ଭୁବନେଶ୍ବର : ବାହାରିନ୍ର ରିଫାଠାରେ ଚାଲିଥିବା ୨୧ତମ ଏସୀୟ ଯୁବ (୨୦ ବର୍ଷରୁ କମ୍) ଭଲିବଲ୍ ପ୍ରତିଯୋଗିତାରେ ଭାରତୀୟ ଦଳ ଇତିହାସ ରଚିଛି। ଦୀର୍ଘ ୨୦ ବର୍ଷ ପରେ ୨୦ ବର୍ଷରୁ କମ୍ ପୁରୁଷ ଦଳ ଫାଇନାଲ୍ରେ ପ୍ରବେଶ କରି ଏହି ଐତିହାସିକ ସଫଳତା ହାତେଇଛି। ଆୟୋଜକ ବାହାରିନ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚି ଯାଇଥିବା ଭାରତୀୟ ଦଳ ରବିବାର ଶକ୍ତିଶାଳୀ ଥାଇଲାଣ୍ଡ୍କୁ ୩-୧ (୨୫-୨୧, ୨୩-୨୫, ୨୫-୧୮ ଓ ୨୫-୧୭) ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଗତକାଲି ପ୍ଲେଅଫ୍ ମ୍ୟାଚ୍ରେ ୪ ଥର ଏସୀୟ ବିଜେତା ଚୀନ୍କୁ ପରାସ୍ତ କରିଥିବା ଥାଇଲାଣ୍ଡ୍ ସେମିଫାଇନାଲ୍ରେ କିନ୍ତୁ ଇରାନ୍ର ଉର୍ମିନା ସଂସ୍କରଣ (୨୦୧୨)ରେ ଚତୁର୍ଥ ସ୍ଥାନ ପାଇଥିବା ଭାରତ ନିକଟରେ ହାର୍ ମାନିଥିଲା। ସେମିଫାଇନାଲ୍ରେ ଭାରତ ପକ୍ଷରୁ ସାଇଡ୍ ସେଟର୍ ସମୀର ଚମତ୍କାର ପ୍ରଦର୍ଶନ କରିଥିଲେ। ଆଟାକର ହର୍ଷିତ୍, ଅମନ୍ ଓ ବ୍ଲକର୍ ଦୁଷ୍ୟନ୍ତ ମଧ୍ୟ ତାଙ୍କୁ ବହୁମୂଲ୍ୟ ସହଯୋଗ ଦେଇଥିଲେ।
ଏଠାରେ ସୂଚନାଯୋଗ୍ୟ, ଏସୀୟ ପ୍ରତିଯୋଗିତାରେ ଭାରତର ସର୍ବଶ୍ରେଷ୍ଠ ସଫଳତା ୧୯୯୪ ଓ ୨୦୦୨ରେ ମିଳିଥିଲା। ଏହି ଦୁଇ ସଂସ୍କରଣରେ ଭାରତ ରୌପ୍ୟ ପଦକ ଜିତିଥିଲା ବେଳେ ୧୯୮୦, ୨୦୦୬ ଏବଂ ୨୦୧୦ରେ କାଂସ୍ୟ ଏବଂ ୧୯୯୬, ୨୦୦୮ ଓ ୨୦୧୨ରେ ଚତୁର୍ଥ ସ୍ଥାନ ପାଇଥିଲା। ରବିବାର ଐତିହାସିକ ସଫଳତା ପାଇଁ ଦଳକୁ ଭାରତୀୟ ଭଲିବଲ୍ ସଂଘ ସଭାପତି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ଫାଇନାଲ୍ରେ ବିଜୟୀ ହୋଇ ସ୍ବର୍ଣ୍ଣ ପଦକ ଜିତିବାକୁ ଶୁଭକାମନା ମଧ୍ୟ ଜଣାଇଛନ୍ତି।