ପ୍ରଥମ ଦେଖାରେ କୋହଲିଙ୍କୁ ବିଶ୍ବାସକୁ ନେଇନଥିଲେ ଡି’ଭିଲିୟର୍ସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଦକ୍ଷିଣ ଆଫ୍ରିକୀୟ ତାରକା ଏବି ଡିଭିଲିୟର୍ସ ଆଇପିଏଲ୍‌ରେ ଗୋଟିଏ ଦଳ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) ପକ୍ଷରୁ ଖେଳନ୍ତି। ଆଧୁନିକ ପିଢ଼ିର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ସତ୍ତ୍ବେ କୋହଲି ଓ ଡିଭିଲିୟର୍ସ ଖୁବ୍‌ ଘନିଷ୍ଠ ବନ୍ଧୁ। ଉଭୟଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ବୋଲି ନିକଟରେ ଏକ ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ ସେସନ୍‌ ବେଳେ ଦୁହେଁ ପ୍ରମାଣିତ କରିଛନ୍ତି। ହେଲେ ସବୁବେଳେ ଉଭୟଙ୍କ ମଧ୍ୟରେ ଏପରି ସ୍ଥିତି ନଥିଲା। ସେହି ଲାଇଭ୍‌ ସେସନ୍‌ରେ ମଧ୍ୟ ଡିଭିଲିୟର୍ସ ଏଭଳି ସୂଚନା ଦେଇଛନ୍ତି। ବିଶେଷକରି ସେ ପ୍ରଥମେ ଯେତେବେଳେ କୋହଲିଙ୍କୁ ଦେଖିଥିଲେ ସେତେବେଳର କାହାଣୀ ବର୍ଣ୍ଣନା କରିଛନ୍ତି ଡିଭିଲିୟର୍ସ। ଉଭୟଙ୍କ ପ୍ରଥମ ସାକ୍ଷାତ ବେଳର କାହାଣୀ ଖୁବ୍‌ ମଜାଦାର ଥିଲା। ଯେତେବେଳେ ତୁମେ କିଛି ବର୍ଷ ଧରି ଜଣଙ୍କ ସଂପର୍କରେ ଶୁଣି ଚାଲିଥିବ ତାଙ୍କୁ ଭେଟିବାକୁ ମନ ହେବାଟା ତ ସାଧାରଣ କଥା। ମୁଁ କୋହଲିଙ୍କ ବିଷୟରେ ଅନେକ କଥା ଦକ୍ଷିଣ ଆଫ୍ରିକା ଦଳୀୟ ସାଥୀ ମାର୍କ ବାଉଚରଙ୍କଠୁ ଶୁଣୁଥିଲି। ମୁଁ ଭାବୁଛି କି ଆର୍‌ସିବି ପାଇଁ ଖେଳିବା ଆରମ୍ଭ କରିଥିଲା ବେଳେ ବୋଧେ କୋହଲିଙ୍କୁ ୧୮ କି ୧୯ ବର୍ଷ ହୋଇଥିଲା। ସେତେବେଳେ ବାଉଚର ମୋତେ ତାଙ୍କ ବିଷୟରେ କହିଥିଲେ। କୋହଲିଙ୍କ ଷ୍ଟାଇଲ୍‌ ଓ କ୍ରିକେଟ୍‌ ସହ ସଂପର୍କକୁ ନେଇ ବହୁତ କିଛି ଶୁଣିଥିଲି। ଏହା ପୂର୍ବରୁ ମୁଁ ତାଙ୍କୁ ତିନି ବର୍ଷ ଧରି ଜାଣିଥିଲି, ହେଲେ କେବେ ବି ସାକ୍ଷାତ ହୋଇପାରିନଥିଲା। ହେଲେ ପ୍ରଥମ ଦେଖାରେ କିନ୍ତୁ ବିଶ୍ବାସକୁ ନେଇ ପାରିନଥିଲି। ମାନବିକତା ଦୃଷ୍ଟିରୁ ମୁଁ ତାଙ୍କ ପାଖକୁ ଯାଇ ‘ହାଏ’ କହିଥିବା ମୋର ମନେ ଅଛି। ହେଲେ ‌ତାଙ୍କର ସେଭଳି କିଛି ପ୍ରତିକ୍ରିୟା ଦେଖିବାକୁ ପାଇନଥିଲି। ତେଣୁ ପ୍ରଥମ ଦେଖାରେ ହିଁ ତାଙ୍କ ସହ ସହଜ ହୋଇପାରିନଥିଲି ବୋଲି ଡିଭିଲିୟର୍ସ କହିଛନ୍ତି। ତାଙ୍କ ଚୁଟି କଟା ଓ ଷ୍ଟାଇଲ୍‌ ସବୁ ଦେଖିଥିଲି, ହେଲେ କାହିଁକି କେଜାଣି ମୁଁ ଆଦୌ ସହଜ ହୋଇପାରିନଥିଲି। ହେଲେ କୋହଲିଙ୍କୁ ଜାଣିବା ପାଇଁ ଏବଂ ତାଙ୍କ ସହ ମିଶିବା ପାଇଁ ମୋତେ ଅଧିକ ସମୟ ଲାଗିନଥିଲା। ଏହାପରେ ତ ଆମେ ଏବେ ଘନିଷ୍ଠ ବନ୍ଧୁ ପାଲଟିଯାଇଛୁ। ସଂଖ୍ୟାଧିକ ଲୋକ ତୁମ ସଫଳତା ସାଙ୍ଗକୁ ମାନବୀୟ ଗୁଣକୁ ମଧ୍ୟ ଭଲପାଆନ୍ତି। ଆଉ ସେହି ଦୃଷ୍ଟିରୁ ଆମେ ଉଭୟ ପ୍ରିୟ ହୋଇପାରିଛୁ ଓ ସମ୍ମାନ ମଧ୍ୟ ପାଉଛୁ ବୋଲି ଡିଭିଲିୟର୍ସ କହିଛନ୍ତି।

ଅନ୍ୟପକ୍ଷରେ କୋହଲି ମଧ୍ୟ ଏହି ଅବସରରେ ଡିଭିଲିୟର୍ସଙ୍କ ସହ ତାଙ୍କ ପ୍ରଥମ ଦେଖାର ଅବତାରଣା କରିଛନ୍ତି। ହେଲେ ତାଙ୍କ ସହ ବନ୍ଧୁତା ଏତେ ନିବିଡ଼ ହୋଇଯିବ ବୋଲି ଧାରଣା ସେତେବେଳେ ତାଙ୍କର ନଥିଲା ବୋଲି କୋହଲି କହିଛନ୍ତି। ମୋର ମନେ ଅଛି ସେହି ପ୍ରଥମ ଥର ଦେଖା କଥା। ଆମେ ଜୋହାନ୍‌ସବର୍ଗରେ ପ୍ରଥମେ ଦେଖା ହୋଇଥିଲୁ। ଆମେ ଟନେଲ ପାଖକୁ ଆସିଥିଲୁ। ସେତେବେଳକୁ ସେମାନଙ୍କ ଅଭ୍ୟାସ ଶେଷ ହୋଇସାରିଥିଲା ଏବଂ ଆମର ଆରମ୍ଭ ହେବାକୁ ଯାଉଥିଲା। ତଥାପି ‘ହେଲୋ’, ଆମେସବୁ ଏକାଠି ଖେଳିବା ବୋଲି ଡି’ଭଲିୟର୍ସଙ୍କୁ ପଚାଲିଥିଲି। କିନ୍ତୁ କିଏ ଜାଣିଥିଲା, ଏହି ପ୍ରଥମ ଦେଖାର ୯ ବର୍ଷ ପରେ ଆମେ ନିବିଡ଼ ବନ୍ଧୁତାରେ ବାନ୍ଧି ହୋଇଯିବୁ ବୋଲି। ସେ ଯାହାହେଉ ତୁମ ସହିତ ପ୍ରଚୁର ସ୍ମୃତି ସାଉଁଟିପାରିଥିବା ପ୍ରକୃତରେ ଆଶ୍ଚର୍ଯ୍ୟର କଥା ବୋଲି ଡିଭିଲିୟର୍ସଙ୍କ ଉଦ୍ଦେଶ୍ୟରେ କହିଛନ୍ତି କୋହଲି।

ସମ୍ବନ୍ଧିତ ଖବର