ଏସୀୟ କୁସ୍ତି: ଅମିତ୍‌ ଓ ରାଣାଙ୍କୁ ରୌପ୍ୟ

ରାହୁଲ୍‌, ସତ୍ୟବ୍ରତଙ୍କୁ କାଂସ୍ୟ

ଜିଆନ୍‌ (ଚୀନ୍‌): ବିଶ୍ବର ଏକ ନମ୍ବର କୁସ୍ତି ତାରକା ବଜରଙ୍ଗ ପୁନିଆ (ପୁରୁଷ ଫ୍ରିଷ୍ଟାଇଲ୍‌ ୬୫ କେଜି) ଏସୀୟ କୁସ୍ତି ପ୍ରତିଯୋଗିତାର ଭାରତ ପାଇଁ ସ୍ବର୍ଣ୍ଣ ପଦକରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ଅମିତ୍‌ ଧନ୍‌କର (୭୪ କେଜି) ଓ ପ୍ରବୀଣ ରାଣା ( ୭୯ କେଜି) ଏବଂ ରାହୁଲ୍‌ ଆୱାରେ (୬୧ କେଜି) ଓ ସତ୍ୟବ୍ରତ କାଡିଆଁ (୯୭ କେଜି) ଯଥାକ୍ରମେ ଦୁଇଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ‌ଭେଟି ଦେଇଛନ୍ତି। ୨୦୧୩ ସଂସ୍କରଣରେ ୬୬ କେଜି ସ୍ବର୍ଣ୍ଣ ଜିତିଥିବା ଅମିତ ବୁଧବାର ଫାଇନାଲ୍‌ରେ କାଜାକସ୍ତାନର ଦାନିୟାର କାଇସାନୋଭ୍‌ଙ୍କଠୁ ୦-୫ରେ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ପୂର୍ବରୁ ମଙ୍ଗଳବାର ଫାଇନାଲ୍‌ରେ ରାଣା ଇରାନ୍‌ ଯୋଦ୍ଧା ମହମ୍ମଦ ତିମୌରିଙ୍କ ନିକଟରୁ ୦-୩ରେ ହାରି ଯାଇଥିଲେ। ଅନ୍ୟପକ୍ଷରେ ଗୋଲ୍‌ଡକୋଷ୍ଠ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ରାହୁଲ୍‌ ବୁଧବାର କୋରିଆର ଜିଞ୍ଚଲ୍‌ କିମ୍‌ଙ୍କୁ ୯-୨ରେ ପରାସ୍ତ କରି କାଂସ୍ୟ ପଦକ ହାସଲ କରିଥିଲା ବେଳେ ମଙ୍ଗଳବାର କାଂସ୍ୟ ପଦକ ମୁକାବିଲାରେ ସତ୍ୟବ୍ରତ ଜାପାନର ୟୁକି ଟାକାହାସିଙ୍କୁ ପରାସ୍ତ କରିଦେଇଥିଲେ। ଏଥି ସହିତ ଦ୍ବିତୀୟ ଦିବସ ସୁଦ୍ଧା ଭାରତ ମୋଟ ୫ (୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ କାଂସ୍ୟ) ପଦକ କରାୟତ କରିସାରିଛି।

ସମ୍ବନ୍ଧିତ ଖବର