ଏସୀୟ ସୌଖୀନ ଚେସ୍‌ରେ ଅପରାଜିତାଙ୍କୁ କାଂସ୍ୟ

ଭୁବନେଶ୍ୱର: ଆନ୍ତର୍ଜାତିକ ଚେସ୍‌ ଖେଳାଳି ଅପରାଜିତା ଗୋଛିକାର ଥାଇଲାଣ୍ଡ୍‌ର ଚିଆଙ୍ଗ୍‌ ମାଇଠାରେ ଆୟୋଜିତ ଏସୀୟ ସୌଖୀନ ଚେସ୍‌ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି। ପୁରୀ ନିବାସୀ ରାମ ନାରାୟଣ ଗୋଛିକାର ଓ ଗୀତା ଗୋଛିକାରଙ୍କ ସୁପୁତ୍ରୀ ଅପରାଜିତା ଏବେ କିଟ୍‌ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରବନ୍ଧକ (ପ୍ରଶାସନ) ଭାବେ କାର୍ଯ୍ୟରତ। ଥାଇଲାଣ୍ଡରେ ଗତ ୨୩ରୁ ଆରମ୍ଭ ହୋଇଥିବା ଏସୀୟ ପ୍ରତିଯୋଗିତାରେ ଅପରାଜିତା ୬ ଭାରତୀୟ ଖେଳାଳିଙ୍କ ସହ ସାମିଲ ଥିଲେ। ଉଭୟ ଓପନ୍‌ ଓ ମହିଳା ବର୍ଗରେ ୨୩ ଦେଶରୁ ଖେଳାଳିମାନେ ଭାଗ ନେଇଥିଲେ। ଗୁରୁବାର ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ମୋଟ ୯ ରାଉଣ୍ଡ୍‌ରୁ ୭ (୬ ବିଜୟ, ୨ ଅମୀମାଂସିତ ଓ ଗୋଟିଏ ପରାଜୟ) ପଏଣ୍ଟ ପାଇ ଅପରାଜିତା ତୃତୀୟ ସ୍ଥାନରେ ଅଭିଯାନ ଶେଷକରି କାଂସ୍ୟ ପଦକ ହାତେଇଛନ୍ତି। ମୋଟ ୬ ଭାରତୀୟଙ୍କ ମଧ୍ୟରୁ ଅପରାଜିତାଙ୍କୁ ମିଶାଇ ୨ ଜଣ ପଦକ ଜିତିବାର ଗୌରବ ବହନ କରିଛନ୍ତି। ଅନ୍ୟ ଭାରତୀୟ ଭାବେ ସନ୍ଧ୍ୟା ଗୋଲି ୭.୫ ପଏଣ୍ଟ୍‌ ସହ ରୌପ୍ୟ ପଦକ ପାଇଛନ୍ତି। ତେବେ ସନ୍ଧ୍ୟାଙ୍କ ସହିତ ଫିଲିପାଇନ୍‌ସର କୁଇଜନ୍‌ ଲୋରେସିଲ୍‌ ସମାନ ୭.୫ ପଏଣ୍ଟ୍‌ ପାଇଥିଲେ ମଧ୍ୟ ସ୍ୱର୍ଣ୍ଣ ପଦକ ଉପରେ କବ୍‌ଜା କରିଛନ୍ତି। ଅପରାଜିତା ପଦକ ଜିତିବାର ଶ୍ରେୟ ତାଙ୍କ ପିତାମାତାଙ୍କ ସହିତ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଦେଇଛନ୍ତି।

ସମ୍ବନ୍ଧିତ ଖବର