ଏସୀୟ ଯୁବ ମୁଷ୍ଟିଯୁଦ୍ଧରେ ଭାରତକୁ ୨୦ ପଦକ

ଦୁବାଇ: ଏସୀୟ ଯୁବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭ‌ାରତୀୟ ଯୋଦ୍ଧାମାନେ କମାଲ କରିଛନ୍ତି। ଏହି ପ୍ରତିଯୋଗିତାର ଗତ ସଂସ୍କରଣ (ମଙ୍ଗୋଲିଆର ଉଲାନ୍‌ବାତର)ରେ ୫ ସ୍ବର୍ଣ୍ଣ ସହ ମୋଟ ୧୨ ପଦକ ହାସଲ କରିଥିବା ଭାରତ ଚଳିତ ସଂସ୍କରଣରେ ୬ ସ୍ବର୍ଣ୍ଣ ସହ ମୋଟ ୨୦ ପଦକ ପାଇ ଆଧିପତ୍ୟ ଜାହିର କରିଛି। ୬ ସ୍ବର୍ଣ୍ଣ ବ୍ୟତୀତ ୯ ରୌପ୍ୟ ଓ ୫ କାଂସ୍ୟ ପଦକ ପାଇ ଭାରତୀୟ ଦଳ ମଧ୍ୟ ଅଭିଯାନ ଶେଷ କରିଛି। ୧୦ ବାଳିକା ଫାଇନାଲିଷ୍ଟ୍‌ଙ୍କ ମଧ୍ୟରୁ ୬ ଜଣ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ସୋମବାର ଅନ୍ତିମ ଦିବସରେ ପ୍ରୀତି ଦାହିୟା (୬୦ କେଜି), ସ୍ନେହା କୁମାରୀ (୬୬ କେଜି), ଖୁସୀ (୭୫ କେଜି) ଏବଂ ନେହା (୫୪ କେଜି) ସ୍ବର୍ଣ୍ଣ ପଦକ କବ୍‌ଜା କରିଥିଲେ। ଫାଇନାଲ୍‌ରେ ପ୍ରୀତି କାଜାକସ୍ତାନର ଜୁଲ୍‌ଦିଜ୍‌ ସାୟାକ୍‌ମେତୋଭାଙ୍କୁ ୩-୨, ସ୍ନେହା ୟୁଏଇର ରାହମା ଖାଲ୍‌ଫାନ୍‌ ଆଲ୍‌ମୁର୍ସିଦିଙ୍କୁ, ଖୁସୀ କାଜାକସ୍ତାନର ଦାନା ଦିଦେଙ୍କୁ ୩-୦ରେ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ପ୍ରୀତି (୫୭ କେଜି), ଖୁସୀ (୬୩ କେଜି), ତନୀଷା ସାନ୍ଧୁ (୮୧ କେଜି), ନିବେଦିତା (୪୮ କେଜି), ତମନ୍ନା (୫୦ କେଜି) ଏବଂ ସିମ୍ରନ (୫୨ କେଜି) ରୌପ୍ୟ ପଦକ ହାସଲ କରିଥିଲେ। ବାଳିକାଙ୍କ ବ୍ୟତୀତ ବାଳକଙ୍କ ମଧ୍ୟରେ ବିଶ୍ବ ଯୁବ କାଂସ୍ୟ ବିଜେତା ବିଶ୍ବମିତ୍ର ଚୋଙ୍ଗ୍‌ଥାମ୍‌ (୫୧ କେଜି) ଏବଂ ବିଶାଲ (୮୦ କେଜି) ସ୍ବର୍ଣ୍ଣ ପଦକ ଜିତିଥିଲା ବେ‌ଳେ ବିଶ୍ବନାଥ ସୁରେଶ (୪୮ କେଜି), ବଂଶରାଜ (୬୩.୫ କେଜି) ଏବଂ ଜୟଦୀପ ରାୱତ (୭୧ କେଜି) ରୌପ୍ୟ ପଦକ ହାସଲ କରିଥିଲେ।

ଏହା ପୂର୍ବରୁ ଜଣେ ବାଳିକା ସହିତ ୪ ବାଳକ ନିଜ ନିଜର ସେମିଫାଇନାଲ୍‌ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ସେମାନେ ହେଲେ ଦକ୍ଷ (୬୭ କେଜି), ଦୀପକ (୭୫ କେଜି), ଅଭିମନ୍ୟୁ (୯୨ କେଜି), ଅମନ ସିଂହ ବିସ୍ତ (୯୨+ କେଜି) ଏବଂ ଲାସୁ ଯାଦବ (୭୦ କେଜି ବାଳିକା)। ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ୬୦୦୦, ରୌପ୍ୟ ବିଜେତାଙ୍କୁ ୩୦୦୦ ଏବଂ କାଂସ୍ୟ ବିଜେତାଙ୍କୁ ୧୫୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ଅମଳ କରିଥିଲେ। ଏଠାରେ ଯୁବ ବର୍ଗ ସାଙ୍ଗକୁ କନିଷ୍ଠ ବର୍ଗରେ ମିଳିତ ଭାବେ ପ୍ରଥମ ଥର ପ୍ରତିଯୋଗିତା ଆୟୋଜିତ ହୋଇଥିଲା ବେଳେ ସୋମବାର କନିଷ୍ଠ ଭାରତୀୟ ପ୍ରତିଯୋଗୀମାନେ ୧୯ (୮ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୬ କାଂସ୍ୟ) ପଦକ ସହ ଅଭିଯାନ ଶେଷ କରିଥିଲେ।

ସମ୍ବନ୍ଧିତ ଖବର