ଅଷ୍ଟ୍ରେଲିଆ ୬ ଓ୍ଵିକେଟ୍‌ରେ ପରାସ୍ତ:ଟେଷ୍ଟ୍‍ ଶୃଙ୍ଖଳା ବରାବର କଲା ଭାରତ-ଏ

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ଅଣଆନୁଷ୍ଠାନିକ ‘ଏ’ ଟେଷ୍ଟ୍‍ ଶୃଙ୍ଖଳାକୁ ଭାରତ ବରାବର କରିଛି। ଦୁଇ ଟିକିଆ ଏହି ଚାରିଦିନିଆ ଟେଷ୍ଟ୍‍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ହାରିଥିବା ଭାରତ ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍‌କୁ ୬ ଓ୍ଵିକେଟ୍‌ରେ ଜିତି ନେଇଛି। ଫଳରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ୧-୧ ସମାନ ସ୍ଥିତିରେ ଶେଷ ହୋଇଛି।
ଅଷ୍ଟ୍ରେଲିଆ ପ୍ରଥମ ପାଳିକୁ ୩୪୬ ରନ୍‌ରେ ଅଟକାଇ ଦେବା ପରେ ଭାରତ ପ୍ରଥମ ପାଳିରେ ଶ୍ରୀକର ଭରତ (୧୦୬)ଙ୍କ ଶତକ ସାଙ୍ଗକୁ ରବିକୁମାର ସମର୍ଥ (୮୩), ଅଭିମନ୍ୟୁ ଈଶ୍ୱରନ୍‌ (୮୬), ଶୁଭମନ୍‌ ଗିଲ୍‌ (୫୦) ଓ କୁଲ୍‌ଦୀପ୍‌ ଯାଦବ (୫୨)ଙ୍କ ଅର୍ଧଶତକ ବଳରେ ୫୦୫ ରନ୍‌ କରି ମଜ୍‌ବୁତ ସ୍ଥିତି ପାଇଯାଇଥିଲା। ୧୫୯ ରନ୍‌ରେ ପଛୁଆ ଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳିରେ ପିଟର ହ୍ୟାଣ୍ଡ୍‌ସ୍କମ୍ବ (୫୬)ଙ୍କ ଅର୍ଧଶତକ ଏବଂ ଟ୍ରାଭିସ୍‌ ହେଡ୍‌ଙ୍କ ୪୭ ରନ୍‌ ବଳରେ ୨୧୩ ରନ୍‌ କରିଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ଓ କୃଷ୍ଣପା ଗୌତମ ୩-୩ ଏବଂ ସାହବାଜ ନଦୀମ ଓ ଦୀପକ ଚହର ୨-୨ ଲେଖାଏଁ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଫଳରେ ଭାରତ ଆଗରେ ମାତ୍ର ୫୫ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଆରମ୍ଭରୁ ବିପର୍ଯ୍ୟୟର ସାମ୍‌ନା କରିବା ସତ୍ତ୍ୱେ ଅଙ୍କିତ ବାେଓ୍ଵଁ ୨୮ ଓ ରବିକୁମାର ସମର୍ଥ ୫ ଅପରାଜିତ ରହି ଭାରତକୁ ବିଜୟ ଭେଟି ଦେଇଥିଲେ। ଅଧିନାୟକ ଶ୍ରେୟସ ଆୟର (୩), ଶୁଭମ ଗିଲ (୪), କୃଷ୍ଣପ୍ପା ଗୌତମ (୧) ଏବଂ ଶ୍ରୀକର ଭରତ (୧୨) ଆଉଟ୍‌ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମାଇକେଲ୍‌ ନେସର ଓ କ୍ରିସ୍‌ ଟ୍ରିମେନ ୨ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରି ନେଇଥିଲେ।

ସମ୍ବନ୍ଧିତ ଖବର