ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ କ୍ରିକେଟ୍ର ଜଣେ ବାସ୍ତବ କିଂବଦନ୍ତି। ତାଙ୍କ ଆନ୍ତର୍ଜାତିକ କ୍ୟାରିୟରରେ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆର ନେତୃତ୍ବ ନେଇ ଲଗାତାର ଦୁଇ ଥର ବିଶ୍ବ କପ୍ ବିଜେତା ହୋଇଥିଲେ। ସେ ମଧ୍ୟ ଉଭୟ ଟେଷ୍ଟ ଓ ଦିନିକିଆରେ ୧୩,୦୦୦ରୁ ଅଧିକ ରନ୍ କରିଛନ୍ତି। ତାଙ୍କ ନାମରେ ୭୧ ଆନ୍ତର୍ଜାତିକ ଶତକ ରହିଛି। ଏଭଳି ଜଣେ ଅନ୍ୟତମ ମହାନ୍ ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ଯେ ଆଦୌ ଆଉଟ୍ କରିପାରିନାହାନ୍ତି ତାହା ହିଁ ଏଠାରେ ଆଲୋଚ୍ୟ ବିଷୟ। ପାକିସ୍ତାନ ସାମ୍ବାଦିକ ମଜହର ଆର୍ସାଦ ଏକ ସାକ୍ଷାତକାରରେ ତାଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନିଜେ ଅଶ୍ବିନ୍ ଏଭଳି ଘଟଣାର ଅବତାରଣା କରିଛନ୍ତି। ଯାହାକି ମଜହରଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅପ୍ଲୋଡ୍ ହୋଇଛି।
ଅଶ୍ବିନ୍ ଟେଷ୍ଟ୍ରେ ଯେଉଁ ବ୍ୟାଟ୍ସମ୍ୟାନ୍ଙ୍କ ୱିକେଟ ପାଇନାହାନ୍ତି ସେମାନଙ୍କ ମଧ୍ୟରୁ ପଣ୍ଟିଂ ହିଁ ସବୁଠୁ ଅଧିକ ତାଙ୍କ ବଲ୍ର ସାମ୍ନା କରିଛନ୍ତି। ଯେତେବେଳେ ଏକ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବା ପାଇଁ ୨୦୧୧ ଡିସେମ୍ବରରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିଥିଲା ସେତେବେଳେ ଅଶ୍ବିନ୍ ଦଳର ନୂଆ ଉଦୀୟମାନ ଅଫ୍ସ୍ପିନର ଭାବେ ଆବିର୍ଭାବ ହୋଇଥିଲେ। ସେତେବେଳେକୁ ପଣ୍ଟିଂ ତାଙ୍କ କ୍ୟାରିୟରର ଶେଷ ସମୟରେ ପହଞ୍ଚିଥିଲେ। ହେଲେ ସେହି ଶୃଙ୍ଖଳା ସାରା ଅଶ୍ବିନ୍ଙ୍କୁ ଅତି ଦୃଢ଼ତାର ସହ ଖେଳିଥିଲେ। ଏପରିକି ୪ଟିଯାକ ଟେଷ୍ଟ୍ରେ ବି ସେ ଅଶ୍ବିନ୍ଙ୍କୁ ନିଜ ୱିକେଟ୍ ଦେଇନଥିଲେ। ସେହି ଶୃଙ୍ଖଳାରେ ଅଶ୍ବିନ୍ଙ୍କ ବୋଲିଂରୁ ୨୫୬ ବଲ୍ ପଣ୍ଟିଂ ସାମ୍ନା କରିଥିଲେ ଆଉ ସଂଗ୍ରହ କରିଥିଲେ ୧୪୮ ରନ୍। ଦୁର୍ଭାଗ୍ୟବଶତଃ ଏହି ଶୃଙ୍ଖଳାକୁ ଉପଭୋଗ କରିଥିବା ସାରା ବିଶ୍ବର ପ୍ରଶଂସକ ଉଭୟ ପଣ୍ଟିଂ ଓ ଅଶ୍ବିନ୍ ପରସ୍ପର କିପରି ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟ୍ରେ ମୁହାଁମୁହିଁ ହେଉଥିଲେ ତାହା ଦେଖିଥିଲେ। ତେଣୁ ପରିସଂଖ୍ୟାନ ଦୃଷ୍ଟିରୁ ଦେଖିଲେ ଟେଷ୍ଟ୍ରେ ଆଉଟ୍ ହୋଇନଥିବା ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ ପଣ୍ଟିଂ ହିଁ ଅଶ୍ବିନ୍ଙ୍କର ସବୁଠୁ ଅଧିକ ବଲ୍ର ସମ୍ମୁଖୀନ ହୋଇଛନ୍ତି। ସେଥିପାଇଁ ପଣ୍ଟିଂ ହିଁ ଅଶ୍ବିନ୍ଙ୍କ ପାଇଁ କଷ୍ଟକର ପ୍ରତିଦ୍ବନ୍ଦ୍ବୀ ପାଲଟିଯାଇଥିଲେ।
ମଜହରଙ୍କ ପ୍ରଶ୍ନରେ ଅଶ୍ବିନ୍ କହିଥିଲେ, ମୁଁ ଭାବୁଛି ନମୁନାର ଆକାର ଖୁବ୍ ଛୋଟ। ମୋ ମତରେ ପଣ୍ଟିଂଙ୍କ ବିପକ୍ଷରେ ମୁଁ ବହୁତ କମ୍ ମ୍ୟାଚ୍ ଖେଳିପାରିଛି। ଆଡିଲେଡ୍ ଟେଷ୍ଟ୍ରେ ସେ ମୋ ବୋଲିଂରେ ଦୁଇ ଥର ଜୀବନଦାନ ପାଇଥିଲେ। ତାଙ୍କ କ୍ୟାଚ୍ ଡ୍ରପ୍ ହୋଇଥିଲା। ଯାହାକୁ ମୁଁ ସ୍ପଷ୍ଟ ଭାବେ ମନେ ପକାଇପାରୁଛି। ସିଡ୍ନି ଟେଷ୍ଟ୍ରେ ସେ ହୁଏତ କିଛି ରନ୍ କରିଥାଇପାରନ୍ତି, ହେଲେ ମେଲ୍ବର୍ନରେ ମୁଁ ତାଙ୍କୁ ବହୁତ କମ୍ ବଲ୍ ପକାଇଥିଲି। କିନ୍ତୁ ଆଡିଲେଡ୍ ଏବଂ ସିଡ୍ନିରେ ମୁଁ ଲମ୍ବା ସମୟ ଧରି ତାଙ୍କୁ ବୋଲିଂ କରିଥିଲି। ପଣ୍ଟିଂ ସେତେବେଳେ ଜଣେ ମହାନ୍ ବ୍ୟାଟ୍ସମ୍ୟାନ୍ ଏବଂ ମୁଁ ଜଣେ ନବାଗତ ଥିଲି। ତଥାପି ମୋ ବିପକ୍ଷରେ କେହି ଯଦି ଭଲ ଖେଳନ୍ତି, ମୁଁ ତାଙ୍କ ପାଇଁ ଗର୍ବ କରେ। ସମୟ ବଢ଼ିବା ସାଙ୍ଗକୁ ଆଗକୁ ତାଙ୍କୁ ପ୍ରତିଆକ୍ରମଣ କରିବାର ପ୍ରୟାସ କରିଥାଏ। ତାହା ତ ଆନ୍ତର୍ଜାତିକ କ୍ରିକେଟ୍। ଯେତେବେଳେ ତୁମେ ଭଲ କର, ତୁମେ କିଛି ଶିଖ। ଆଉ ଯେତେବେଳେ ଖରାପ କର, ସେତେବେଳେ କଠିନ ଶିକ୍ଷା ପାଇଥାଅ ବୋଲି ଅଶ୍ବିନ୍ କହିଥିଲେ। ମୋ ପାଇଁ ମୁଁ ସବୁବେଳେ ଚିନ୍ତାକରେ ପଣ୍ଟିଂ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍। ସେ ସବୁବେଳେ ବଡ଼ ସ୍କୋର୍ କରି ଆଉଟ୍ ହେବାକୁ ଚାହାନ୍ତି ବୋଲି ମୁଁ ମଧ୍ୟ ଅନୁଭବ କରେ। ମୁଁ ଯେତେବେଳେ ଅଷ୍ଟ୍ରେଲିଅ ଗସ୍ତ କରିଥିଲି ସେ ସେଭଳି କୌଣସି ଚାପରେ ଖେଳୁଥିବାର ମୁଁ ଅନୁଭବ କରିପାରିନଥିଲି। ପୁଣି ମୁଁ ସେତେବେଳେ ନବାଗତ ଥିଲି ଏବଂ କ୍ରିକେଟରୁ ବହୁତ କିଛି ଶିଖିବାର ଥିଲା ବୋଲି ଅଶ୍ବିନ୍ କହିଥିଲେ। ତଥାପି କିଏ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଏବଂ କାହାକୁ ବୋଲିଂ କରିବା କଷ୍ଟକର ତାହା ମୁଁ ଦେଖେନି। ଏତିକି ଜାଣିଛି ମ୍ୟାଚ୍ ବେଳେ ନିର୍ଦିଷ୍ଟ ଦିନ ତୁମ ପାଇଁ ଭଲ ବା ଖରାପ ରହିପାରେ। ସେଥିପାଇଁ କେହି ଯଦି ତୁମ ବୋଲିଂ ବିପକ୍ଷରେ ଭଲ ଖେଳିପାରିଲା ତାହାଲେ ତୁମକୁ ଅଧିକ ଶିଖିବାକୁ ଏବଂ ଉନ୍ନତି କରିବାକୁ ପଡ଼ିବ ବୋଲି କହିଛନ୍ତି ଅଶ୍ବିନ୍।