ଏସୀୟ ଭଲିବଲ: ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ

ନୂଆଦିଲ୍ଲୀ: ମ୍ୟାନମାରର ନୟ ପି ତାଓଠାରେ ଚାଲିଥିବା ଏସୀୟ ୨୩ ବର୍ଷରୁ କମ୍ ଭଲିବଲ୍ ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ନୂଆ ଇତିହାସ ରଚିଛି। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୩-୧ ସେଟରେ ହରାଇ ଏହି ଗୌରବ ପାଇଛି। ଫାଇନାଲ୍ ପ୍ରବେଶ ସହିତ ଭାରତ ମଧ୍ୟ ଆଗାମି ଏଫଆଇଭିବି ପୁରୁଷ (୨୩ ବର୍ଷରୁ କମ) ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରି ନେଇଛି। ଚମତ୍କାର ଫର୍ମରେ ଥିବା ପାକିସ୍ତାନ ଶନିବାର ପ୍ରଥମ ସେଟ୍‌କୁ ୨୫-୨୧ରେ ଜିତି ନେଇଥିଲା। ଭାରତ କିନ୍ତୁ ପରବର୍ତୀ ତିନିଟି ସେଟ୍‌କୁ ୨୫-୧୬, ୨୫-୨୨, ୨୫-୧୮ରେ ଜିତି ନେଇଥିଲା। ଭାରତ ପାଇଁ ସନ୍‌ ଜନ୍‌ ଏବଂ ଅମିତ ଗୁଲିଆ ଚମତ୍କାର ଖେଳିଥିଲେ। ମ୍ୟାଚ୍ ଅବସରରେ ଭାରତୀୟମାନେ କୌଣସି ଚାପରେ ନ ଥିଲେ ବୋଲି ଭାରତୀୟ ଦଳ ପ୍ରଶିକ୍ଷକ ପ୍ରୀତମ ସିଂହ ଚୌହାନ ପ୍ରକାଶ କରିଛନ୍ତି। ପ୍ରତି ପ୍ରତିଦ୍ବନ୍ଦ୍ବୀ ଆମ ପାଇଁ ସମାନ ଥିଲେ ବୋଲି ସେ କହିଥିଲେ। ଭାରତ ଫାଇନାଲରେ ରବିବାର ଚାଇନିଜ୍ ତାଇପେକୁ ଭେଟିବ। ପୂର୍ବରୁ ଚାଇନିଜ୍ ତାଇପେ ଅନ୍ୟ ସେମିଫାଇନାଲ୍‌ରେ ଜାପାନକୁ ୩-୨ ସେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।

ସମ୍ବନ୍ଧିତ ଖବର