ଆଶିଷଙ୍କୁ ଭିଏଫ୍‌ଆଇ ସମ୍ବର୍ଦ୍ଧନା

ଭୁବନେଶ୍ବର: ଭାରତୀୟ ଯୁବ ଭଲିବଲ୍ ଦଳରୁ ପ୍ରତିନିଧିତ୍ବ କରି କାଂସ୍ୟ ପଦକ ଜିତିଥିବା ଓଡ଼ିଆ ପୁଅ ଆଶିଷ ସ୍ବାଇଁଙ୍କୁ ଶୁକ୍ରବାର ଭାରତୀୟ ଭଲିବଲ୍ ମହାସଂଘ (ଭିଏଫ୍‌ଆଇ) ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭିଏଫ୍‌ଆଇ ସଭାପତି ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଶିଷଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ସମସ୍ତ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ‘ଆଶିଷ ମୋତେ କହିଥିଲା ମୁଁ ଏକ ଗରିବ ପରିବାରରୁ ଆସିଛି ଏବଂ ପିତା ମୋର ଅଟୋ ରିକ୍ସା ଚଳାଇ ପରିବାର ଚଳାଉଛନ୍ତି। କିଟ୍‌ର ସୁବିଧା ଓ ସ‌ୁଯୋଗ ପାଇନଥିଲେ ଏଭଳି ସଫଳତା ମିଳିପାରିନଥା’ନ୍ତା। ଏଥି ପାଇଁ ମୁଁ କୃତଜ୍ଞତା ଜଣାଉଛି’ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ। ଏହି ସମ୍ବର୍ଧନା ସଭାରେ ଆଶିଷଙ୍କ ପିତା ଭରତ ସ୍ବାଇଁ, ମା ଗୀତାଞ୍ଜଳି ସ୍ବାଇଁ ଏବଂ ଓଡ଼ିଶା ଭଲିବଲ୍ ସଂଘ ସମ୍ପାଦକ ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଇରାନ୍‌ର ତେହେରାନ୍‌ରେ ଅଗଷ୍ଟ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏସୀୟ ୧୮ ବର୍ଷରୁ କମ୍‌ ଭଲିବଲ୍ ପ୍ରତିଯୋଗିତାରେ ଭାରତ କାଂସ୍ୟ ପଦକ ଜିତିଥିଲା। ଆଟାକର୍‌ ଭାବେ ଖେଳିଥିବା ୧୭ ବ‌ର୍ଷୀୟ ଆଶିଷ ନିଜ ପ୍ରଦର୍ଶନର ପ୍ରଭାବ ଛାଡ଼ି ଉଚ୍ଚ ପ୍ରଶଂସିତ ହୋଇଥି‌ଲେ।

ସମ୍ବନ୍ଧିତ ଖବର