ଭୁବନେଶ୍ବର: କିଂବଦନ୍ତି ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଓ ଜାତୀୟ କ୍ରୀଡ଼ା ଦିବସ ଲୋକସେବାଭବନ କନ୍ଭେନସନ୍ ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ସହ ଅନ୍ୟ ଅତିଥିମାନେ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଧ୍ୟାନଚାନ୍ଦଙ୍କ ଖେଳରେ ମ୍ୟାଜିକ ଥିଲା। ଭାରତବର୍ଷ ପାଇଁ କ୍ରମାଗତ ୩ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଜିତି ସେ ଏକ ବିରଳ କୃତିତ୍ୱ ଅର୍ଜନ କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କ ଭଳି ହକି ଖେଳାଳି ବାହାରି ନାହାନ୍ତି। ଆମ କ୍ରୀଡ଼ାବିତ୍ମାନେ ହେଉଛନ୍ତି ଆମର ଗର୍ବ ଓ ଗୌରବ। ସେମାନଙ୍କର ତ୍ୟାଗ, ସାହସ ଓ ଉତ୍କର୍ଷ, ଆମ ସମସ୍ତଙ୍କୁ, ଯୁବ ସମାଜକୁ ପ୍ରେରଣା ଦେଇ ଆସୁଛି। କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ଧନ୍ୟବାଦ ଜଣାଇ କହିଥିଲେ ଯେ ଆଗାମୀ ଦିନରେ ସେମାନେ ଆହୁରି ଅଧିକ ସଫଳତା ହାସଲ କରନ୍ତୁ ଓ ଆହୁରି ଗୌରବ ଆଣନ୍ତୁ। କ୍ରୀଡ଼ାବିତ୍ମାନଙ୍କ ସଫଳତା ହେଉଛି ସାରା ଓଡ଼ିଶାର ସଫଳତା। ପ୍ରତ୍ୟେକ ଓଡ଼ିଆ ଏହି ସଫଳତାରେ ଗର୍ବିତ।
ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରି ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଦିଗରେ ଆଗେଇ ଚାଲିଛି। ଆମର କ୍ରୀଡ଼ାବିତ୍ ମଧ୍ୟ ଅନ୍ତର୍ଜାତୀୟସ୍ତରରେ ନିଜର ଦକ୍ଷତା ଓ ପରାକାଷ୍ଠା ପ୍ରମାଣ କରିଚାଲିଛନ୍ତି। ୧୯୭୨ ମସିହା ପରଠାରୁ ପ୍ରଥମ ଥର ପାଇଁ ଭାରତୀୟ ହକି ଦଳ ୨୦୨୦ ଓ ୨୦୨୪ ଅଲିମ୍ପିକ୍ସରେ ଲଗାତାର ଭାବେ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ହକିରେ ଭାରତ ତାର ପୂର୍ବ ଗୌରବ ଫେରିପାଇବା ପାଇଁ ନିଶ୍ଚିତ ଭାବେ ସଫଳତାର ସହ ଅଗ୍ରଗତି କରି ଚାଲିଛି। ନିକଟରେ ଭାରତୀୟ ହକି ଦଳ ଭୁବନେଶ୍ବର ଆସିଥିଲେ ଏବଂ ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଅଭୂତପୂର୍ବ ସମ୍ବର୍ଦ୍ଧନା ଦିଆଯାଇଥିଲା। ଖେଳାଳିଙ୍କ ଆତ୍ମବିଶ୍ବାସ ଓ ଦୃଢ଼ ମନୋବଳ ଦେଖି ମୁଁ ନିଶ୍ଚିତ ଯେ ଆଗାମୀ ଅଲମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିବ। ସେଥର ନିଶ୍ଚିତ ଓଡ଼ିଶାରୁ ୩-୪ ଜଣଙ୍କୁ ଦେଖିବାକୁ ମିଳିବେ। କ୍ରୀଡ଼ା କ୍ଷେତ୍ରରେ ଆମର ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ଏବଂ ଏହି ଦିଗରେ ମଧ୍ୟ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଉଛି। ଆଗକୁ ଭାରତ ତଥା ଓଡ଼ିଶା କ୍ରୀଡ଼ା ଜଗତରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଚିତ ହେବ, ଏହା ହିଁ ମୁଁ ଆଶା କରୁଛି। ଏହା ସହିତ ଆଜିର ଏହି ଜାତୀୟ କ୍ରୀଡ଼ା ଦିବସରେ ଆମେ ସମସ୍ତେ ଏକ ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବା ପାଇଁ କ୍ରୀଡ଼ାକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ପ୍ରତିଜ୍ଞାବଦ୍ଧ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କ୍ରୀଡ଼ା ଓ ଯୁବସେବା, ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ହକିର ଯାଦୁଗର ଥିଲେ ମେଜର ଧ୍ୟାନଚାନ୍ଦ। ତାଙ୍କ ଜୀବନକାଳ ମଧ୍ୟରେ ସେ ହଜାରରୁ ଅଧିକ ଗୋଲ୍ ଦେଇଛନ୍ତି। ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି। କ୍ରୀଡ଼ା କ୍ଷେତ୍ର ପ୍ରତି ଆଗ୍ରହ ରଖିଥିବା ସବୁ ପ୍ରତିଭା ମେଜର ଧ୍ୟନଚାନ୍ଦଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କଲେ ନିଶ୍ଚିତ ରୂପେ ସଫଳତା ହାସଲ କରିବେ। ଆମ ମାନ୍ୟବର ପ୍ରଧାନମନ୍ତ୍ରୀ କ୍ରୀଡ଼ାର ବିକାଶକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ଓଡ଼ିଶାରେ ମଧ୍ୟ କ୍ରୀଡ଼ାକୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦିଆଯାଉଛି। ଆମ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ସମାଜର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରି ଏ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟତମ ଅତିଥିଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ ଜାତୀୟ କ୍ରୀଡ଼ା ଦିବସ ପାଳନ ଆମକୁ ଖେଳର ମହତ୍ୱ ବିଷୟରେ ଚେତାଇ ଦେଇଥାଏ। ଖେଳ ଆମର ଟିମ୍ ସ୍ପିରିଟ୍, ଏକାଗ୍ରତା ଓ ମନୋବଳ ବୃଦ୍ଧି କରିଥାଏ। ଓଡ଼ିଶାର କ୍ରୀଡ଼ାବିତ୍ମାନଙ୍କ ପାଇଁ ଆମେ ଗର୍ବିତ। କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିବା ସହ ବିଭାଗ ପକ୍ଷରୁ ସପ୍ତାହବ୍ୟାପୀ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି ବୋଲି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ କ୍ରୀଡ଼ାବିତ୍, କ୍ରୀଡ଼ା ପ୍ରଶିକ୍ଷକ ଓ କ୍ରୀଡ଼ା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଜେଏମ୍ ସ୍ପୋର୍ଟସ ଏକାଡେମିରେ ଜାତୀୟ କ୍ରୀଡ଼ା ଦିବସ
ଏକ ନିଆରା ଢଙ୍ଗରେ ଜେଏମ୍ ସ୍ପୋର୍ଟସ ଏକାଡେମିଠାରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି। ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଛି। ମେଜର ଧ୍ୟାନଚାନ୍ଦଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଧ୍ୟାନଚାନ୍ଦଙ୍କ ଜୀବନ କାହାଣୀ ଓ ଖେଳପ୍ରତି ତାଙ୍କର ଅବଦାନ ବିଷୟରେ ଆଲୋକପାତ କରାଯାଇଥିଲା। ଏକାଡେମିର ଅଧ୍ୟକ୍ଷା ମିରାରାଣୀ ଦାସଙ୍କ ତତ୍ତ୍ୱାବଧାନରେ ସମ୍ପାଦକ ଯଶୋବନ୍ତ ଦାସ, ଆଇନ ପରାମର୍ଶଦାତା ସୁବ୍ରତ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଅଭିଭାବକ ଓ ଅଫିସର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଚଳିତ ବର୍ଷ ଏହି ଦିବସର ସ୍ଲୋଗାନ ଥିଲା ‘‘ଖେଲେଗା ଇଣ୍ଡିଆ ତୋ ଖିଲେଗା ଇଣ୍ଡିଆ’’।
ଉତ୍କଳ କରାଟେ ସ୍କୁଲ୍ରେ ଖେଳାଳି ଓ ସାମ୍ବାଦିକ ସମ୍ମାନିତ
ଜାତୀୟ କ୍ରୀଡ଼ା ଦିବସ ଅବସରରେ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ଠାରେ ଏହାର ୪୪ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଛି। ଏହି ଅବସରରେ ୫ ଜଣ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଛି। ପ୍ରମେୟର ଗ୍ରୁପ୍ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର, ପ୍ରତିଦିନର ସମ୍ପାଦକ ସୁଧୀର କୁମାର ପଣ୍ଡାଙ୍କ ସହ କ୍ରୀଡ଼ା ସାମ୍ବାଦିକ ଶକ୍ତି ପ୍ରସାଦ ନନ୍ଦ, କମାଳାକାନ୍ତ ନାୟକ, ଫଟୋ ସାମ୍ବାଦିକ ମନୋଜ କୁମାର ସ୍ବାଇଁ ଏହି ସମ୍ମାନ ପାଇଥିଲେ। ଚଳିତ ବର୍ଷ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ସ୍କୁଲ୍ର ୭ ଜଣ ଭାଲେନା ଭାଲେଣ୍ଟିନା, ଅନୁପମା ସ୍ବାଇଁ, ଲୋମା ସ୍ବାଇଁ, ସୁମନ ଶେଖର ଦାସ, ଅଂଶୁମାନ ଆଚାର୍ଯ୍ୟ, ଶୁଭମ ମହାନ୍ତି ଓ ଶୁଭକାନ୍ତ ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ଭାବେ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ଆକାଶ ଦାସନାୟକ, ବାବୁ ସିଂହ, ରାଜନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସ୍କୁଲ୍ର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପୀୟୂଷ ମହାନ୍ତି, ଜୟଦେବ ପଟ୍ଟନାୟକ, ଖାରବେଳ ମଲ୍ଲିକ, ଚିତ୍ତରଂଜନ ସ୍ବାଇଁ, ଦୀପକ ସାମନ୍ତରା, ସନ୍ତୋଷ ମହାରଣା, ଗୌରୀ ମହାନ୍ତି, ଅବିନାଶ ପୁନ୍ଦିର, ସନ୍ଦୀପ ଦାଶ, ସୁସ୍ମିନ ପାଲଟାସିଂହ, ରଜନୀ ବିଶି, ନିଖିତା ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ।