ଭୁବନେଶ୍ବର: ଅକ୍ଟୋବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏସୀୟ ଯୁବ ଚେସ୍ରେ ଓଡ଼ିଶା ଡବୁଲ୍ୟଏଫଏମ୍ ସାଇନା ସଲୋନିକା ପୁଣି ଥରେ ରୌପ୍ୟ ପଦକ ଜିତିଛନ୍ତି। ଏଆଇସିଏଫ୍ ପକ୍ଷରୁ ଅନଲାଇନ୍ର ଟର୍ଣ୍ଣେଲୋ ପ୍ଲାଟଫର୍ମରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ୧୮ ବର୍ଷରୁ କମ୍ ବାଳିକା ବର୍ଗରେ ସାଇନା ୯ ରାଉଣ୍ଡରୁ ୬.୫ ପଏଣ୍ଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ୫ ବିଜୟ, ୩ ଅମୀମାଂସିତ ସହ ସେ ଚମତ୍କାର ଭାବେ ଅଭିଯାନ ଶେଷ କରିଥିଲେ। ଅନ୍ୟତମ ଭାରତୀୟ ସୁସ୍ମିତା ଭୌମିକ ୭ ପଏଣ୍ଟ୍ ସହ ବିଜୟିନୀ ହୋଇଥିଲେ। ଇରାନ୍ର ମହମ୍ମଦି ମେଲିକା ୬.୫ ପଏଣ୍ଟ୍ ସହ କାଂସ୍ୟ ପଦକ ପାଇଥିଲେ।
ସାଇନା ଏହି ପ୍ରତିଯୋଗିତାରେ ଶ୍ରୀଲଙ୍କାର ବିଥାନାୱାସମ୍ ଓନେଲି,ଭିଏତନାମର ଏନଗୁଏଁ ଥି ଏନଗକ୍ ମାଇ, ଡବଲ୍ୟୁଆଇଏମ୍ ବାକ୍ ଏକଗକ୍ ଥଏ ଦୁଅଙ୍ଗ, ଜିଆ ଥୁ ଫାମ୍ ଟ୍ରାନ୍, ଭାରତୀୟ ଡବୁଲ୍ୟଏଫଏମ୍ ପ୍ରାଚୀତି ଚନ୍ଦ୍ରାତ୍ରେୟଙ୍କୁ ପରାସ୍ତ କରିଥିଲେ। ଏହା ସାଇନାଙ୍କ ୨୦ତମ ଅନ୍ତର୍ଜାତୀୟ ପଦକ। ଗତ ମାସରେ ମଧ୍ୟ ସାଇନା ଦକ୍ଷିଣ ଏସୀୟ ଯୁବ ଚେସ୍ ପ୍ରତିଯୋଗିତାରେ ବ୍ୟକ୍ତିଗତ ରୌପ୍ୟ ଓ ଦଳଗତ ସ୍ବର୍ଣ୍ଣ ପଦକ ଜିତିଥିଲେ। ସମ୍ପ୍ରତି କିଟ୍ ଅନ୍ତର୍ଜାତୀୟ ସ୍କୁଲରୁ ୯୭.୪ ପ୍ରତିଶତ ସହ ସିବିଏସ୍ଇ ଦ୍ବାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସାଇନା କେନ୍ଦୁଝର ଜିଲ୍ଲା ସୁଲଣ ଗ୍ରାମର ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଣେଶ୍ବର ଜେନା ଓ ବବିତା ଜେନାଙ୍କ ଦ୍ବିତୀୟ କନ୍ୟା। ଅଦ୍ୟାବଧି ଦୁଇଟି ମହିଳା ଅନ୍ତର୍ଜାତୀୟ ମାଷ୍ଟର୍ ନର୍ମ ଅର୍ଜନ କରି ସେ ଟାଇଟଲ୍ ଆଶାରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/5d64g65a4d654d65dgagdagdaggda.jpg)