ଭୁବନେଶ୍ବର: ବାହାରିନ୍‌ଠାରେ ଚାଲିଥିବା ଏସୀୟ ଯୁବ କ୍ରୀଡ଼ାର ମହିଳା ଭାରୋତ୍ତୋଳନରେ ଓଡ଼ିଶାର ପ୍ରୀତିସ୍ମିତା ଭୋଇ ନୂଆ ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୪୪ କିଲୋଗ୍ରାମ୍‌ରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରୀତିସ୍ମିତା ସ୍ନାଚ୍‌ରେ ୬୬ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୯୨ କିଲୋଗ୍ରାମ ସହ  ମୋଟ ଉପରେ ୧୫୮ କିଲୋଗ୍ରାମ ଭାର ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥି ସହିତ ଯୁବ ବର୍ଗରେ ନିଜ ନାମରେ ଥିବା କ୍ଲିନ୍ ଆଣ୍ଡ୍ ଜର୍କ ଏସୀୟ ତଥା ବିଶ୍ବ ରେକର୍ଡ ଭାଙ୍ଗି ଦେଇଛନ୍ତି। ପୂର୍ବରୁ ପ୍ରୀତିସ୍ମିତାଙ୍କ ନାମରେ ଏସୀୟ ରେକର୍ଡ (୮୮ କିଲୋଗ୍ରାମ) ଏବଂ ବିଶ୍ବ ରେକର୍ଡ (୯୦ କିଲୋଗ୍ରାମ) ଥିବାରୁ ସେ ନିଜ ନାମରେ ଏହାକୁ ପୁନଃ ଲେଖିଦେଇଛନ୍ତି।

Advertisment

ଏହି ପ୍ରଦର୍ଶନ ସହିତ ପ୍ରୀତି ସ୍ନାଚରୁ ରୌପ୍ୟ, କ୍ଲିନ୍ ଆଣ୍ଡ୍ ଜର୍କରୁ ସ୍ବର୍ଣ୍ଣ ଏବଂ ମୋଟ ଉପରେ ସ୍ବର୍ଣ୍ଣ ଜିତି ୩ ପଦକ ଅମଳ କରିଛନ୍ତି। ଢେଙ୍କାନାଳର ଭାରୋତ୍ତୋଳନ ଉପକେନ୍ଦ୍ରର ଅନ୍ତେବାସୀ ପ୍ରୀତିସ୍ମିତା ସଂପ୍ରତି ଉତ୍ତରପ୍ରଦେଶର ମୋଦୀ ନଗରଠାରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ପ୍ରଶିକ୍ଷକ ବିଜୟ ଶର୍ମାଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। ଏହି ସ୍ମରଣୀୟ ସଫଳତା ପାଇଁ  ଓଡ଼ିଶା ଭାରୋତ୍ତୋଳନ ସଂଘର ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ, ସଂପାଦକ ଗୋପାଳକୃଷ୍ଣ ଦାସ, ଉପସଭାପତି ହରିପ୍ରସାଦ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ମିଶ୍ର ପ୍ରମୁଖ ପ୍ରୀତିସ୍ମିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।