ଏସୀୟ ଯୁବ ଦୌଡ଼କୁଦ: ତୃତୀୟ ଦିନରେ ଭାରତକୁ ୪ ପଦକ, ସୁନିଲଙ୍କୁ ଡେକାଥଲନ୍ ସ୍ବର୍ଣ୍ଣ

ୟେଞ୍ଚିଅନ୍‌ (ଦକ୍ଷିଣ କୋରିଆ) : ଚଳିତ ୨୦ ବର୍ଷରୁ କମ୍ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ମଙ୍ଗଳବାର ଭାରତକୁ ୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ସହ ମୋଟ ୪ ପଦକ ମିଳିଛି। ଫଳରେ ଭାରତର ପଦକ ସଂଖ୍ୟା ୧୩ (୪ ସ୍ବର୍ଣ୍ଣ, ୫ ରୌପ୍ୟ, ୪ କାଂସ୍ୟ)ରେ ପହଞ୍ଚିଛି। ଏକମାତ୍ର ସ୍ବର୍ଣ୍ଣଟି ଡେକାଥଲନ୍‌ରେ ସୁନିଲ କୁମାର ଜିତିଥିଲେ। ୧୦ ଇଭେଣ୍ଟ ଯୁକ୍ତ ଏହି ଡେକାଥଲନରେ ସୁନିଲ ୭୦୦୩ ପଏଣ୍ଟ କରାୟତ କରି ଏହି ପଦକ ଜିତିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଥିଲା।

ମହିଳା ଉଚ୍ଚ ଡିଆଁଳି ପୂଜା ଓ ଧାବିକା ବୁଶ୍ରା ଖାନ ରୌପ୍ୟ ଜିତିଥିଲା ବେଳେ ଭାରତୀୟ ମହିଳା ୪ ଗୁଣା ୧୦୦ ମିଟର ରିଲେ ଦଳ କାଂସ୍ୟ ପଦକ ଜିତିଥିଲେ। ପୂଜା ୧.୮୨ ମିଟର ଡେଇଁ ଏହି ପଦକ ଜିତିଥିଲା ବେଳେ ବୁଶ୍ରା ୩୦୦୦ ମିଟର ରେସ୍‌କୁ ୯:୪୧.୪୭ ସେକେଣ୍ଡ ସମୟରେ ଶେଷ କରି ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଅଭିନୟା, ଅକ୍ଷୟା, ତମନ୍ନା ଓ ନୟନାଙ୍କୁ ନେଇ ଗଠିତ ମହିଳା ୪ ଗୁଣା ୧୦୦ ମିଟର ରିଲେ ଦଳ ୪୫.୩୬ ସେକେଣ୍ଡରେ ରେସ୍‌ ଶେଷ କରି ତୃତୀୟରେ ରହିଥିଲେ। ମହିଳା ୨୦୦ ମିଟର ଦୌଡ଼ର ଫାଇନାଲ୍‌ରେ ନୟନା କୋକାରେ (୨୪.୬୮ ସେକେଣ୍ଡ) ଓ ଉନ୍ନତି ଆଇପ୍ପା (୨୪.୯୦ ସେକେଣ୍ଡ) ପହଞ୍ଚି ପଦକ ଆଶା ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର