ଯୋଗ ମୁଦ୍ରାରେ କ୍ରୀଡ଼ାବିତ୍‌

ଭୁବନେଶ୍ବର: ମଙ୍ଗଳବାର ଥିଲା ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ କ୍ରୀଡ଼ାବିତ୍‌ମାନେ ଯୋଗ କରି ପ୍ରଶଂସକଙ୍କୁ ଏହାର ଗୁରୁତ୍ବ ଏବଂ ମହତ୍ବ ବୁଝାଇବାକୁ ଚେଷ୍ଟା କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମିଳିତ ସହଯୋଗରେ କଳିଙ୍ଗ ଷ୍ଟାଡିୟମ୍‌ରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପରିଚାଳକ ବିକାଶ ରଞ୍ଜନ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ ଯେ କାହିଁ କେଉଁ କାଳରୁ ‘ଯୋଗ’ ଭାରତୀୟ ସଂସ୍କୃତିର ଅଭିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି। ଯୋଗକୁ ଆଧାର କରି ଭାରତୀୟ ଯୋଗୀ ଏବଂ ମୁନିଋଷୀମାନେ ଦୀର୍ଘ ଓ ନିରୋଗ ଜୀବନ ଅତିବାହିତ କରି ଆସୁଛନ୍ତି। ଆଜି ପାଳିତ ହେଉଥିବା ଯୋଗ ଦିବସ ଭାରତୀୟ ସଂସ୍କୃତିରେ ରହି ଆସିଥିବା ଯୋଗର ମହତ୍ବକୁ ସର୍ବବ୍ୟାପୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଯୋଗ ଜୀବନକୁ ଶୃଙ୍ଖଳିତ କରିବା ସହ ନିଜ ଲକ୍ଷ୍ୟ ପଥରେ ଆଗକୁ ବଢ଼ିବାର ଉଚିତ ମାର୍ଗ ପ୍ରଦାନ କରେ।

ଏଣୁ ସମସ୍ତେ ଯୋଗ ଏବଂ ପ୍ରାଣାୟମକୁ ନିଜ ଜୀବନରେ ସାମିଲ କରିବା ଉଚିତ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ପ୍ରଶିକ୍ଷକ, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଅଧିକାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଭାଗୀୟ ଅଧିକାରୀ ରାମ ଗୋବିନ୍ଦ ପରିଡ଼ା ସଂଯୋଜନା କରିଥିଲେ। ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ର ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ବାରିକ ବିଭିନ୍ନ ଯୋଗମୁଦ୍ରା ଏବଂ ପ୍ରାଣାୟାମ ଉପରେ ସମସ୍ତଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ଅବସରରେ ଦୁଇ ଜଣ ଯୋଗ ଛାତ୍ରୀଙ୍କ ଦ୍ବାରା ସ୍ବତନ୍ତ୍ର ଯୋଗମୁଦ୍ରା ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର