ଏଜବାଷ୍ଟନ୍ (ବର୍ମିଂହାମ): ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୩ ସିଜନ୍ର ଆସେସ୍ ଶୃଙ୍ଖଳା ଶୁକ୍ରବାରଠାରୁ ଆରମ୍ଭ ହୋଇଯିବ। ଏହି ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ନିଶ୍ଚିତ ଭାବେ ଅନେକ ରୋମାଞ୍ଚକ ମୁହୂର୍ତ ଛାଡ଼ିଯିବ ବୋଲି ବିଶ୍ବାସ କରାଯାଉଛି। ଏଜବାଷ୍ଟନ୍ରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍ର ଦୁଇ ଦିନ ପୂର୍ବରୁ ଇଂଲଣ୍ଡ ଏହାର ଚୂଡ଼ାନ୍ତ ଏକାଦଶକୁ ଘୋଷଣା କରି ସାରିଥିବା ବେଳେ ଅଷ୍ଟ୍ରେଲିଆ ଚୟନ ସତ୍ତ୍ବେ ଏହାକୁ ଗୋପନ ରଖିଛି। ଇଂଲଣ୍ଡରେ ଅଷ୍ଟ୍ରେଲିଆ ୨୦୦୧ ପରଠାରୁ ଶୃଙ୍ଖଳା ଜିତିନଥିବାରୁ ବିଶ୍ବ ବିଜେତା ପ୍ୟାଟ୍ କମିନ୍ସଙ୍କ ଦଳ ଏବେ ସେହି ଲକ୍ଷ୍ୟରେ ରହିବ। ତେବେ ବ୍ରେଣ୍ଡନ୍ ମ୍ୟାକଲମ୍ ପ୍ରଶିକ୍ଷକ ଦାୟିତ୍ବ ନେବା ପରଠାରୁ ବେନ୍ ଷ୍ଟୋକ୍ସଙ୍କ ଇଂଲିସ୍ ଦଳ ବିଗତ ୧୨ ମାସ ଧରି ଆକ୍ରମଣାତ୍ମକ ଟେଷ୍ଟ୍ କ୍ରିକେଟ୍ ଖେଳି ସଫଳ ହୋଇଛି। ଏବେ ଅସଲ ପରୀକ୍ଷା ବେଳକୁ କିଭଳି ଯୋଜନାରେ ଖେଳୁଛି ଦେଖିବାକୁ ବାକି ରହିଲା। ଏଜବାଷ୍ଟନ୍ ଟେଷ୍ଟ୍ ଅବସରରେ ବର୍ଷାର ପୂର୍ବାନୁମାନ ରହିଛି।
ଏହି ଶୃଙ୍ଖଳାରେ ଜେମ୍ସ ଆଣ୍ଡରସନ୍ ତାଙ୍କ କ୍ରମାଗତ ଦଶମ ଆସେସ୍ ଶୃଙ୍ଖଳାରେ ଅଂଶବିଶେଷ ହେବେ। ଦୀର୍ଘ ୨୦ ବର୍ଷ ଧରି ଟେଷ୍ଟ୍ କ୍ରିକେଟ୍ ଖେଳୁଥିବା ଏହି ଦ୍ରୁତ ବୋଲର ଅଷ୍ଟ୍ରେଲିଆ ବିପକ୍ଷରେ ୩୫ ଟେଷ୍ଟ୍ ଖେଳି ୩୩.୭୬ ହାରରେ ୧୧୨ ୱିକେଟ୍ ନେଇଛନ୍ତି। କିନ୍ତୁ ଅବସର ନେବାର ୨୧ ମାସ ପରେ ଦଳକୁ ଫେରିଥିବା ମୋଇନ୍ ଅଲୀ ଆଉ ୫ ୱିକେଟ୍ ଦଖଲ କଲେ ୨୦୦ ମାଇଲଖୁଣ୍ଟ୍ ଏବଂ ୮୬ ରନ୍ କଲେ ୩୦୦୦ ରନ୍ କ୍ଲବ୍ରେ ସାମିଲ ହୋଇଯିବେ। ବେନ୍ ଷ୍ଟୋକ୍ସ ମଧ୍ୟ ୨୦୦ ୱିକେଟ୍ଠାରୁ ୬ ଦୂରରେ ରହିଛନ୍ତି। ଷ୍ଟିଭେନ୍ ସ୍ମିଥ୍ ମାତ୍ର ୫୩ ରନ୍ କରିପାରିଲେ ୯,୦୦୦ ରନ୍ କ୍ଲବ୍ ଅଷ୍ଟ୍ରେଲୀୟଙ୍କ ମଧ୍ୟରେ ଚତୁର୍ଥ ହେବେ। ପୂର୍ବରୁ ଆଲାନ୍ ବର୍ଡର, ଷ୍ଟିଭ୍ ୱ ଏବଂ ରିକି ପଣ୍ଟିଂ ଏହି କ୍ଲବ୍ରେ ଅଛନ୍ତି।
ଅଷ୍ଟ୍ରେଲିଆ ସମ୍ଭାବ୍ୟ ୧୧:ଡେଭିଡ୍ ୱାର୍ଣ୍ଣର, ଉସମାନ ଖୱାଜା, ମାର୍ନସ ଲବୁସାନ୍, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, କାମେରନ୍ ଗ୍ରିନ୍, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), ମିଚେଲ୍ ଷ୍ଟାର୍କ, ପ୍ୟାଟ୍ କମିନ୍ସ (ଅଧିନାୟକ), ନାଥନ୍ ଲାୟନ, ସ୍କଟ୍ ବୋଲାଣ୍ଡ୍।
ଇଂଲଣ୍ଡ ଚୂଡାନ୍ତ ୧୧: ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜନି ବେୟାରଷ୍ଟୋ (ୱିକେଟରକ୍ଷକ), ମୋଇନ୍ ଅଲୀ, ଓଲି ରବିନସନ୍, ଷ୍ଟୁଆର୍ଟ ବ୍ରଡ୍, ଜେମ୍ସ ଆଣ୍ଡରସନ୍।