରିଶ୍ରମ ଜାରି ରଖିବି ଏବଂ ଭବିଷ୍ୟତ ପ୍ରତିଯୋଗିତାରେ ଭଲ କରିବି। ଦେଶ ଲାଗି ଆଉ ‌ଏକ ମାଇଲଖୁଣ୍ଟ ଯୋଡ଼ିବାରେ ଦେଶବାସୀଙ୍କ ସମର୍ଥନ ପାଇଁ ଧନ୍ୟବାଦ’’ ‌ବୋଲି ବିଜୟ ପରେ ମନିକା କହିଛନ୍ତି।

ସମ୍ବନ୍ଧିତ ଖବର