ଏସୀୟ ବିଜୟିନୀ ଗୋମତୀ ୪ ବର୍ଷ ବାସନ୍ଦ

ମୋନାକୋ: ନିଷିଦ୍ଧ ଡ୍ରଗ୍‌ ସେବନ ଅପରାଧରେ ଏସୀୟ ବିଜୟିନୀ ଧାବିକା ଗୋମତୀ ମାରିମୁଥୁଙ୍କୁ ଶୁକ୍ରବାର ୪ ବର୍ଷ ବାସନ୍ଦ କରାଯାଇଛି। ଏଥିସହ ତାଙ୍କ ୮୦୦ ମିଟର ସ୍ବର୍ଣ୍ଣ ପଦକକୁ ମଧ୍ୟ ପ୍ରତ୍ୟାହାର କରିନିଆଯାଇଛି। ୩୧ ବର୍ଷୀୟା ଏହି ଭାରତୀୟ ଧାବିକାଙ୍କ ବାସନ୍ଦ ସମୟ ମେ’ ୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ। ଗତ ବର୍ଷର ଦୁଇମାସ ମଧ୍ୟରେ ତାଙ୍କର ସମସ୍ତ ରେସ୍‌କୁ ମଧ୍ୟ ଅଯୋଗ୍ୟ ଘୋଷିତ କରାଯାଇଛି ବୋଲି ଆଥ୍‌ଲେଟ୍‌ ଅଖଣ୍ଡତା ୟୁନିଟ୍‌ (ଏଆଇୟୁ) ପକ୍ଷରୁ ସୂଚନା ଦିଆଯାଇଛି। ଗତବର୍ଷ ଏପ୍ରିଲ୍‌ରେ କାତାର ଏସୀୟ ଟ୍ରାକ୍‌ ପ୍ରତିଯୋଗିତା ବେଳେ ମାରିମୁଥୁ ‌ନିଷିଦ୍ଧ ଔଷଧ ସେବନ କରିଥିବାର ପ୍ରମାଣ ମିଳିଥିଲା। ଏହା ପରେ ତାଙ୍କର ନମୂନା ୩ ଥର ପରୀକ୍ଷା କରାଯାଇଥିଲା ଏବଂ ସମସ୍ତ ରିପୋର୍ଟ ପଜିଟିଭ୍‌ ଆସିଥିଲା। ବାସନ୍ଦ ଉପରେ ଏବେ ମାରିମୁଥୁଙ୍କ କେବଳ କୋର୍ଟ ଅଫ୍‌ ଅର୍ବିଟ୍ରେସନ୍‌ ଫର୍‌ ସ୍ପୋର୍ଟସ (କାସ୍‌)ର ଦ୍ବାରସ୍ଥ ହେବାର ବିକଳ୍ପ ଖୋଲାରହିଛି।

ସମ୍ବନ୍ଧିତ ଖବର