ଚାମ୍ପିଅନ୍ସ ଟ୍ରଫି-୨୦୨୫ରେ ଭାରତୀୟ କ୍ରିକେଟ୍ ଦଳର ଭାଗ୍ୟ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ପ୍ରଦର୍ଶନ ଉପରେ ନିର୍ଭରଶୀଳ ରହିବ। ସାମିଙ୍କ ଜାତକ ଓ ଗ୍ରହ ନକ୍ଷତ୍ର ଗଣନା କରି ପ୍ରତିଷ୍ଠିତ ଜ୍ୟୋତିଷ ଗ୍ରିନଷ୍ଟୋନ୍ ଲୋବୋ ଏଭଳି ଭବିଷ୍ୟବାଣୀ କରିଛନ୍ତି। କ୍ରିକେଟ୍ ସଂପର୍କିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଲୋବୋ କହିଛନ୍ତି, ୱାସିମ ଆକ୍ରମ, ଜାହିର ଖାନ୍ ଓ ଯଶପ୍ରୀତ୍ ବୁମ୍ରାଙ୍କ ଭଳି ମହାନ ଦ୍ରୁତ ବୋଲରଙ୍କର ଜାତକରେ ବୃହସ୍ପତି ଓ ମଙ୍ଗଳ ଗୋଟିଏ ଘରେ ରହିଥା’ନ୍ତି। ସାମିଙ୍କ ଜାତକରେ ମଧ୍ୟ ଏଭଳି ସଂଯୋଗ ରହିଛି। ଚାମ୍ପିଅନ୍ସ ଟ୍ରଫିରେ ସେ ଭାରତର ମାଷ୍ଟର କାର୍ଡ ସାବ୍ୟସ୍ତ ହୋଇପାରନ୍ତି।
ଏହା ନିଶ୍ଚିତ ଯେ ଏହି ପ୍ରତିଯୋଗିତରେ ସାମି ପ୍ରମୁଖ ଭୂମିକା ତୁଲାଇବେ। ଅନ୍ୟ ସବୁ ବୋଲର ତାଙ୍କୁ ଅନୁସରଣ କରିବେ। ହର୍ଷିତ ରାଣା ମଧ୍ୟ ବହୁତ ଭଲ କରିବେ। ତେବେ ସାମିଙ୍କୁ ଏଥିଲାଗି କଠିନ ପରିଶ୍ରମ କରିବାକୁ ହେବ। ଏକାଗ୍ରତା ରଖି ଠିକ୍ ଲାଇନ୍ ଲେନ୍ଥରେ ବୋଲିଂ କରିବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ ସାମି ୧୪ ମାସର ବ୍ୟବଧାନ ପରେ ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିଛନ୍ତି। ଏହି ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି ସେ ମଧ୍ୟ ଭାରତର ଚୂଡ଼ାନ୍ତ ଚାମ୍ପିଅନ୍ସ ଟ୍ରଫି ଦଳରେ ସ୍ଥାନ ବଜାୟ ରଖିଛନ୍ତି।