ଏସୀୟ ମୁଷ୍ଟିଯୁଦ୍ଧ ଫାଇନାଲ୍‌ରେ ୬ ଭାରତୀୟ

ବ୍ୟାଙ୍କକ୍‌: ଏଠାରେ ଚାଲିଥିବା ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ୧୩ ଜଣ ଭାରତୀୟ ଯୋଦ୍ଧା ସେମିଫାଇନାଲ୍‌ ପ୍ରବେଶ କରିଥିଲେ। ‌ସେମାନଙ୍କ ମଧ୍ୟରୁ ଗୁରୁବାର ୬ ଜଣ ଫାଇନାଲ୍‌ ପହଞ୍ଚି ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ପୁରୁଷ ବର୍ଗରେ ଅମିତ ପଂଘଲ (୫୨ କେଜି) ଓ କବିନ୍ଦର ବିସ୍ତ (୫୬ କେଜି) ଚଳିତ ବର୍ଷ କ୍ରମାଗତ ଦ୍ବିତୀୟ ଥର ପାଇଁ ଆନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ହାସଲର ନିକଟତର ହୋଇଥିଲା ବେଳେ ଦୀପକ୍‌ ସିଂହ (୪୯ କେଜି) ଓ ଆଶିଷ କୁମାର (୭୫ କେଜି) ମଧ୍ୟ ସ୍ବର୍ଣ୍ଣ ପାଇଁ ଲଢ଼ିବା ପକ୍କା କରିଛନ୍ତି। ସେହିପରି ମହିଳାରେ ପୂଜା ରାଣୀ (୭୫ କେଜି) ଓ ସିମ୍ରନ୍‌ଜିତ୍‌ କୌର (୬୪ କେଜି) ନିଜ ନିଜର ସେମିଫାଇନାଲ୍‌ ଲଢ଼େଇ ଜିତି ନେଇଛନ୍ତି। ତେବେ ଅନ୍ୟତମ ମହିଳା ଏଲ୍‌ ସରିତା ଦେବୀ (୬୦ କେଜି) ଏବଂ ଗତ ସଂସ୍କରଣର ରୌପ୍ୟ ବିଜୟିନୀ ମନୀଷା (୫୪ କେଜି) କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ସେମିଫାଇନାଲ୍‌ରେ ସରିତା ଦେବୀ ଚୀନ୍‌ର ୟାଙ୍ଗ୍‌ ୱେନ୍‌ଲୁଙ୍କଠୁ ଏବଂ ମନୀଷା ତାଇୱାନ୍‌ର ହୁଆଙ୍ଗ୍‌ ସିଆଓ ୱେନ୍‌ଙ୍କ ନିକଟରୁ ହାରି ଯାଇଥିଲେ। ସେହିପରି ପୁରୁଷ ୬୦ କେଜି ବର୍ଗରେ ଶିବ ଥାପ୍ପା କ୍ରମାଗତ ଚତୁର୍ଥ ଥର ପାଇଁ ସେମିଫାଇନାଲ୍‌ ପ୍ରବେଶ କରିଥିଲା ବେଳେ ପରାଜୟ ସହ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ୨୦୧୫ ସଂସ୍କରଣର ରୌପ୍ୟ ବିଜେତା କାଜାକସ୍ତାନର ଜାକିର ସଫିଲଉିନ୍‌ଙ୍କଠୁ ଥାପ୍ପା ହାରି ଯାଇଥିଲେ। ଥାପ୍ପା, ସରିତା ଓ ମନୀଷାଙ୍କ ଭଳି ଆଶିଷ (୬୯ କେଜି), ସତୀଶ କୁମାର (+୯୧ କେଜି), ପୂର୍ବତନ କନିଷ୍ଠ ବିଶ୍ବ ବିଜେତା ନିଖତ ଜାରିନ୍‌ (୫୧ କେଜି) ଓ ବିଶ୍ବ ରୌପ୍ୟ ବିଜୟିନୀ ସୋନିଆ ଚହଲ୍‌ (୫୭ କେଜି) ମଧ୍ୟ ସେମିଫାଇନାଲ୍‌ ଲଢ଼େଇ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଭାରତୀୟ ପୁରୁଷଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୨୦୦୯ରେ ରହିଥିଲା। ଯେଉଁଥିରେ କି ଭାରତକୁ ୭ ପଦକ ମିଳିଥିଲା। ସେହିଭଳି ମହିଳାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୨୦୦୫ରେ ରହିଥିଲା। ସେଥର ମହିଳାମାନେ ୭ ସ୍ବର୍ଣ୍ଣ ସହ ମୋଟ ୧୧ ପଦକ ପାଇ ପ୍ରଥମ ସ୍ଥାନ ଅକ୍ତିଆର କରିନେଇଥିଲେ।

ସମ୍ବନ୍ଧିତ ଖବର