ଏସୀୟ କୁସ୍ତି: ସ୍ବର୍ଣ୍ଣ ବଜାୟ ରଖିଲେ ରବି କୁମାର

ବଜରଙ୍ଗଙ୍କୁ ରୌପ୍ୟ; ନରସିଂହ ଓ ସତ୍ୟବ୍ରତଙ୍କୁ କାଂସ୍ୟ

ଅଲ୍‌ମାଟି: ଏଠାରେ ଚାଲିଥିବା ‌ଏସୀୟ କୁସ୍ତି ପ୍ରତିଯୋଗିତାରେ ଗତଥରର ବିଜୟିନୀ ସରିତା ମୋର (୫୯ କେଜି), ଭିନେଶ ଫୋଗତ୍‌ (୫୩ କେଜି), ଅଂଶୁ ମଲିକ (୫୭ କେଜି) ଏବଂ ଦିବ୍ୟା କାକ୍ରନ (୭୨ କେଜି) ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲା ବେଳେ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିସାରିଥିବା ରବି କୁମାର ଦାହିୟା (୫୭ କେଜି) ଆଉ ଏକ ସ୍ବର୍ଣ୍ଣ ଭେଟି ଦେଇଛନ୍ତି। ଗତ ଦିଲ୍ଲୀ ଏସୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ରବି କୁମାର ଏଠାରେ ଶନିବାର ଫାଇନାଲ୍‌ରେ ଇରାନର ଅଲିରେଜା ନୋସ୍‌ରାତୁଲ୍ଲା ସାର୍‌ଲାକ୍‌ଙ୍କୁ ୯-୨ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ବଜାୟ ରଖିଛନ୍ତି। ସେ ମଧ୍ୟ ଚଳିତ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରଥମ ଫ୍ରି‌ଷ୍ଟାଇଲ ସ୍ବର୍ଣ୍ଣ କରାୟତ୍ତ କରିଛନ୍ତି।

ଅନ୍ୟପକ୍ଷରେ ୨୦୧୮ ବିଶ୍ବ ଚାମ୍ପିଅନ୍‌ସିପ୍‌ ଏବଂ ଗତବର୍ଷର ଏସୀୟ ପ୍ରତିଯୋଗିତା ଫାଇନାଲ୍‌ରେ ଜାପାନୀ ପ୍ରତିଦ୍ବନ୍ଦ୍ବୀଙ୍କ ନିକଟରୁ ହାରି ସ୍ବର୍ଣ୍ଣରୁ ବଞ୍ଚିତ ହୋଇଥିବା ବଜରଙ୍ଗ ଏଥର ମଧ୍ୟ ଏସୀୟ ସ୍ବର୍ଣ୍ଣରୁ ବଞ୍ଚିତ ହେଲେ। ଶନିବାର ଫାଇନାଲ୍‌ରେ ବଜରଙ୍ଗ (୬୫ କେଜି)ଙ୍କ ମୁକାବିଲା ଜାପାନୀ ପ୍ରତିଦ୍ବନ୍ଦ୍ବୀ ଟାକୁଟୋ ଓଟୋଗୁରୋଙ୍କ ସହ ହେବାର ଥିଲା। ହେଲେ ଆହତ ଯୋଗୁଁ ସେ ଲଢ଼େଇରୁ ଓହରି ଯାଇଥିଲେ। ଫଳରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ତାଙ୍କର କହୁଣୀ ସମସ୍ୟା ଦେଖା ଦେଇଥିଲା। ଆଗକୁ ଅଲିମ୍ପିକ୍ସ ଥିବାରୁ ଅଧିକ ରିସ୍କ ନନେବାକୁ ପ୍ରଶିକ୍ଷକ ପରାମର୍ଶ ଦେଇଥିଲେ। ତେଣୁ ଫାଇନାଲ୍‌ ଲଢ଼େଇରୁ ଓହରିବାକୁ ବାଧ୍ୟ ହୋଇଥିଲି ବୋଲି କହିଛନ୍ତି ବଜରଙ୍ଗ।

ସେହିପରି ଅନ୍ୟ ଦୁଇ ଭାରତୀୟ ନରସିଂହ ପଞ୍ଚମ ଯାଦବ (୭୪ କେଜି) ଓ ସତ୍ୟବ୍ରତ କାଡିଆଁ (୯୭ କେଜି) ପଦକ ରାଉଣ୍ଡରେ ପହଞ୍ଚିବା ପରେ ଆଗକୁ ବଢ଼ି ପାରିନଥିଲେ। ଉଭୟେ ନିଜ ନିଜର ସେମିଫାଇନାଲ୍‌ ଲଢ଼େଇ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଏହା ପୂର୍ବରୁ ସୀମା ବିସ୍‌ଲା (୫୦ କେଜି) ଓ ପୂଜା (୭୬ ‌କେଜି) ମଧ୍ୟ ନିଜ ନିଜର ସେମିଫାଇନାଲ୍‌ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଅନ୍ୟପକ୍ଷରେ ନିଜର ପ୍ରିୟ ୬୨ କେଜି ପରିବର୍ତେ ୬୫ କେଜିରେ ପ୍ରତିଦ୍ବନ୍ଦ୍ବିତା କରିଥିବା ସାକ୍ଷୀ ମଲିକ ଫାଇନାଲ୍‌ରେ ହାରି ରୌପ୍ୟ ପଦକ ହାସଲ କରିଛନ୍ତି। ସ୍ବର୍ଣ୍ଣ ପଦକ ମୁକାବିଲାରେ ସେ ମଙ୍ଗୋଲିଆର ବୋଲୋରତୁଙ୍ଗାଲାଗ୍‌ ଜୋରାଇଟ୍‌ଙ୍କଠୁ ହାରିଯାଇଥିଲେ।

ସମ୍ବନ୍ଧିତ ଖବର